ବରିଷ୍ଠ ସାମ୍ବାଦିକ ଗୋପୀନାଥ ରଣାଙ୍କ ପରଲୋକ
ବାଲେଶ୍ୱର,୧୪ା୯(): ଦୀର୍ଘଦିନ ଧରି କିଡ଼ନୀ ରୋଗରେ ପୀଡ଼ିତ ଥିବା ବରିଷ୍ଠ ସାମ୍ବାଦିକ ଗୋପୀନାଥ ରଣାଙ୍କର ୬୦ ବର୍ଷ ବୟସରେ ମଙ୍ଗଳବାର ବିଳମ୍ବିିତ ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ଖବର ପ୍ରଚାର ହୋଇଯିବା ପରେ ବୁଧବାର ସକାଳେ ବାଲେଶ୍ୱରର ସାମ୍ବାଦିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାଣିଖମ୍ବସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ବେଳକୁ ସହଧର୍ମିଣୀ ବବିତା ରଣା, କନ୍ୟା ପ୍ରାଚୀପ୍ରଭା ରଣା, ସୁଚିପଭା ରଣା, ଋଚିପ୍ରଭା ରଣା ଓ ସ୍ମୃତିପ୍ରଭା ରଣା, ସାନଭାଇ ଅଶୋକ ରଣା, ଭାଇବୋହୂ ବିନ୍ଦୁ ରଣା, ପୁତ୍ର ହିତେଶ ରଣା ଓ ଯୋଗେଶ ରଣା ପ୍ରମୁଖ ଉପସ୍ଥିତ ଥିଲେ ।ଏକ ଶୋକାକୁଳ ପରିବେଶ ମଧ୍ୟରେ ବାଲିଘାଟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପିତା ହରେକୃଷ୍ଣ ରଣା ଓ ମାତା ଭାଷାମଣିଙ୍କ ସୁପୁତ୍ର ଭାବେ ସେ ୧୯୬୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷାଗ୍ରହଣ ପରେ ଚାକିରି ପ୍ରତି ଆଗ୍ରହୀ ନହୋଇ ସାମ୍ବାଦିକତା ପ୍ରତି ମନ ବଳାଇଥିଲେ । ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିବା ସହ ଗତ କିଛିବର୍ଷ ଧରି ସେ ହିନ୍ଦୀ ନ୍ୟୁଜ ଚ୍ୟାନେଲ ‘ଆଜତକ’ର ବାଲେଶ୍ୱର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ଭଳି ଜଣେ ନିର୍ଭୀକ, ପରୋପକାରୀ, ଦରଦୀ ତଥା ମେଳାପୀ ବ୍ୟକ୍ତିତ୍ୱଙ୍କର ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।