ଓଡିଶା

ସୁଡଙ୍ଗରୁ ଉଦ୍ଧାର ପରେ ଓଡିଶାର ୫ ଶ୍ରମିକଙ୍କୁ ଭେଟିଲେ ଶ୍ରମମନ୍ତ୍ରୀ ସାରଦା ନାୟକ – Utkal Mail


ଭୁବନେଶ୍ୱର: ୧୭ ଦିନ ଧରି ସୁଡଙ୍ଗ ଭିତରେ ଫସି ରହିଥିବା ଓଡିଶାର ୫ ଜଣ ଶ୍ରମିକଙ୍କୁ ଉଦ୍ଧାର ପରେ ଭେଟିଛନ୍ତି ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ। ଆଜି ଉତ୍ତରକାଶୀ ସ୍ଥିତ ଚିନିଆଲିସୌର ହସ୍ପିଟାଲ ପରିଦର୍ଶନ କରିଛନ୍ତି ମନ୍ତ୍ରୀ। ପ୍ରଭାବିତ ଶ୍ରମିକ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ଏହି ଘଟଣା ଘଟିବା ପରଠାରୁ ମନ୍ତ୍ରୀ ଉତ୍ତରାଖଣ୍ଡରେ ଡେରା ପକାଇଛନ୍ତି।

ଓଡ଼ିଶା ଶ୍ରମ କମିସନରଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ କୁହାଯାଇଛି, ସମସ୍ତ ୫ ଜଣ ଶ୍ରମିକ ବର୍ତ୍ତମାନ ଡାକ୍ତରୀ ନିରୀକ୍ଷଣରେ ଅଛନ୍ତି ଏବଂ ଭଲ ଅଛନ୍ତି। ଅନ୍ୟ ଜଣେ ଶ୍ରମ ଅଧିକାରୀ କହିଛନ୍ତି, ଉଦ୍ଧାର ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଓଡ଼ିଶା ଫେରାଇ ଅଣାଯିବ।

ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଏହି ସଫଳ ଉଦ୍ଧାର କାର୍ଯ୍ୟ ଫଳରେ ଉତ୍ତରାଖଣ୍ଡର ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥର ସିଲ୍କିଆରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଦୁଃଖଦ କାହାଣୀର ଅନ୍ତ ଘଟିଛି।

ଉଦ୍ଧାର ହୋଇଥିବା ୫ ଶ୍ରମିକ ହେଲେ ମୟୂରଭଞ୍ଜ ଜିଲ୍ଲାର ରାଜୁ ନାୟକ, ଧୀରେନ ନାୟକ ଓ ବିଶ୍ୱେଶ୍ୱର ନାୟକ, ନବରଙ୍ଗପୁର ଜିଲ୍ଲାର ଭଗବାନ ବାତ୍ରା, ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରମ ବିଭାଗ ଅଧିକାରୀମାନଙ୍କୁ ଉତ୍ତରାଖଣ୍ଡରେ ନିୟୋଜିତ କରାଯାଇଛି। ଏହାବ୍ୟତୀତ ଓଡ଼ିଶା ସରକାର ଫସି ରହିଥିବା ଶ୍ରମିକଙ୍କ ପରିବାରକୁ ନୈତିକ ସହାୟତା ଯୋଗାଇ ଦେବା ପାଇଁ ଉତ୍ତରକାଶୀ ଯିବାର ବ୍ୟବସ୍ଥା କରିଛନ୍ତି ବୋଲି ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି।

ମୟୂରଭଞ୍ଜ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ସୁଦାମ ମାର୍ଣ୍ଡି ନିଜ ଜିଲ୍ଲାର ଦୁଇ ଶ୍ରମିକଙ୍କ ପରିବାରକୁ ବ୍ୟକ୍ତିଗତ ଭାବେ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଆମେ ସମସ୍ତ ପରିବାର ସହିତ ନିରନ୍ତର ଯୋଗାଯୋଗ ରଖିଥିଲୁ। ମୁଁ ପ୍ରାର୍ଥନା କରୁଛି ଯେ ଏଭଳି ଘଟଣା ଆଉ ନ ହେଉ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ମୁଁ ଗଭୀର କୃତଜ୍ଞତା ଜଣାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ଉଦ୍ଧାର ହୋଇଥିବା ଶ୍ରମିକଙ୍କ ଗାଁରେ ଖୁସିର ଲହରି ଖେଳିଯାଇଛି। ବ୍ୟାପକ ଉଦ୍ଧାର କାମରେ ନିୟୋଜିତ ସମସ୍ତ ସଂସ୍ଥାକୁ ଅଞ୍ଚଳବାସୀ ହୃଦୟର ସହ କୃତଜ୍ଞତା ଜଣାଇଛନ୍ତି।

ଉଦ୍ଧାର ଶ୍ରମିକଙ୍କ ପରିବାର ଲୋକେ ଘରକୁ ଫେରିବା ଅପେକ୍ଷାରେ ରହିଛନ୍ତି। ମୋ ପୁଅକୁ ଉଦ୍ଧାର କରାଯାଇଥିବା ଜାଣି ମୁଁ ଖୁସି ଅନୁଭବ କରୁଛି। ଆଜି ସକାଳେ ଫୋନରେ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲି। ତାକୁ ଦେଖିବା ପାଇଁ ମୁଁ ଏବେ ଉତ୍କଣ୍ଠାର ସହ ଅପେକ୍ଷା କରୁଛି ବୋଲି ବିଶ୍ୱେଶ୍ୱର ନାୟକଙ୍କ ବାପା କୋହଭରା କଣ୍ଠରେ କହିଛନ୍ତି।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button