ଧର୍ମ

ଧନୁ ସଂକ୍ରାନ୍ତି ସହ ପହିଲି ଭୋଗ ଏକ ତାତ୍ଵିକ ଆଲୋଚନା

ଧନୁ ସଂକ୍ରାନ୍ତି ସହ ପହିଲି ଭୋଗର ପରମ୍ପରା ଆରମ୍ଭ ଅତି ପ୍ରାଚୀନ। ଖାଲି ଶ୍ରୀମନ୍ଦିର ନୁହେଁ ସମସ୍ତ ଦେବାଳୟରେ ଏହି ପହିଲି ଭୋଗ ହୋଇଥାଏ। ଖାଇବା ଖୋଇବାର ସହର ପୁରୀ ରେ ପହିଲି ଭୋଗକୁ ଟିକିଏ ବ୍ୟାପକ ଅର୍ଥରେ ନିଆଯାଏ। ଏହା କେବଳ ସହଳ ହେଉଥିବା ମହାପ୍ରଭୁଙ୍କ ଧୂପ ନୁହେଁ ବରଂ ଏହା ଗୋଟିଏ ମାସ ଧରି ହେଉଥିବା ଏକ ଅଘୋଷିତ ଖାଦ୍ୟ ର ପର୍ବ।

ଲୋକକଥାନୁସାରେ ଧନୁ ସଂକ୍ରାନ୍ତି ରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମହାଲକ୍ଷ୍ମୀ ତାଙ୍କର ପିତ୍ରାଳୟ କୁ ଯାଇ ଥିବାରୁ ଜଗନ୍ନାଥଙ୍କ ମା ଙ୍କ ହାତରେ ରୋଷଘର ଥାଏ ଓ ସେ’ ତାଙ୍କ ପିଲା ମାନଙ୍କୁ ସହଳ ସହଳ ଖୁଆଇ ଦିଅନ୍ତି। ଶୀତ ଦିନରେ ଲମ୍ବା ରାତି ଯୋଗୁଁ ସକାଳୁ ଭୋକ ହେଉଥିବ ବୋଲି ଭାବନା ହେଉଛି ପହିଲି ଭୋଗ ପଛରେ ଥିବା ଲୋକକଥା।

ଗୋପାଳ ବଲ୍ଲଭ ସହ କିଛି ସ୍ଵତନ୍ତ୍ର ଖାଦ୍ୟ ଶ୍ରୀଜୀଉଙ୍କୁ ଭୋଗ ହୁଏ। ଅଟା,ବିରି,ଚୁଡା, ଗୁଡ଼,ନଡିଆ,ଘିଅ ରେ ହେଉଥିବା ଖାଦ୍ୟ ଏହି ଋତୁ ପାଇଁ ସ୍ଵାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ଓ ଏଥିପାଇଁ ଶୀତ ଦିନେ ଠାକୁରମାନଙ୍କୁ ରାତି ଅଧରୁ ଉଠିବାକୁ ମଧ୍ୟ ପଡେ। ସହଳ ପହୁଡ ଫିଟିଲେ, ରୋଷହୋମ ହେଲେ ସିନା ରୋଷଘରେ ରନ୍ଧା କାର୍ଯ୍ୟ ଆରମ୍ଭ ହେବ। ତେଣୁ ଏହି ମାସରେ ଶୀଘ୍ର ପହୁଡ଼ ଫିଟେ। ଏ ସବୁ ତଥ୍ୟ ଆପଣମାନେ ବହୁ ଆଲେଖ୍ୟ ରୁ ନିଶ୍ଚିତ ଭାବରେ ପଢିଥିବେ ଓ ଜାଣିଥିବେ। ମୁଁ ଆଉ ସେ ବିଷୟରେ ଅଧିକ କ’ଣ ଜାଣିଛି ଯେ ଲେଖିବି?

