କ୍ରୀଡା

ଶୃଙ୍ଖଳା ପରାଜୟ ଏଡ଼ାଇବା ଆଶା

ଲମ୍ବୋ: ପ୍ରଥମ ଦିନିକିଆ ‘ଟାଇ’ ରହିବା ପରେ ଦ୍ବିତୀୟଟିରେ ଭାରତ ହାରିଯାଇଥିଲା। ଏବେ ଶୃଙ୍ଖଳା ପରାଜୟ ବିପଦର ଚାପ ପଡ଼ିଛି। ବୁଧବାର ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳିବ ରୋହିତ ଶର୍ମାଙ୍କ ଦଳ। ଭାରତ ଏହି ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରି ଆତ୍ମସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିବ।

ନଚେତ୍‌ ଏହି ଫର୍ମାଟରେ ବିଶ୍ବକପ୍‌ ଉପବିଜେତା ଭାରତ ଦୀର୍ଘ ୨୭ ବର୍ଷ ପରେ ଶ୍ରୀଲଙ୍କାଠାରୁ ଦ୍ବିପାକ୍ଷିକ ଶୃଙ୍ଖଳା ପରାଜୟର ଲଜ୍ଜା ବରଣ କରିବ। ଶେଷ ଥର ପାଇଁ ଭାରତ ୧୯୯୭ରେ ଦିନିକିଆ ଶୃଙ୍ଖଳା ହାରିଥିଲା। ଶ୍ରୀଲଙ୍କାରେ ଖେଳାଯାଇଥିବା ଏହି ଶୃଙ୍ଖଳାରେ ତତ୍‌କାଳୀନ ବିଶ୍ବବିଜେତା ଅର୍ଜୁନ ରଣତୁଙ୍ଗାଙ୍କ ଦଳ ୩-୦ରେ ସଚିନ ତେନ୍ଦୁଲକରଙ୍କ ବାହିନୀକୁ ଶୋଚନୀୟ ପରାଜୟର ବୋଝ ଲଦି‌ଦେଇଥିଲା। ଏହା ପରଠାରୁ ଉଭୟ ଦଳ ଘରେ ବାହାରେ ହୋଇ ମୋଟ ୧୧ଟି ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳିଛନ୍ତି। ପ୍ରତିଥର ନୀଳ ବାହିନୀ ବିଜେତା ହୋଇଛି। ଶ୍ରୀଲଙ୍କା ବିପକ୍ଷ ଶେଷ ୧୦ ଦିନିକିଆରେ ଭାରତ ମଧ୍ୟ ବିଜୟୀ ହୋଇଛି।

ପ୍ରଥମ ଦୁଇ ଦିନିକିଆରେ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟର୍‌ ନିରାଶ କରିଛନ୍ତି। ଏବେ ସସସ୍ତଙ୍କ ନଜର ରହିଛି ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟର୍ ବିରାଟ କୋହଲିଙ୍କ ଉପରେ। ଦୁଇଟି ମ୍ୟାଚ୍‌ରୁ ସେ ୩୮ ରନ୍ କରିଛନ୍ତି। ରନ୍ ଆପେକ୍ଷା ସେ ଯେଭଳି ଆଉଟ୍ ହେଉଛନ୍ତି ଦଳକୁ ଅଧିକ ଚିନ୍ତାରେ ପକାଇଛି। ଦ୍ବିତୀୟ ମ୍ୟାଚ୍‌ରେ ରୋହିତ ଶର୍ମା ଭଲ ଆରମ୍ଭ ଦେବା ସତ୍ତ୍ବେ କୋହଲି ଏହାକୁ ଆଗକୁ ‌ନେଇପାରି ନଥିଲେ। ପ୍ରଥମ ମ୍ୟାଚ୍‌ରେ ୱାନିନ୍ଦୁ ହସରଙ୍ଗା ଏବଂ ଦ୍ବିତୀୟରେ ତାଙ୍କୁ ଯୁବ ତାରକା ଜେଫ୍ରେ ଭଣ୍ଡାରସେଙ୍କ ସ୍ପିନ୍‌ ଜାଲରେ କୋହଲି ଫସିଯାଇଥିଲେ। କଲମ୍ବୋରେ ୪ଟି ଶତକ ହାସଲ କରିଥିବା କୋହଲିଙ୍କ ଅସହାୟ ବ୍ୟାଟିଂ ପ୍ରଶଂସକଙ୍କୁ ବି ନିରାଶ କରିଛି। ଉପଅଧିନାୟକ ଶୁବମନ ଗିଲ୍‌ଙ୍କ ସହିତ ଶିବମ ଦୁବେ ବି ଫାଇଦା ଉଠାଇ ପାରିନାହାନ୍ତି। ଋଷଭ ପନ୍ତ, ଶ୍ରେୟସ ଆୟର, କେଏଲ୍ ରାହୁଲଙ୍କ ଅଭିଜ୍ଞତା ବି ଦଳକୁ ପରାଜୟରୁ ରକ୍ଷା କରିପାରିନାହିଁ। ଭାରତୀୟ ବୋଲର ବି ଡେଥ୍ ଓଭର ବେଳକୁ ଲୟ ହରାଇବା ଅନ୍ୟତମ ଚିନ୍ତା ରହିଛି। କାରଣ ଏହି ଦୁଇ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୧୪୨/୬ ଓ ୧୩୬/୬ରେ ସୀମିତ ରଖିଥିଲେ ମଧ୍ୟ ସେମାନେ ଯଥାକ୍ରମେ ୨୩୦ ଓ ୨୪୦ ରନ୍ କରି ନେଇଥିଲେ।

