ଗଣମାଧ୍ୟମ ଓ ଜାତୀୟ ସଂହତି – Utkal Mail
ପ୍ରଦୋଷ ପଟ୍ଟନାୟକ
ଗଣତନ୍ତ୍ରକୁ ବିଶ୍ୱର ସର୍ବୋତ୍କୃଷ୍ଟ ଶାସନ ବ୍ୟବସ୍ଥା ଭାବରେ ବିବେଚନା କରାଯାଏ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ‘ଗଣ’ ବା ଜନସାଧାରଣ ହିଁ ହେଉଛନ୍ତି ସର୍ବୋଚ୍ଚ କ୍ଷମତାଧାରୀ ଏବଂ ସେମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କ ଜରିଆରେ ଶାସନ କାର୍ଯ୍ୟ ପରିଚାଳିତ ହୋଇଥାଏ। ତେଣୁ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଲୋକଙ୍କ ପାଇଁ, ଲୋକଙ୍କ ଦ୍ୱାରା ଓ ଲୋକଙ୍କର ଶାସନ ରୂପେ ବର୍ଣ୍ଣନା କରିଥିଲେ। ଗଣତନ୍ତ୍ରର ସଫଳ ରୂପାୟନ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଜନସାଧାରଣଙ୍କ ସ୍ୱରକୁ ପ୍ରଶାସନ ନିକଟରେ ପହଞ୍ଚାଇବା ସଙ୍ଗେସଙ୍ଗେ ପ୍ରଶାସନ ଓ ସରକାରଙ୍କ ସମସ୍ତ ଦୋଷତ୍ରୁଟିକୁ ନିର୍ଭୀକ ଭାବରେ ଲୋକଲୋଚନକୁ ଆଣି ସେ ସବୁକୁ ସୁଧାରିବା ଦିଗରେ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ପ୍ରମୁଖ ଭୂମିକା ନିର୍ବାହ କରିଥା’ନ୍ତି। ସେହି ଦୃଷ୍ଟିରୁ ଗଣମାଧ୍ୟମଗୁଡ଼ିକୁ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ‘ସଂଯୋଗର ସେତୁ’ ଆଖ୍ୟା ଦେଲେ କିଛି ଭୁଲ୍ ହେବନାହିଁ। ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥାରେ ସରକାର ଜନସାଧାରଣଙ୍କ ନିକଟରେ ଉତ୍ତର ଦାୟୀ ରହିଥା’ନ୍ତି। ସେହି ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିବା ଦିଗରେ ଗଣମାଧ୍ୟମ ସରକାରଙ୍କୁ ସଦାସର୍ବଦା ସଚେତନ କରାଇଥାଏ। ସେହିପରି ଜନସାଧାରଣଙ୍କୁ ମଧ୍ୟ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ସମ୍ପର୍କରେ ସଚେତନ କରାଇବାରେ ଗଣମାଧ୍ୟମ ନିଜର ଯଥାସାଧ୍ୟ ଭୂମିକା ତୁଲାଇଥାଏ। ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭଳି ଦାୟିତ୍ୱ ନିର୍ବାହ କରୁଥିବା ଗଣମାଧ୍ୟମର ସ୍ୱାଧୀନତା ଯଦି କ୍ଷୁଣ୍ଣ ହୁଏ, ତେବେ ଯେ କୌଣସି ସରକାର ଓ ପ୍ରଶାସନ ସ୍ୱେଚ୍ଛାଚାରୀ ବା ଏକଛତ୍ରବାଦୀ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। ସାଧାରଣତଃ ସ୍ୱେଚ୍ଛାଚାରୀ ଓ ଏକଛତ୍ରବାଦୀ ଶାସକମାନେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ଉଦ୍ୟମ କଲା ବେଳେ ପ୍ରଥମେ ଗଣମାଧ୍ୟମର ସ୍ୱରକୁ ଚପାଇ ଦେବା ପାଇଁ ଆଗଭର ହୋଇଥାନ୍ତି। ଗଣମାଧ୍ୟମର ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଯିବା ସଙ୍ଗେ ସଙ୍ଗେ ଶାସକ ଗୋଷ୍ଠୀ ବିରୋଧରେ ମତ ପ୍ରକାଶର ଅଧିକାରକୁ ସଙ୍କୁଚିତ କରାଯାଇଥାଏ। ଏହା ଫଳରେ ଜନସାଧାରଣଙ୍କ ଦୁଃଖଦୁର୍ଦ୍ଦଶା, ଶାସକ ବର୍ଗର ଶୋଷଣ ଓ ଅତ୍ୟାଚାରର ଚିତ୍ର ସାମନାକୁ ଆସିପାରେନାହିଁ। ବିଶ୍ୱ ଇତିହାସର ଅଧିକାଂଶ ଅତ୍ୟାଚାରୀ, ଏକଛତ୍ରବାଦୀ ଶାସକଙ୍କ କୋପଦୃଷ୍ଟିର ପ୍ରଥମ ଶିକାର ହୋଇଥାଏ ଗଣମାଧ୍ୟମ।
