ସିକ୍କିମ ବନ୍ୟା : ମୃତ୍ୟୁସଂଖ୍ୟା ୩୨ ଛୁଇଁଲା, ଏବେ ବି ୧୨୨ ନିଖୋଜ – Utkal Mail
ନୂଆଦିଲ୍ଲୀ: ସିକ୍କିମର ତିସ୍ତା ନଦୀରେ ଆସିଥିବା ଆକସ୍ମିକ ବନ୍ୟାର ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି ପାଇଥିବାବେଳେ ଏବେ ବି ୧୨୨ ନିଖୋଜ ଅଛନ୍ତି । ଏପର୍ଯ୍ୟନ୍ତ ୯ ସେନା ଯବାନଙ୍କ ସମେତ ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ଅଧିକାରୀମାନେ ରବିବାର ସୂଚନା ଦେଇଛନ୍ତି।
ସିକ୍କିମ୍ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏସ୍ଏସଡିଏମ୍ଏ) ଅନୁଯାୟୀ, ବୁଧବାର ସକାଳେ ବାଦଲ ଫଟା ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ପ୍ରାୟ ୪୧,୮୭୦ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରୁ ୨୫୬୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଖାଲି ସେତିକି ନୁହେଁ ସିକିମର ଅଧିକାଂଶ ଅଞ୍ଚଳ ଅନ୍ୟ ରାଜ୍ୟରୁ ବିଚ୍ଛିନ୍ନ ହୋଇଛି।
୧୨୨ ଜଣ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଜାରି ରହିଛି ବୋଲି ଏସ୍ଏସଡିଏମ୍ଏ କହିଛି। ସିକିମର ପାକ୍ୟୋଙ୍ଗ ଜିଲ୍ଲାରେ ୭୮ ଜଣ, ଗ୍ୟାଙ୍ଗଟକ୍ ଜିଲ୍ଲାରେ ୨୩ ଜଣ, ମଙ୍ଗନରେ ୧୫ ଜଣ ଏବଂ ନାମଚିରେ ୬ ଜଣ ନିଖୋଜ ଅଛନ୍ତି। ସର୍ଚ୍ଚ ଅପରେସନରେ ସ୍ୱତନ୍ତ୍ର ରାଡାର, ଡ୍ରୋନ ଓ ସାମରିକ କୁକୁର ମୁତୟନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପାକ୍ୟୋଙ୍ଗରେ ୨୧, ଗ୍ୟାଙ୍ଗଟକରେ ୬, ମଙ୍ଗନରେ ୪ ଏବଂ ନାମଚିରୁ ଜଣେ ମୃତଦେହ ଉଦ୍ଧାର କରାଯାଇଛି।