ଆମେ ତ ଜାଣିଛୁ , ପହିଲି ଭୋଗ ହେଲେ ଆମ ମହାପ୍ରଭୁ ଖାଇବେ ଓ ଆମେ ବି ଖାଇବୁ।

ସାଧାରଣ ଲୋକ ଶୀଘ୍ର ବାହାରୁଥିବା ଶଙ୍ଖୁଡ଼ି ଭୋଗ କୁ ପହିଲି ଭୋଗ ବୋଲି କହୁଥିଲେ ମଧ୍ୟ ପହିଲି ଭୋଗ ରେ ହେଉଥିବା ପିଠା ଇତ୍ୟାଦି ଏକ ନିର୍ଦ୍ଦିଷ୍ଟ ପରିମାଣ ରେ ଭୋଗ ହୋଇଥାଏ, ଯାହାକୁ ପାଇବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇ ନ ଥାଏ। ପୁରୀ ରେ ଜନ୍ମ ହୋଇ ଏ ଅଧମ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଭୋଗରୁ ବଞ୍ଚିତ ଅଛି। କିନ୍ତୁ ପହିଲି ଭୋଗ ସମୟର ଖେଚେଡ଼ି,ମୂଳା ରାଇତା, ଶିମ୍ବ ଓ ମୂଳା ପଡି ମହମହ ବାସୁଥିବା ଡାଲମା ସମସ୍ତେ ପାଇଥିବେ ଓ ତା’ର ସ୍ଵାତନ୍ତ୍ରତା ମଧ୍ୟ ଉପଲବ୍ଧି କରିଥିବେ। ଶୀତଦିନର କିଛି ନିର୍ଦ୍ଧିଷ୍ଟ ପରିବା ର ମହକ ରେ ମହକିଯାଏ ଆନନ୍ଦ ବଜାର। ଶୀତଦିନ ଆସିଗଲେ ମହାପ୍ରଭୁଙ୍କ ଖାଦ୍ୟ ଟିକିଏ ଅଲଗା ହେବା ସହ ଆମେ ମଧ୍ୟ ବିଭିନ୍ନ ଋତୁକାଳୀନ ପରିବା, ପିଠାପଣା,ମୁଆଁକୁ ଆମର ଖାଦ୍ୟ ଅଭ୍ୟାସ ରେ ଯୋଗ କରିଥାଉ।

ପୁରୀ ରେ ପହିଲି ଭୋଗର ଆସର ଆରମ୍ଭ ହୋଇଯାଏ ପ୍ରଥମ ଦିନରୁ। ଏହା ଏକ ମାସ ବ୍ୟାପି ପାଳିତ ହେଉଥିବା ଏକ ଖାଦ୍ୟ ଉତ୍ସବ କହିଲେ ଭୁଲ ହେବନାହିଁ ।

ଖାଦ୍ୟ ପ୍ରିୟ ପୁରୀଆ ନିଜ ସାହି, ଗଳିରେ ଥିବା ଠାକୁର, ଠାକୁରାଣୀ ଙ୍କ ପାଖରେ ଥରେ,ଯାଗା ଘରେ ଥରେ, ପରିବାର ସହ ଥରେ, ସାଙ୍ଗସାଥୀ,ସହପାଠୀ, ସହଯୋଗୀ ଙ୍କ ସହ ଥରେ , ଏମିତି କେତେଥର ଯେ ପହିଲି ଭୋଗ ର ଆସର ଜମାଏ,ତାର ହିସାବ ରଖିବା କଷ୍ଟ।

ଯେଗା (ଯାଗା ଘର) ମାନଙ୍କରେ ବି ପହିଲି ଭୋଗ ହୁଏ।ବିଶେଷ କରି ଖେଚେଡ଼ି,ମୁଗ ଖେଚେଡ଼ି,ବିରି ଖେଚେଡ଼ି,ସିମ ଖେଚେଡ଼ି,ଏକବର୍ଣ୍ଣୀ, କାନିକା, ମିଷ୍ଟାନ୍ନ, ବିରି ପିଠା ,କଦଳୀ ଭଜା,ନଡ଼ିଆ ବରା,ଡ଼ାଲେମା, ଶାଗ,ମୂଳା ରାଇତା(ଖଟା), ଖିରି ଏମିତି ଅନେକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୁଏ। ଯେଗା ଘରର ସମସ୍ତ ସଦସ୍ୟ ଏକାଠି ହୋଇ ଏହି ଆୟୋଜନ କରିଥାଆନ୍ତି।

ଏହି ସମୟରେ ପାହାନ୍ତି ମେଳା ମଧ୍ୟ ହୁଏ। ଏହାର ଅର୍ଥ ହେଲା, କାଉ କା’ କରିବା ପୂର୍ବରୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇ ଭୋଗ କରି ଖାଇବା।

ପହିଲି ଭୋଗ ର ଇତିହାସ ଓ ଧାର୍ମିକ ଭାବନାକୁ ବାଦ୍ ଦେଇ ଆମେ ଯଦି ଟିକିଏ ଭାବିବା, ତା’ହେଲେ ଏହି ପହିଲି ଭୋଗ ର ଆରମ୍ଭ ଓ ପ୍ରଚଳନ ଅତ୍ୟନ୍ତ ବୈଜ୍ଞାନିକ ମନେ ହୁଏ। ଆମର ସମସ୍ତ ପର୍ବପର୍ବାଣି ବିଜ୍ଞାନ ସମ୍ମତ।

ଶୀତ ଦିନରେ ଶୀଘ୍ର ଉଠିବା, ଶୀଘ୍ର ଗାଧେଇବା ଏବଂ ଋତୁ କାଳୀନ ପରିବା, ସାମଗ୍ରୀ କୁ ନିଜ ଦୈନନ୍ଦିନ ଖାଦ୍ୟ ରେ ଯୋଗ କରିବାର ଏକ ଅଭିନବ ଉପାୟ ହେଉଛି ଏହି ପହିଲି ଭୋଗ।

Related Articles

Leave a Reply

Your email address will not be published. Required fields are marked *

Back to top button