ଡେନମାର୍କର ରହସ୍ୟମୟ କାଠିଗଦା – Utkal Mail
ଡେନମାର୍କର ସାକସ୍କୋବିଙ୍ଗ ଅନ୍ତର୍ଗତ ହାଇଡ୍ସ୍କୋ ଜଙ୍ଗଲରେ ପଶୁ ପଶୁ ଏକ କାଠିଗଦା ଦୃଷ୍ଟି ଆକର୍ଷଣ କରିଥାଏ। ‘ଷ୍ଟିକ୍ହୋକନ୍’ ନାମକ ଏହି କାଠିଗଦାଟି ଅସଂଖ୍ୟ କାଟିର ସମାହାର ଛଡ଼ା ଆଉ କିଛି ନୁହେଁ। ତେବେ ସେଠାରେ ଏପରି କାଠିଗୁଡ଼ିକ ପଡ଼ି ରହିବା ପଛରେ ଏକ ଭୌତିକ କାହାଣୀ ରହିଛି। ସ୍ଥାନୀୟ ଲୋକେ ଯେବେ ଜଙ୍ଗଲ ଭିତରକୁ କୌଣସି କାମରେ ଯାଆନ୍ତି, ସେମାନେ କାହିଁ କେଉଁ କାଳର ଏହି ତିନି ମିଟର ଉଚ୍ଚ କାଠିଗଦାରେ ଖଣ୍ଡେ କାଠି ପକାଇବାକୁ ଭୁଲନ୍ତି ନାହିଁ। ସମସ୍ତଙ୍କର ଏକ ଧାରଣା ରହିଛି କି, ଏପରି କରିବା ଦ୍ବାରା ଉକ୍ତ ଜଙ୍ଗଲରେ ଏକଦା ହତ୍ୟାର ଶିକାର ହୋଇଥିବା ଜଣେ ବନପାଳଙ୍କ ଆତ୍ମାର କୁଦୃଷ୍ଟିରୁ ଦୂରେଇ ରହିହେବ। ସେଠାରେ ଏହି କାଠିଗଦା କେବେଠୁ ଆରମ୍ଭ ହେଲା, ତାହା ଅଜଣା।
ତେବେ ଷ୍ଟିକହୋକନ୍ ଗଦାଟି ଶତାବ୍ଦୀ ଶତାବ୍ଦୀର ପୁରୁଣା ବୋଲି ଅନୁମାନ କରାଯାଏ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଅଷ୍ଟାଦଶ ଶତାବ୍ଦୀ ବେଳେ ଉକ୍ତ ଜଙ୍ଗଲରେ ରହୁଥିବା ଜଣେ ନିଷ୍ଠୁର ବନପାଳଙ୍କୁ ଚୋରା କାଠ ବେପାରୀମାନେ ହତ୍ୟା କରି ଶବକୁ ସେଠାରେ ପକାଇଦେଇ ପଳାଇଥିଲେ। ବନପାଳଙ୍କ ମୃତ୍ୟୁରେ ନା କେହି ଦୁଃଖପ୍ରକାଶ କରିଥିଲେ ନା କେହି ଶବ ସତ୍କାର ପାଇଁ ଆଗେଇ ଆସିଥିଲେ! ତେବେ ସେହିବାଟେ ଗଲା ବେଳେ ଉକ୍ତ ଶବ ଉପରେ ସମସ୍ତେ ଖଣ୍ଡେ ଖଣ୍ଡେ କାଠି ପକାଇବା ଆରମ୍ଭ କରିଥିଲେ। ଏମିତି କରିବା ଦ୍ବାରା ଉକ୍ତ ବନପାଳଙ୍କ ପ୍ରେତାତ୍ମା ଜଙ୍ଗଲରେ ଉତ୍ପାତ କରିବା ଆରମ୍ଭ କରିଥିଲା ଏବଂ ତାହା ଦାଉରୁ ମୁକୁଳିବା ପାଇଁ ଶବ ଉପରେ କାଠି ଖଣ୍ଡିଏ ପକାଇବା ହିଁ ଏକମାତ୍ର ଉପାୟ ଥିଲା। ବର୍ଷ ବର୍ଷ ଧରି ଉକ୍ତ ଗଦାର ଆକାର ସେମିତି ସମାନ ରହିଆସିଥିବାରୁ ଏହା ସେହି ପ୍ରେତର କାର୍ଯ୍ୟ ବୋଲି ଲୋକେ ବିଶ୍ବାସ କରନ୍ତି।