କ୍ରୀଡା

ଚେତନଙ୍କ ପାଇଁ ଅଡୁଆରେ ଭାରତୀୟ କ୍ରିକେଟ ବୋର୍ଡ

ଭାରତୀୟ କ୍ରିକେଟ ଟିମରେ ହଲଚଲ। ଚିଫ ସିଲେକ୍ଟରଙ୍କ ବିସ୍ଫୋରକ ଖୁଲାସାକୁ ନେଇ କାଠଗଡାରେ ଇଣ୍ଡିଆନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ। ଷ୍ଟିଙ୍ଗ ଅପରେସନରେ ବିସିସିଆଇର ଗୁମର ଖୋଲିଦେଇ ଅଡୁଆରେ ନିଜେ ଚିଫ ସିଲେକ୍ଟର ମଧ୍ୟ। ବିରାଟ, ରୋହିତ, ଗାଙ୍ଗୁଲି ଓ ଟିମ ଇଣ୍ଡିଆର ଖୋଳିଛନ୍ତି ଗୋଇ। ଯାହା କେବଳ ଭାରତୀୟ କ୍ରିକେଟରେ ନୁହେଁ, ବରଂ ୱାର୍ଲ୍ଡ କ୍ରିକେଟରେ ଖେଳାଇଛି ହଇଚଇ।  ଏବେ ଆକ୍ସନ ମୋଡରେ ବିସିସିଆଇ। ମୁଖ୍ୟ ଚୟନକର୍ତ୍ତା ପଦ ହାତରୁ ଯିବା ଥୟ ହୋଇଛି।

କାଠଗଡାରେ ବିସିସିଆଇ। ଭାରତୀୟ କ୍ରିକେଟର ନିଜକୁ ଫିଟ ରଖିବାକୁ ନେଉଛନ୍ତି ଇଞ୍ଜେକ୍ସନ। ଇଞ୍ଜେକ୍ସନ ବଳରେ ଖେଳାଳି ପାଉଛନ୍ତି ଫିଟନେସ ସାର୍ଟିଫିକେଟ। ଏହା ବ୍ୟତୀତ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭଙ୍କ ମନମାଳିନ୍ୟ ପରି ଅନେକ ପ୍ରସଙ୍ଗରେ ଏକ ଘରୋଇ ଟିଭି ଚ୍ୟାନେଲର ଷ୍ଟିଙ୍ଗ ଅପରେସନ ବେଳେ ଖୋଲିଛି ଗୁମର। ଏହି ଖୁଲାସା କରିଛନ୍ତି ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା      ଚେତନ ଶର୍ମା। ଆଉ ଗୁମର ଖୋଲିବା ପରେ କ୍ରିକେଟ ଜଗତରେ ହଇଚଇ। ଦଳରେ ଦ୍ବିତୀୟ ଥର ମୁଖ୍ୟ ଚୟନକର୍ତ୍ତା ହୋଇଥିବା ୫୭ ବର୍ଷୀୟ ଚେତନ ଶର୍ମା ଷ୍ଟିଙ୍ଗ ଅପରେସନରେ କ୍ରିକେଟରେ ଇଞ୍ଜେକ୍ସନର ବ୍ୟବହାର କଥା କହି ଅଡୁଆରେ। କ୍ରିକେଟର ଆହତ ସତ୍ତ୍ବେ ନିଜକୁ ଟିମରେ ସାମିଲ କରିବାକୁ ଇଞ୍ଜେକସନ ନେଉଛନ୍ତି। ଖେଳାଳି ୮୦ ଅନଫିଟ ସତ୍ତ୍ବେ ଇଞ୍ଜେକ୍ସନ ନେଇ ଶତ ପ୍ରତିଶତ ଫିଟ ଦର୍ଶାଉଛନ୍ତି। ଯନ୍ତ୍ରଣା ଉପଶମ ପାଇଁ ଇଞ୍ଜେକ୍ସନ ନେଉଛନ୍ତି, କିନ୍ତୁ ଏହା କୌଣସି ପେନ କିଲର ନୁହେଁ କି ଏହି ଇଞ୍ଜେକସନ ଡୋପ ଟେଷ୍ଟରେ ବି ଧରା ପଡିବ ନାହିଁ।  ଚେତନ ଆହୁରି କହିଛନ୍ତି, ଏମାନେ ଏମିତି ବଦମାସ କି, ଚୁପଚାପ ଏକ କୋଣକୁ ଯାଇ ଇଞ୍ଜେକସନ ନେଇ ଆସି କୁହନ୍ତି ଆମେ ଫିଟ ଅଛୁ ସାର। କିଛି ତାରକା ଖେଳାଳି ସମ୍ପୂର୍ଣ୍ଣ ସୁସ୍ଥ ନ ଥିଲେ ବି ଜାତୀୟ କ୍ରିକେଟ ଆକାଡେମି ସେମାନଙ୍କୁ ସବୁଜ ସଙ୍କେତ ଦେଇ ଚୂଡାନ୍ତ ନିଷ୍ପତ୍ତି ଚୟନକର୍ତ୍ତା ମୁଣ୍ଡରେ ଛାଡି ଦିଅନ୍ତି। ଖେଳାଳିମାନଙ୍କ ନିଜର ଡାକ୍ତର ରହିଥାନ୍ତି।

ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡୟାଙ୍କ ସମ୍ପର୍କରେ ଚେତନ ଶର୍ମା କହିଛନ୍ତି କି, ରୋହିତ ଅଧ ଘଣ୍ଟା ଲେଖା ଫୋନରେ ମୋ ସହ କଥା ହୁଅନ୍ତି, ଯେଉଁ କଥା ଅଫିସରେ କୁହାଯାଇ ପାରିବନି ତାହାକୁ ଘରେ ବିସ୍ତୃତରେ ଫୋନରେ କହି ହେବ। ସେହିପରି ହାର୍ଦ୍ଦିକ ଘରକୁ ଦେଖାକରିବାକୁ ଆସିଥାନ୍ତି। ହାର୍ଦ୍ଦକ ଭାରତୀୟ କ୍ରିକେଟର ଭବିଷ୍ୟତ। ଜଣେ ଉଚ୍ଚକୋଟିର କ୍ରିକେଟର। ବର୍ତ୍ତମାନର ଅନେକ ଖେଳାଳି ଆସନ୍ତି ସାକ୍ଷାତ କରିବାକୁ। ଚେତନ ଏହି କ୍ରମରେ ଦୀପକ ହୁଡ୍ଡା, ଉମେଶ ଯାଦବଙ୍କ ନାମ ମଧ୍ୟ ନେଇଛନ୍ତି।

ଏହା ବ୍ୟତୀତ ବିସିସିଆର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଥିବା ବିବାଦକୁ ମଧ୍ୟ ଉଲ୍ଲେଖ କରିଛନ୍ତି ଷ୍ଟିଙ୍ଗ ବେଳେ। ବିରାଟ କୋହଲିଙ୍କୁ ଲାଗିଥିଲା କି ତାଙ୍କୁ ଅଧିନାୟକ ପଦ ହରାଇବାକୁ ହୋଇଥିଲା ବିସିସିଆଇ ଅଧ୍ୟକ୍ଷଙ୍କ କାରଣରୁ । ହୁଏତ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ମତଭେଦ ଥିଲା। ଏକ ଘଟଣାର ଉଲ୍ଲେଖ କରି ଚେତନ କହିଛନ୍ତି, ଚୟନ ସମିତିର ଭର୍ଚୁଆଲ କନଫେରେନ୍ସ ଚାଲିଥିଲା। ବିରାଟ, ସୌରଭ ତଥା ମୋ ସମେତ ୯ ଜଣ ଥିଲେ ଏଥିରେ। ଟି-ଟ୍ବେଣ୍ଟିର କ୍ୟାପ୍ଟେନସିପ ଛାଡିବାକୁ ନେଇ କୋହଲିଙ୍କ ନିଷ୍ପତ୍ତି ଉପରେ କୋହଲିଙ୍କୁ ଗାଙ୍ଗୁଲି  ପୁନର୍ବିଚାର କରିବାକୁ କହିଥିଲେ। କିନ୍ତୁ କୋହଲି ମନା କରି ଦେଇଥିଲେ। ହୁଏତ ଗାଙ୍ଗୁଲିଙ୍କ କଥା ଶୁଣିନ ଥିଲେ କି ଉଭୟଙ୍କ ମଧ୍ୟରେ ରହିଛି ଅହଂ ଲଢେଇ।

