ନୌସେନାର ୮ ପୂର୍ବତନ କର୍ମଚାରୀଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ଭାରତର ଆବେଦନକୁ ଗ୍ରହଣ କଲେ କତର୍ ଅଦାଲତ – Utkal Mail
ଦୋହା: ଭାରତର ୮ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଦିଆ ଯାଇଥିବା ମୃତ୍ୟୁ ଦଣ୍ଡାଦେଶ ଉପରେ ଭାରତ ସରକାରଙ୍କ ଆବେଦନକୁ ଗୁରୁବାର ଦିନ କତର୍ର ଏକ ଅଦାଲତ ଗ୍ରହଣ କରିଥିବା କଥା ସେମାନଙ୍କ ପରିବାର ଲୋକଙ୍କସୂତ୍ରରୁ ସୂଚନା ପାଇ ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
କିନ୍ତୁ, ଏହି ସୂଚନାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏପର୍ଯ୍ୟନ୍ତ ଔପଚାରିକ ଭାବେ ସୁନିଶ୍ଚତ କରିନାହିଁ।
ସୂଚନା ସଂଗ୍ରହ କରାଯାଇଥିବା ସୂତ୍ର କହିଛି ଯେ, ଅଦାଲତ ଆବେଦନ ଗ୍ରହଣ କରିଛନ୍ତି। ଏହି ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବା ପୂର୍ବରୁ ଉକ୍ତ ଆବେଦନ ପତ୍ରରେ ଦର୍ଶାଯାଇଥିବା କଥା ଯାଞ୍ଚ କରାଯିବ। ତେଣୁ, ଆବେଦନର ଶୁଣାଣି ନିମନ୍ତେ ନୂଆ ତାରିଖ ଘୋଷଣା କରାଯିବ।
ସ୍ମରଣଯୋଗ୍ୟ, କତର୍ସ୍ଥିତ ‘କୋର୍ଟ ଅଫ୍ ଫାଷ୍ଟ୍ ଇନ୍ଷ୍ଟାନ୍ସ୍’ଦ୍ବାରା ବର୍ଷେ ଜେଲ୍ରେ ରହିବା ପରେ ଗତ ମାସରେ ୮ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା।
ସେ ୮ଜଣ ବ୍ୟକ୍ତି ହେଲେ, କ୍ୟାପ୍ଟେନ୍ ନବତେଜ ସିଂହ ଗିଲ୍, କ୍ୟାପ୍ଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପ୍ଟେନ୍ ସୌରଭ ବଶିଷ୍ଟ, କ୍ୟାଡର୍ ଅମିତ ନାଗପାଲ୍, କ୍ୟାଡର୍ ପୂର୍ଣ୍ଣେନ୍ଦୁ ତିୱାରି, କ୍ୟାଡର୍ ସୁଗୁଣକର ପାକାଲା, କ୍ୟାଡର୍ ସଞ୍ଜୀବ ଗୁପ୍ତା ଓ ନାବିକ ରାଗେଶ।
‘ଦାରା ଗ୍ଲୋବାଲ୍ ଟେକ୍ନୋଲୋଜି ଆଣ୍ଡ୍ କନ୍ସଲ୍ଟାନ୍ସି ସର୍ଭିସ୍’ ପାଇଁ କାର୍ଯ୍ୟ କରୁଥିବା ଉକ୍ତ ୮ ବ୍ୟକ୍ତି ଇସ୍ରାଏଲ୍ ତରଫରୁ ଗୁପ୍ତଚରଗିରି କରୁଛନ୍ତି ବୋଲି ଦୋଷାରୋପ କରାଯାଇଥିଲା। ତେଣୁ, ୨୦୨୨ ଅଗଷ୍ଟରେ ସେମାନେ ଗିରଫ ହୋଇଥିଲେ।
ସେମାନଙ୍କୁ ‘କନ୍ସୁଲାର୍ ଆକ୍ସେସ୍’ (ରାଷ୍ଟ୍ରଦୂତଙ୍କ ସହିତ ଯୋଗାଯୋଗ କରିବା ସୁଯୋଗ) ମଞ୍ଜୁର କରାଇବା ପରେ ଭାରତୀୟ କର୍ତ୍ତୃପକ୍ଷମାନେ ସେମାନଙ୍କୁ ମୁକ୍ତ କରିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। ଦୀର୍ଘ ୨୦ ବର୍ଷ ଧରି ଏହି ୮ଜଣ ବ୍ୟକ୍ତି ଭାରତୀୟ ନୌସେନାରେ ବଡ଼ ନିଷ୍ଠାର ସହିତ ସେବା କରିଥିଲେ।