୧୧ରେ‘ଆପ’ର ଜିଲାସ୍ତରୀୟ କର୍ମୀ ସମ୍ମିଳନୀ
ବାଲେଶ୍ୱର : ଓଡ଼ିଶାରେ ଆମ ଆଦମୀ ପାର୍ଟି (ଆପ) ସାଂଗଠନ ଆଗକୁ ନେବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରରେ ଦଳ ପକ୍ଷରୁ ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଥିବା ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ଜିଲ୍ଲା ସଭାପତି କୁମାର ସ୍ୱର୍ଣ୍ଣ ଭାରତ ମଲ୍ଲିକ ସୂଚନା ଦେଇଛନ୍ତି । ଆସନ୍ତା ୧୧ ତାରିଖରେ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପରେ ଆୟୋଜନ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ୮ଶହରୁ ଅଧିକ କର୍ମୀ ଯୋଗଦେବେ । ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଯୋଗଦେଇ କର୍ମୀମାନଙ୍କୁ ସାଂଗଠନିକ ମନ୍ତ୍ର ଦେବେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ବିଶେଷ କରି ବାଲେଶ୍ୱର ଜିଲାର ବିପର୍ଯ୍ୟସ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷି, ପରିବେଶ, ମହିଳା ସଶକ୍ତିକରଣ ଆଦି ସମସ୍ୟା ଉପରେ ରାଜନୈତିକ ପ୍ରସ୍ତାବ ଗ୍ରହଣ କରାଯିବ । ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କର ମେକ୍ ଇଣ୍ଡିଆ ନଂ୧ ବାର୍ତ୍ତାକୁ ଜିଲାର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ମଲିକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦଳର ଜିଲା ସମ୍ପାଦକ ନିକୁଞ୍ଜ ମହାନ୍ତି ଓ ଜିଲା ପର୍ଯ୍ୟବେକ୍ଷକ ସୁନୀଲ କୁମାର ଷଡ଼ଙ୍ଗୀ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।