ସେପଟେ ଘଟଣାକୁ ନେଇ ଆକ୍ସନ ମୋଡରେ ଆସିଛି ବିସିସିଆଇ। ବୋର୍ଡର ଜଣେ ଅଧିକାରୀ କହିଛନ୍ତି କି, ଚେତନ ଶର୍ମାଙ୍କ ହାତରେ ଆଉ ଅଳ୍ପ ଦିନ। ଏହା ଅତ୍ୟନ୍ତ ଲଜ୍ଜାଜନକ। ଏହାର ପ୍ରଭାବ ଏବେ ପଡିବ ଖେଳ ଉପରେ। ଏବେ ଅଷ୍ଟ୍ରେଲିଆ ବିରୋଧରେ ବର୍ଡର ଗାଭାସ୍କର ଟ୍ରଫି ଚାଲିଛି। ଏହି ଟ୍ରଫି ଉପରେ ଚେତନଙ୍କ ଖୁଲାସାର ପ୍ରଭାବ ପଡିବ ନିଶ୍ଚିତ। ଏବେ ବୋର୍ଡକୁ ଗୋଟେପଟେ କ୍ରିକେଟରଙ୍କୁ ଶାନ୍ତ କରିବାକୁ ହେବ, ଅନ୍ୟପଟେ ଟୁର୍ନାମେଣ୍ଟ ସମ୍ଭାଳିବାକୁ ହେବ। ଏହାର ଆଭ୍ୟନ୍ତରିଣ ଯାଞ୍ଚ ହେବ। ହେଲେ ଗୋଟଏ କଥା ସ୍ପଷ୍ଟ କି, ତାଙ୍‌କ ଦିନ ଶେଷ ହେବ, କାରଣ ଖେଳାଳି ଏବେ ଆଉ ତାଙ୍କ ଉପରେ ଭରସା କରି ପାରିବେ ନାହିଁ।ତେବେ ଚେତନଙ୍କ ଭବିଷ୍ୟତକୁ ନେଇ ଚୂଡାନ୍ତ ନିଷ୍ପତ୍ତି ବିସିସିଆଇ ସଚିବ ଜୟ ଶାହଙ୍କୁ ନେବାକୁ ହେବ। ତେବେ ବୋର୍ଡ ତାଙ୍କୁ ଜବାବ ମାଗିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଏବେ କଣ ହେବ ଚେତନଙ୍କର। ଆଉ ଭାରତୀୟ କ୍ରିକେଟ ବୋର୍ଡରେ ରହିବେ ତ ସେ? ବିସିସିଆଇ ନେବ କି ଚେତନଙ୍କ ଉପରେ କୌଣସି କଡା କାର୍ଯ୍ୟାନୁଷ୍ଠା? ନାଁ ଚେତନ ବର୍ତ୍ତମାନର ସ୍ଥିତିକୁ ଦେଖି ଦେବେ କି ଇସ୍ତଫା? କଣ ହେବ କ୍ରିକେଟ ଉପରେ ଚେତନଙ୍କ ଖୁଲାସା?  ଏମିତି ଅନେକ ପ୍ରଶ୍ନ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉଙ୍କି ମାରିଥିବା ବେଳେ ଦେଖିବାକୁ ବାକି କଣ ହେଉଛି ଆଗକୁ।

Related Articles

Leave a Reply

Your email address will not be published. Required fields are marked *

Back to top button