ଏଆଇ ପ୍ରସ୍ତୁତ କରୁଛି ଉନ୍ନତ ସହର ନିର୍ମାଣ ପାଇଁ ନକ୍ସା – Utkal Mail
ଏମିତି ଏକ ସହରର ପରିକଳ୍ପନା କରନ୍ତୁ ଯେଉଁଠି ଥଣ୍ଡା ସବୁଜ ପରିବେଶ ଭରା ଉଦ୍ୟାନ ସହିତ ଚଲା ବାଟ, ସାଇକେଲ ପଥ ଓ ବସ୍ ଷ୍ଟପ୍ ଗୁନ୍ଥି ହୋଇ ରହିଥିବ, ଫଳରେ ଲୋକେ କିଛି ମିନିଟ୍ ଭିତରେ ଦୋକାନ, ଶିକ୍ଷାନୁଷ୍ଠାନ ଓ ଯେକୌଣସି ସେବାକେନ୍ଦ୍ରରେ ପହଞ୍ଚିପାରୁଥିବେ। ଏପରି ଏକ ଆଦର୍ଶ ସହରାଞ୍ଚଳ ଯୋଜନାରେ ସମସ୍ତ ମୌଳିକ ଆବଶ୍ୟକତା ମାତ୍ର ପନ୍ଦର ମିନିଟ୍ ଭିତରେ ଉପଲବ୍ଧ ହୋଇପାରିବ। ଏଥି ସହିତ ଏହା ଜନସ୍ବାସ୍ଥ୍ୟରେ ଉନ୍ନତି ଆଣିବା ସହ ଯାନବାହନରୁ ଦୂଷିତ ବାଷ୍ପ ନିର୍ଗମନ ହ୍ରାସ କରିପାରିବ। ସହରାଞ୍ଚଳ ଯୋଜନାକାରୀଙ୍କୁ ଏହି ଲକ୍ଷ୍ୟ ହାସଲ କରିବାରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବିଶେଷ ସାହାଯ୍ୟ କରିପାରିବ। ମଣିଷ ତୁଳନାରେ ଖୁବ୍ କମ୍ ସମୟ ଭିତରେ ଏଆଇ ଉତ୍କୃଷ୍ଟ ନକ୍ସା ପ୍ରସ୍ତୁତ କରିପାରିବ ବୋଲି ଚୀନ୍ର ସିଂଘୁଆ ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ଅଧ୍ୟୟନରୁ ଜାଣିପାରିଛନ୍ତି।
ଦ୍ରୁତ ଜନଗହଳିପୂର୍ଣ୍ଣ ଓ କଂକ୍ରିଟୀକରଣ ହୋଇ ଚାଲିଥିବା ଚୀନୀ ସହରଗୁଡ଼ିକର ଉନ୍ନତି ପାଇଁ ଅଟୋମେସନ୍ ବୈଜ୍ଞାନିକ ୟୁ ଝେଙ୍ଗ ଓ ସହଯୋଗୀମାନେ ନୂଆ ସମାଧାନ ଖୋଜିବା ଅବସରରେ ଏହି ନିର୍ଯାସରେ ପହଞ୍ଚିଛନ୍ତି। ସେମାନେ ଏକ ଏଆଇ ବ୍ୟବସ୍ଥା ବିକଶିତ କରିଛନ୍ତି ଯେଉଁଥିରେ ଏପରି ଏକ ସହରୀ ନକ୍ସା ପ୍ରସ୍ତୁତ ଯାହା ମାନବ ବିଶେଷଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ନକ୍ସାକୁ ୫୦ ପ୍ରତିଶତ ପଛରେ ପକାଇ ଦେଇଛି। ସେହିପରି କେବଳ ମାନବକୃତ ନକ୍ସା ସହ ମାନବ-ଏଆଇର ମିଳିତ ପ୍ରୟାସରେ ପ୍ରସ୍ତୁତ ନକ୍ସାକୁ ତୁଳନା କରି ଝେଙ୍ଗ ଓ ତାଙ୍କ ସହଯୋଗୀମାନେ ଜାଣିପାରିଛନ୍ତି କି, ଏହି ମିଳିତ ପ୍ରକ୍ରିୟା ଦ୍ବାରା ମୌଳିକ ସେବା ଓ ଉଦ୍ୟାନ ପହଞ୍ଚକୁ ଯଥାକ୍ରମେ ୧୨ ଓ ୫ ପ୍ରତିଶତ ବୃଦ୍ଧି କରାଯାଇପାରିବ। ଏହି ଗବେଷକମାନେ ଉଭୟ ନକ୍ସା ବାବଦରେ ଶହେ ଜଣ ସହରାଞ୍ଚଳ ନକ୍ସା ପ୍ରସ୍ତୁତକାରୀଙ୍କୁ ନେଇ ସର୍ବେକ୍ଷଣ କରିଥିଲେ। ନକ୍ସାଟି କାହାଦ୍ବାରା ପ୍ରସ୍ତୁତ ତାହା ନ ଜାଣି ମଧ୍ୟ ସେମାନେ ଏଆଇ ଦ୍ବାରା ପ୍ରସ୍ତୁତ ନକ୍ସାକୁ ବେଶୀ ପସନ୍ଦ କରିଥିଲେ।