ଶ୍ରୀକ୍ଷେତ୍ର ପାଲଟିଛି ଗୋପପୁର: ବକାସୁର ଏବଂ ଅର୍ଘାସୁର ବଧ କଲେ କୃଷ୍ଣ ବଳରାମ, ଆଜି କାଳୀୟଦଳନ ନୀତି

ପୁରୀ ୨୯/୦୮: ଶ୍ରୀକ୍ଷେତ୍ର ପାଲଟିଛି ଗୋପପୁର । କୃଷ୍ଣଙ୍କ ବାଲ୍ୟଲିଳାରେ ପୁଲକିତ ସାହି ଗଳିକନ୍ଦି । ଦାଣ୍ଡରେ ଗଡୁଛି ଶଗଡ଼ ଗାଡ଼ି । କୋଳି କିଣି ଖାଉଛନ୍ତି କୃଷ୍ଣ ବଳରାମ । ବକାସୁର ଓ ଅର୍ଘାସୁର ବଧ ମଧ୍ୟ କରୁଛନ୍ତି । ଗୋବତ୍ସାଙ୍କୁ ସାଙ୍ଗରେ ନେଇ ବଣଭୋଜି ବେଶରେ ବି ଉଭା ହେଉଛନ୍ତି । ମାନବୀୟ ଲୀଳାକୁ ନିଦର୍ଶନ ଦେଇ ଆସୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋପଲୀଳା ଦେଖିବା ସହ ଉତ୍ସବ ପାଳୁଛନ୍ତି ଶ୍ରୀକ୍ଷେତ୍ରବାସୀ ।ଏକାଦଶୀ ତିଥି ଗୁରୁବାର ମଙ୍ଗଳବାର ଠାକୁରଙ୍କ କାଳୀୟଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ଆଗତ ହେବ ।
କୃଷ୍ଣଜନ୍ମ, ନନ୍ଦୋତ୍ସବ ଓ ପୁତନା ବଧ ପରେ କଳା କାହ୍ନୁ ତାଙ୍କର ପରବର୍ତ୍ତୀ ଲିଳା ରଚିଛନ୍ତି । ଏହି କ୍ରମରେ ବୁଧବାର ବଣଭୋଜି ବେଶ, କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ କରାଯାଇଛି । ରତ୍ନ ସିଂହାସନରେ ଶ୍ରୀବିଗ୍ରହ ବଣଭୋଜି ବେଶରେ ଭକ୍ତ ବତ୍ସଳଙ୍କୁ ଦର୍ଶନ ଦେଇଛନ୍ତି । ଏଥିସହ କୋଳିବିକା ନୀତି ମଧ୍ୟ ପାଳିତ ହୋଇଛି । ଶ୍ରୀମନ୍ଦିର ସମ୍ମୁଖ ବଡ଼ ଛତା ମଠ ନିକଟରେ ଏହି ନୀତି ସଂପାଦିତ ହୋଇଥିଲା । ଏହି ନୀତି ପାଳନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ମହାପ୍ରଭୁଙ୍କ ଦୟଣା ମାଳି ସେବକ ବସନ୍ତ ମହାରଣାଙ୍କ କହିବା ମୁତାବକ, କୃଷ୍ଣ ବଳରାମ କିଭଳି ନନ୍ଦ ଗାଁରେ ଦାଣ୍ଡରୁ କୋଳିବାଲିଠାରୁ କୋଳି କିଣି ଖାଉଛନ୍ତି ତାହା ଏହି ନୀତିରେ ବର୍ଣ୍ଣନା ହୋଇଛି । କୋଳିବାଲି ବେଶଧାରୀଙ୍କଠାରୁ କୋଳି ନେଇ ଭିତରଛ ମହାପାତ୍ର ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ । ଗୁଆ କୋଳି ଓ କୋଳି ଗଛ ମଧ୍ୟ ଅର୍ପଣ କରାଯାଇଥିଲା । ଶ୍ରୀଯୁକ୍ତ ମହାରଣା ୮ ବର୍ଷ ଧରି ଏହି ସେବା କରି ଆସୁଥିବା ପ୍ରକାଶ କରିଛନ୍ତି ।
ଗୋପଲୀଳା କ୍ରମେ କୃଷ୍ଣ ଓ ବଳରାମ ଗୋବତ୍ସାଙ୍କୁ ସଙ୍ଗରେ ନେଇ ବନଭୋଜି ଉଦ୍ଦେଶ୍ୟରେ ଗମନ କରିଥିଲେ । ଏହାକୁ ସ୍ମରଣ କରି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନଭୋଜି ବେଶ ମଧ୍ୟ ଅନୁଷ୍ଠିତ ହୋଇଥିଲା । ରାତିରେ ଶ୍ରୀମନ୍ଦିରରେ ବକାସୁର ଓ ଅର୍ଘାସୁର ବଧ ନୀତି ସମ୍ପନ୍ନ ହୋଇଥିଲା । ବାଲିସାହିରୁ ବକାସୁର ବଧ ପ୍ରସ୍ତାବ ହୋଇଥିଲା । ଏଥିନିମନ୍ତେ ଜଣେ ବ୍ୟକ୍ତି ବକାଶୁର ବେଶରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ହରଚଣ୍ଡୀ ସାହିରୁ ଅର୍ଘାସୁର ବଧ ପ୍ରସ୍ତାବ ହୋଇଥିଲା । ବକାସୁର ଓ ଅର୍ଘାସୁର ବେଶ ଦେଖିବାକୁ ସାହି ବାସିନ୍ଦା ଅନେଇ ରହିଥିଲେ । ଅନେକ ବାହାର ଯାତ୍ରୀ ମଧ୍ୟ ଏହି ନୀତି ସଂପର୍କରେ ଜାଣିବାକୁ ଆଗ୍ରହ ଦେଖାଇଥିଲେ।