ନୀତୀଶ ବିହାରରେ ଏନ୍ଡିଏର ଚେହେରା: ଅମିତ ଶାହ

ନୂଆଦିଲ୍ଲୀ: ଆଗାମୀ ବିହାର ବିଧାନସଭା ନିର୍ବାଚନରେ ନୀତୀଶ କୁମାର ହିଁ ଏନ୍ଡିଏର ଚେହରା ଏବଂ ତାଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ାଯିବ ହେବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ପାଟନାର ବାପୁ ଅଡିଟୋରିୟମରେ ସମବାୟ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶାହ କହିଛନ୍ତି, ଆଗାମୀ ନିର୍ବାଚନରେ ମୋଦୀ ଓ ନୀତୀଶଙ୍କ ନେତୃତ୍ୱରେ ସରକାର ଗଠନ କରାଯିବ। ବିହାରକୁ ବଦଳାଇବାରେ ନୀତୀଶ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ ବୋଲି ଶାହ କହିଛନ୍ତି। ୨୦୨୫ ନିର୍ବାଚନରେ ମେଣ୍ଟର ବହୁତ ବଡ଼ ବିଜ ହେବ ଏବଂ ଜେଡିୟୁ-ବିଜେପି ମିଳିତ ଭାବେ ବିହାରକୁ ବିକାଶ ପଥରେ ନେବେ ବୋଲି ଶାହ କହିଛନ୍ତି। ୨୦୨୫ରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ଏନ୍ଡିଏ ସରକାର ଗଠନ ହେବାନେଇ ସେ ଆଶାବାଦୀ ବୋଲି କହିଛନ୍ତି।
ଦୁଇ ଦିନିଆ ବିହାର ଗସ୍ତରେ ଥିବା ଶାହଙ୍କ ଏହି ବୟାନକୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିଛି। ଆରଜେଡି ମୁଖପାତ୍ର ଶକ୍ତି ସିଂହ ଯାଦବ କହିଛନ୍ତି ଯେ ବିଜେପି ଏବେ ନୀତୀଶଙ୍କୁ ନେଇ ନୂଆ ଚାଲ୍ ଖେଳୁଛି। ନୀତୀଶ କୁମାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର କୌଣସି ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ଆଜି ଆର୍ଜେଡିକୁ ଟାର୍ଗେଟ କରି ଶାହ କହିଛନ୍ତି ଯେ ବିହାରରେ ଲାଲୁ ଓ ରାବଡ଼ି ଦେବୀଙ୍କ ସରକାର ଥିବା ବେଳେ ଜଙ୍ଗଲରାଜ ଚାଲିଥିଲା। ଏମାନେ ବିହାରକୁ ନଷ୍ଟ କରିଛନ୍ତି। ଏନ୍ଡିଏ ସରକାର ଗଠନ ହେବାମାତ୍ରେ ବିଜେପି ଓ ଜେଡିୟୁ ମିଶି ବିହାରର ଚେହେରା ବଦଳାଇ ଦେଇଥିଲେ। ୧୯୯୦ରୁ ୨୦୦୫ ପର୍ଯ୍ୟନ୍ତ ଲାଲୁ-ରାବଡ଼ି ଶାସନ କାଳରେ ହତ୍ୟା, ଲୁଟ୍, ଜାତିଗତ ହତ୍ୟାକାଣ୍ଡ ଓ ଦୁର୍ନୀତି ହିଁ ବିହାରର ପରିଚୟ ଥିଲା। ଲାଲୁ ଯାଦବ ଗୋଖାଦ୍ୟ ଦୁର୍ନୀତି କରି ଦେଶ ଓ ବିଶ୍ୱରେ ବିହାରକୁ ବଦନାମ କରିଛନ୍ତି। ନୀତୀଶ କୁମାରଙ୍କ ୨୦ ବର୍ଷ ଶାସନରେ ବିହାରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି ବୋଲି ଶାହ କହିଛନ୍ତି।