କୁକୁର ତାଲିମ୍ କେନ୍ଦ୍ର ଫାଟକରେ କୁକୁରକୁ ଫାଶୀ; ତାଲିମଦାତା ଓ ତାଲିମଦାତ୍ରୀ ଗିରଫ – Utkal Mail
ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଚଳାଉଥିବା ‘ଟ୍ରେନିଙ୍ଗ୍ ସେଣ୍ଟର୍’ ବା ତାଲିମ କେନ୍ଦ୍ର ଫାଟକରେ ଗୋଟାଏ କୁକୁରକୁ ଫାଶୀ ଦେଇ ହତ୍ୟା କରିଥିବା ଅଭିଯୋଗରେ ଜଣେ କୁକୁର ତାଲିମଦାତା ଓ ତାଙ୍କର ୨ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ରବି କୁଶୱାହ, ନେହା ତିୱାରୀ ଓ ତରୁଣ ଦାସ।
ସଂଗୃହୀତ ସୂଚନା ଅନୁସାରେ, ନୀଳେଶ ଜୈସୱାଲ୍ ନାମରେ ଜଣେ ବ୍ୟବସାୟୀ ତାଙ୍କ ପୋଷା କୁକୁରକୁ ୪ ମାସ ପାଇଁ ‘ଆଲ୍ଫା ଡଗ୍ ଟ୍ରେନିଙ୍ଗ୍ ଆଣ୍ଡ୍ ବୋର୍ଡିଙ୍ଗ୍ ସେଣ୍ଟର୍’ରେ ଛାଡ଼ିଥିଲେ। ପୋଷା କୁକୁରକୁ ଘରକୁ ନେବା ପାଇଁ ଜୈସ୍ୱାଲ୍ ତାଲିମ କେନ୍ଦ୍ର ସହିତ ଯୋଗାଯୋଗ କରିବାରୁ ଉତ୍ତର ମିଳିଲା ତାଙ୍କ କୁକୁର ମରିଯାଇଛି। ଜୈଶ୍ୱାଲ୍ଙ୍କର ସନ୍ଦେହ ହେଲା ଓ ସେ ତାଲିମ କେନ୍ଦ୍ରର ‘ସିସିଟିଭି’ ଫୁଟେଜ୍ ଦେଖିବାକୁ ଦାବି କଲେ। ‘ଫୁଟେଜ୍’ରେ ଦେଖାଗଲା, ଖୁଶ୍ୱାହ୍, ତିୱାରୀ ଓ ଦାସ ସେ କୁକୁରକୁ ବାନ୍ଧି ଉପରକୁ ଟେକି ଫାଟକ ବା ଗେଟ୍ରେ ଝୁଲାଇ ଦେଉଛନ୍ତି। ମୁକୁଳିବାକୁ ପ୍ରାୟ ୧୦ ମିନିଟ୍ କାଳ କୁକୁରଟି ଟାଣି ଓଟାରି ହୋଇ ଶେଷରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରୁଛି।
ସବୁ ଦେଖି ଜୈସ୍ୱାଲ୍ ଥାନାରେ ଅଭିଯୋଗ କରିବାରୁ ଜୀବ ନିଷ୍ଠୁରତା ଓ ଅନ୍ୟାନ୍ୟ ଅଭିଯୋଗରେ ପୁଲିସ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ପୁଲିସକୁ କହିଛନ୍ତି ଯେ, କୁକୁରଟି ଖୁବ୍ ହିଂସ୍ର ହୋଇଯାଇଥିଲା। ତାଲିମ୍ର ଦେବା ପାଇଁ ସେମାନେ ତାକୁ ଫାଟକରେ ବାନ୍ଧିବାକୁ ଚେଷ୍ଟା କରୁଥିଲେ। କିନ୍ତୁ, ତା ବେକରେ ବନ୍ଧାଯାଇଥିବା ରଶି ଜାକି ହୋଇଯିବାରୁ ସେ ଅଚେତ ହୋଇଗଲା। ‘ଚେଷ୍ଟ୍ କମ୍ପ୍ରେସନ୍’ ଦେଇ ତାକୁ ବଞ୍ଚାଇବାକୁ ତାଲିମଦାତାମାନେ ଚେଷ୍ଟା କଲେ କିନ୍ତୁ, ସେ ବଞ୍ଚିଲା ନାହିଁ। ତା’ପରେ ତାକୁ ଜଣେ ପ୍ରାଣୀ ଚିକିତ୍ସକଙ୍କ ପାଖକୁ ନିଆଗଲା। ସେ ମୃତ ବୋଲି ସେମାନେ ଘୋଷଣା କଲେ।
ନୋଟିସ୍ ଦିଆଯାଇ ତିନି ଅଭିଯୁକ୍ତଙ୍କୁ ଜାମିନରେ ଛଡ଼ାଯାଇଛି।