ଓଡିଶାରାଜନୀତି

ପଦ୍ମପୁର ହାତେଇବାକୁ କସରତ

ପଦ୍ମପୁରରେ ପ୍ରଚାର ଜମିଲାଣି। ମାଳ ମାଳ ନେତା ଡେରା ପକାଇଲେଣି। ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ପ୍ରଚାର ଜମୁଛି। ଶାସକ ଦଳର ମନ୍ତ୍ରୀ, ବିଧାୟକ ତ ଗାଁ ଜଗିଦେଲେଣି କହିଲେ ଭୁଲ୍ ହେବନି। ଏପଟେ କଂଗ୍ରେସର ଛାମୁଆ ନେତା ବି ପଦ୍ମପୁରରେ ଡେରା ପକାଇଲେଣି। ଆଉ ବିଜେପିର ବହୁ ହେଭିଓ୍ୱେଟଙ୍କ ଗସ୍ତରେ ପ୍ରଚାର ମୈଦାନ କମ୍ପିଲାଣି। ସେପଟେ ଏହାକୁ ତାଳ ଦେଇ ସିଇଓଙ୍କ ପାଖରେ ନିୟମିତ ପରସ୍ପର ବିରୁଦ୍ଧରେ ଆରୋପର ଅଭିଯାନ ଜାରି ରଖିଛନ୍ତି ଉଭୟ ବିଜେଡି ଓ ବିଜେପି।

ବିଶେଷ କରି ଶାସକ ଦଳ ଧାମନଗରରେ ଫେଲ୍ ମାରିବା ପରେ ପଦ୍ମପୁର ଆସନ ବଜାୟ ରଖିବାକୁ ବାଜି ଲଗାଇଦେଇଛି କହିଲେ ଭୁଲ୍ ହେବନି। ମାଳ ମାଳ ବିଧାୟକ, ଗଣ୍ଡା ଗଣ୍ଡା ମନ୍ତ୍ରୀ ପ୍ରଚାର ମୈଦାନରେ। ସଭା, ଶୋଭାଯାତ୍ରା କରି ବିଜେଡି ପ୍ରାର୍ଥୀ ବର୍ଷାଙ୍କ ଲାଗି ଭୋଟ ଭିକ୍ଷା କରୁଛନ୍ତି।  ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ଦାସ, ରୀତା ସାହୁ ପ୍ରମୁଖ ପଦ୍ମପୁର ବ୍ଲକରେ ପ୍ରଚାରର ମଙ୍ଗ ଧରିଛନ୍ତି। ନବୀନଙ୍କ ନାଁରେ ଭୋଟ ଆଉ ପଦ୍ମପୁରବାସୀ ବିକାଶ ଓ ସ୍ୱଛ ଶାସନକୁ ଆଧାର କରି ପୁଣି ବିଜେଡି ଉପରେ ଆସ୍ଥାପ୍ରକଟ କରିବେ ବୋଲି କହିଛନ୍ତି। ସେପଟେ ପଦ୍ମପୁର ଲକ୍ଷ୍ମୀ କଲ୍ୟାଣ ମଣ୍ଡପରେ ପିସିସି ସଭାପତିଙ୍କ ସମେତ ଅନେକ ତୁଙ୍ଗ ନେତା ଏକାଠି ହୋଇ ପଦ୍ମପୁରବାସୀ ସତ୍ୟଭୂଷଣଙ୍କୁ ସୁଯୋଗ ଦେବେ ବୋଲି ଦମ୍ଭୋକ୍ତି ବାଢିଛନ୍ତି। ସତ୍ୟଭୂଷଣ ବି ପାଇକମାଳ ବ୍ଲକରେ ଜୋରଦାର ପ୍ରଚାର କରିଛନ୍ତି। ଆଉ ବିଜେପି କହିଛି, ଧାମନଗରରେ ପରିବର୍ତ୍ତନ ହୋଇଛି। ପଦ୍ମପୁରରେ ବି ଏହି ଟ୍ରେଣ୍ଡ୍ ବଜାୟ ରହିବ।

ପଦ୍ମପୁରରେ ପ୍ରଚାର ସରଗରମ ଥିଲା ବେଳେ ଏପଟେ କିନ୍ତୁ ନିୟମିତ ବିଜେଡି ଓ ବିଜେପି ପରସ୍ପର ବିରୁଦ୍ଧରେ ସିଇଓଙ୍କ ପାଖରେ ନାନା ଅଭିଯୋଗ ଆଣି ଫେରାଦ୍ ହେବାରେ ଲାଗିଛନ୍ତି। ବିଜେପି ଅଭିଯୋଗ ଆଣିଛି କି, ଝାରବନ୍ଧ ବ୍ଲକରେ ନିର୍ଦ୍ଦିଷ୍ଟ କିଛି ପଞ୍ଚାୟତରେ ପୋଷ୍ଟାଲ ବାଲଟରେ ପୋଲିଂ ଆରମ୍ଭ ହୋଇଛି। ଏଥିରେ ବିଡିଓ ବିଜେଡି ପାଇଁ ପୋଲିଂ କରିଥିବାର ଭିଡିଓ ମିଳିଛି। ସେଠାରେ ରି ପୋଲିଂ ଦାବି ସହ ଆଇନଗତ ଆକ୍ସନ ଦାବି କରିଛି ବିଜେପି। ବିଜେଡି କହିଛି, ଦହିଗାଁ ସରପଞ୍ଚ ସଞ୍ଜୁ ବରିହାଙ୍କୁ ଆକ୍ରମଣ ହେବାର ୪୮ ଘଣ୍ଟା ବିତିଥିଲେ ବି ଆକ୍ସନ ହୋଇନି। ଏଭଳି ହିଂସାରୁ ବିଜେପି ନିବୃତ୍ତ ନ ରହିଲେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ସମ୍ଭବ ନୁହେଁ ବୋଲି ଆଶଙ୍କା କରି ସିଇଓଙ୍କୁ ଫେରାଦ୍ ହୋଇଛି ବିଜେଡି।

ପଦ୍ମପୁର ହାତେଇବାକୁ ଘମାସାନ କସରତ ଆରମ୍ଭ ହୋଇସାରିଛି। ପ୍ରଚାରକୁ ତାଳ ଦେଇ ଆରୋପ ପ୍ରତ୍ୟାରୋପ ରାଜନୀତିରେ କମ୍ପୁଛି ପଦ୍ମପୁର।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button