ଓଡିଶା

ନଷ୍ଟ ହେଉଛି ମାନସିକ ନଡ଼ିଆ

ଭୁବନେଶ୍ୱର: ”ଯୁଆଡ଼େ ଯାଉଛୁ ଯା’ ଗାଡ଼ିବାଲା/ ନଡ଼ିଆ ମୋ ନେଇ ଯିବୁ/ ସମ୍ୱଲପୁର ଯାଉଥିଲେ ତାକୁ/ ମଙ୍ଗୁଳି ଛକରେ ଥୋଇବୁ…।” ବହୁ ଲୋକପ୍ରିୟ ଏ ଗୀତଠାରୁ ମା’ ତାରିଣୀ ଓ ତାଙ୍କପ୍ରତି ଭକ୍ତମାନଙ୍କର ବିଶ୍ୱାସ ବହୁଗୁଣରେ ଅଧିକ। ସାରାରାଜ୍ୟର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରତିଦିନ ମା’ତାରିଣୀଙ୍କ ନିକଟକୁ ମାନସିକ ନଡ଼ିଆ ପଠାନ୍ତି।

କିଛି ଲୋକ ରଖିଥିବା ମାନସିକ ପୂରଣ ପରେ ପଠାନ୍ତି ତ କିଛି ମାନସିକ କରି ନଡ଼ିଆ ପଠାନ୍ତି। କିଏ ଗୋଟିଏ ତ କିଏ ୧୧ଟି, ପୁଣି ଆଉକିଏ ୧୦୮ଟି ନଡ଼ିଆ ପଠାନ୍ତି। ସେମାନେ ନଡ଼ିଆରେ ଛିଟକନା ଗୁଡ଼ାଇ ସେଥିରେ ଗୁଆ, ଧୂପକାଠି ଏବଂ ଦକ୍ଷିଣା ଟଙ୍କା ବାନ୍ଧି ବସ୍‌ରେ ପଠାଇଥାନ୍ତି। ଗୋଟିଏ ସମୟ ଥିଲା, ଯେକୌଣସି ସ୍ଥାନରେ ଏମିତି ନଡ଼ିଆଟିଏ ଧରି ରାସ୍ତାରେ ହାତ ଟେକିଲେ ବସ୍‌ ରହିଯାଇ ନଡ଼ିଆ ନେଇ ଯାଉଥିଲା। ସେ ବସ୍‌ କେନ୍ଦୁଝର କି ଘଟଗାଁ ଯାଉନଥିଲେ ମଧ୍ୟ ନଡ଼ିଆ ନେଇ ତାହା କେମିତି ମା’ ତାରିଣୀଙ୍କ ପୀଠରେ ପହଞ୍ଚିବ, ସେ ବ୍ୟବସ୍ଥା କରୁଥିଲା।

ସେହିକ୍ରମରେ ଏବେ ମଧ୍ୟ ରାଜ୍ୟର ବିଭିନ୍ନ ସହରରୁ ବସ୍‌ରେ ପୁଳାପୁଳା ନଡ଼ିଆ ବରମୁଣ୍ଡା, ଫାୟାରଷ୍ଟେସନ, ସିଆର୍‌ପି, ନୂଆପଲ୍ଲୀ ଦୁର୍ଗାମଣ୍ଡପ ଛକ, ସତ୍‌ସଙ୍ଗବିହାର ଓ ରସୁଲଗଡ଼ ବସ୍‌ଷ୍ଟାଣ୍ଡରେ ଆସି ଜମାହେଉଛି। ସେସବୁ କେନ୍ଦୁଝର ଯାଉଥିବା ବସ୍‌ଗୁଡ଼ିକରେ ଘଟଗାଁ ଯିବା କଥା। କିନ୍ତୁ ଏବେ ଶହଶହ ନଡ଼ିଆ ବିଭିନ୍ନ ସ୍ଥାନରେ ମାସମାସ ଧରି ପଡ଼ିରହୁଛି, କିନ୍ତୁ ଗାଡ଼ିବାଲା ନେଉ ନାହାନ୍ତି। ସେ ନଡ଼ିଆସବୁ ଖୋଲାରେ ପଡ଼ି ନଷ୍ଟ ହେଉଛି। ଭକ୍ତଙ୍କ ଆସ୍ଥା, ବିଶ୍ବାସ ଓ ଭକ୍ତିର ପ୍ରତୀକ ଏ ନଡ଼ିଆସବୁ ଏମିତି ପଡ଼ିପଡ଼ି ନଷ୍ଟହେବା ଅନେକ ଶ୍ରଦ୍ଧାଳୁ ସହଜରେ ହଜମ କରି ପାରୁନାହାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button