ଚାଲିଥିଲା RI ପରୀକ୍ଷା, କମ୍ପ୍ୟୁଟର ସେଣ୍ଟର ଉପରେ ଚଢ଼ାଉ କରି ନକଲି ମାଲିକକୁ ଗିରଫ କଲା ପୋଲିସ

ବୌଦ୍ଧ: ଆର.ଆଇ, ଅମୀନ ପରୀକ୍ଷାରେ ଅନିୟମିତତା ସାରା ରାଜ୍ୟରୁ ଅଭିଯୋଗ ଆସିବାରେ ଲାଗିଛି।କେଉଁଠି ପରୀକ୍ଷା ସେଣ୍ଟରକୁ ନେଇ ପ୍ରଶ୍ନ ଉଠିଥିବାବେଳେ। ପୁଣି କେଉଁଠି ପରୀକ୍ଷାରେ ଅବ୍ୟବସ୍ଥାକୁ ନେଇ ଅଭିଯୋଗ ଆସୁଛି। ଯାହାକୁ ନେଇ ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ। ଏହାରି ମଧ୍ୟରେ ବୌଦ୍ଧରୁ ପରୀକ୍ଷା ସହ ଜଡ଼ିତ ଏକ ବଡ଼ ଖବର ଆସିଛି।
ଏଠାରେ ଏକ ପରୀକ୍ଷା କେନ୍ଦ୍ର ଉପରେ ଚଢ଼ାଉ କରି ନକଲି ମାଲିକଙ୍କୁ ଗିରଫ କରିଛି ପୋଲିସ।
ସୂଚନା ଅନୁଯାୟୀ, ବୌଦ୍ଧ ମନମୁଣ୍ଡା ଥାନା ଦହ୍ୟା ସ୍ଥିତ ଓମ୍ କମ୍ପ୍ୟୁଟର କେନ୍ଦ୍ରରେ ଚଢ଼ାଉ କରି ପୋଲିସ କମ୍ପ୍ୟୁଟର ସେଣ୍ଟରର ନକଲି ମାଲିକ ସୁବଳ କହଁରଙ୍କୁ ଗିରଫ କରିଛି। ଏହି କମ୍ପ୍ୟୁଟର ସେଣ୍ଟରରେ ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ଅବଶ୍ୟ ଅତିରିକ୍ତ ତହସିଲଦାର ଓ ପୋଲିସ୍ ଉପସ୍ଥିତିରେ ଚାଲିଥିଲା ପରୀକ୍ଷା।
ସୂଚନାଥାଉକି, ମଙ୍ଗଳବାର ଭୁବନେଶ୍ବର ନୟାପଲ୍ଲୀର ଏକ ସାଇବର କାଫେରେ ଆର.ଆଇ ପରୀକ୍ଷା ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଆହୁରି ମଧ୍ୟ ଅଭିଯୋଗ ଆସିଥିଲା ଏହି ସାଇବର କାଫେ ଏକ ଦୁଇ ମହିଲା କୋଠାରେ ରହିଛି ଯେଉଁଠି ରେଷ୍ଟୁରାଣ୍ଟ, ହୋମିଓପାଥି କ୍ଲିନକ ମଧ୍ୟ ଚାଲିଛି। ତେବେ OSSSC ଦ୍ଵାରା ପରିଚାଳିତ ଏହି ପରୀକ୍ଷାକୁ ସିଫି ନାମକ ଏକ ବେସରକାରୀ ସଂସ୍ଥା ପରିଚାଳନା ପାଇଁ ଦିଆଯାଇଥିବାବେଳେ, ଏଭଳି ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।