କଲମ୍ବୋରେ ବୁଧବାର ବର୍ଷାର ପୂର୍ବାନୁମାନ ରହିଥିଲେ ମଧ୍ୟ ମ୍ୟାଚ୍‌ ସମ୍ପୂର୍ଣ୍ଣ ଧୋଇଯିବା ଭଳି ପରିସ୍ଥିତି ଆସିବ ନାହିଁ ବୋଲି କୁହାଯାଇଛି। ପିଚ୍‌ ପୂର୍ବ ଭଳି ସ୍ପିନରଙ୍କ ନିୟନ୍ତ୍ରଣରେ ରହିବ। ଚଳିତ ଶୃଙ୍ଖଳାରେ ସ୍ପିନରମାନେ ପ୍ରାୟ ଦୁଇଗୁଣାରୁ ଅଧିକ ବଲ୍ (୮୧୨ ବନାମ ୩୫୧) ବୋଲିଂ କରିଛନ୍ତି ପେସ୍‌ ବୋଲରଙ୍କ ତୁଳନାରେ। ୱି‌କେଟ୍ ଦଖଲରେ ମଧ୍ୟ ସ୍ପିନର୍‌ ପ୍ରାୟ ୪ ଗୁଣା (୨୯ ବନାମ ୮) ସଫଳ ଅଛନ୍ତି। ଏହି କାରଣରୁ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭଲ ବୋଲିଂ କରିଥିବା ଯୁବ ତାରକା ରିୟାନ ପରାଗଙ୍କୁ ଭାରତ ଖେଳାଇବାକୁ ବିଚାର କରୁଛି। ଏଭଳି ‌କ୍ଷେତ୍ରରେ ଶିବମ ଦୁବେଙ୍କୁ ବାହାରେ ବସିବାକୁ ପଡ଼ିବ।

ଭାରତ (ସମ୍ଭାବ୍ୟ ୧୧): ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ (ୱିକେଟରକ୍ଷକ), ଶିବମ ଦୁବେ/ରିୟାନ ପରାଗ, ଅକ୍ଷର ପଟେଲ, ୱାସିଂଟନ୍ ସୁନ୍ଦର, କୁଲଦୀପ ୟାଦବ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ।

ଶ୍ରୀଲଙ୍କା (ସମ୍ଭାବ୍ୟ ୧୧):ପଥୁମ ନିଶଙ୍କା, ଅଭିଷ୍କା ଫର୍ଣ୍ଣାଣ୍ଡୋ, କୁସାଲ ମେଣ୍ଡିସ (ୱିକେଟରକ୍ଷକ), ସଦିରା ସମରବିକ୍ରମା, ଚରିତ ଅସଲଙ୍କା (ଅଧିନାୟକ), ଜାନିତ ଲିୟାନାଗେ, ଦୁନିତ ୱେଲାଲଗେ, କାମିନ୍ଦୁ ମେଣ୍ଡିସ୍‌,‌ ଜେ‌ଫ୍ରେ ଭଣ୍ଡାରସେ, ଅକିଲ ଧନଞ୍ଜୟ, ଅସିତ ଫର୍ଣ୍ଣାଣ୍ଡୋ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button