ପରାଧୀନ ଭାରତରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ଚାଲିଥିବା ସମୟରେ ଇଂରେଜ୍ ସରକାର ଗଣମାଧ୍ୟମର ସ୍ୱାଧୀନତାକୁ ଅପହରଣ କରିବା ପାଇଁ ପ୍ରୟାସ କରିଥିଲେ। ସେତେବେଳେ ବୈଦ୍ୟୁତିକ ଗଣମାଧ୍ୟମର ଯୁଗ ଆରମ୍ଭ ହୋଇନଥିଲା। ଯେଉଁ ସମ୍ବାଦପତ୍ରଗୁଡ଼ିକ ଜାତୀୟ ଭାବଧାରାର ପରିପ୍ରଚାର କରିବା ସଙ୍ଗେ ସଙ୍ଗେ ମୁକ୍ତି ସଂଗ୍ରାମକୁ ଆଗେଇ ନେବାରେ ସହଯୋଗ କରୁଥିଲେ, ସେମାନଙ୍କ କଣ୍ଠରୋଧ କରାଯାଉଥିଲା। ଦେଶର ଅନେକ ଜାତୀୟତାବାଦୀ ସମ୍ବାଦପତ୍ର କାର୍ଯ୍ୟାଳୟରେ ତାଲା ଝୁଲାଇ ଦିଆଯାଇଥିବା ବେଳେ ସେମାନଙ୍କ ସମ୍ପାଦକମାନଙ୍କୁ କାରାରୁଦ୍ଧ ହେବାକୁ ପଡ଼ିଥିଲା। ତେବେ ୧୯୪୭ ଅଗଷ୍ଟ ୧୫ ତାରିଖରେ ଦେଶରେ ସ୍ୱାଧୀନତାର ସୂର୍ଯ୍ୟ ଉଦିତ ହେବା ପରେ ଗଣମାଧ୍ୟମଗୁଡ଼ିକ ଅପହୃତ ଅଧିକାରକୁ ଫେରି ପାଇଥିଲେ। ନବ ଭାରତର ନିର୍ମାଣ, ବିକାଶ ଓ ପୁନର୍ଗଠନରେ ଗଣମାଧ୍ୟମ ଯଥାସାଧ୍ୟ ସହଯୋଗର ହାତ ବଢ଼ାଇଥିଲେ। ସ୍ୱାଧୀନ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କଲ୍ୟାଣମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଭାରତର ସୀମା ଆରପଟୁ ଶତ୍ରୁ ଦେଶର ଆକ୍ରମଣ ସମୟରେ ଦେଶାତ୍ମବୋଧକ ଭାବନା ଜାଗ୍ରତ କରାଇ ଜାତୀୟ ସଂହତି ଓ ଏକତାର ବନ୍ଧନକୁ ସୁଦୃଢ କରିବାରେ ଦେଶର ଗଣମାଧ୍ୟମଗୁଡ଼ିକର ଅବଦାନ କିଛି କମ୍ ନଥିଲା। ଏସବୁ ସମ୍ଭବପର ହୋଇଥିଲା ଗଣମାଧ୍ୟମଗୁଡ଼ିକ ଉପଭୋଗ କରୁଥିବା ଅଖଣ୍ଡ ସ୍ୱାଧୀନତା ଯୋଗୁଁ। ଭାରତରେ ରାଷ୍ଟ୍ରଶକ୍ତି କୌଣସି ସମୟରେ ଗଣମାଧ୍ୟମର ସ୍ୱାଧୀନତାକୁ କ୍ଷୁଣ୍ଣ ବା ଅପହରଣ କରିବାର ଅପଚେଷ୍ଟା କରିନାହିଁ। କେବଳ ୧୯୭୫ ମସିହାରେ ଜାରି ହୋଇଥିବା ଆଭ୍ୟନ୍ତରୀଣ ଜରୁରୀ ପରିସ୍ଥିତି ସମୟରେ ସ୍ୱଳ୍ପକାଳ ପାଇଁ ଗଣମାଧ୍ୟମର ସ୍ୱାଧୀନତା ଉପରେ ତତ୍କାଳୀନ ସରକାର ହସ୍ତକ୍ଷେପ କରିଥିଲେ ହେଁ ଜାଗ୍ରତ ଓ ସଚେତନ ଜନମତର ଚାପରେ ଗଣମାଧ୍ୟମ ଖୁବ୍ ଶୀଘ୍ର ନିଜର ଅଧିକାରକୁ ପୁନଃ ସାବ୍ୟସ୍ତ କରିଥିଲେ। ପ୍ରଶାସନର ଶୀର୍ଷ ସ୍ଥାନରେ ଅଧିଷ୍ଠିତ ଅଧିକାରୀମାନେ କୌଣସି ସମୟରେ କ୍ଷମତାର ଦୁରୁପଯୋଗ କରି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଥିବା ଘଟଣା ଗଣମାଧ୍ୟମର ଦୃଷ୍ଟିକୁ ଆସିବା ମାତ୍ରେ ଗଣମାଧ୍ୟମଗୁଡ଼ିକ ନିରବ ଦ୍ରଷ୍ଟା ନ ସାଜି ସତ୍ୟର ଉନ୍ମୋଚନ କରିବାକୁ ଆଗଭର ହୋଇଥାନ୍ତି। ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକର ନିର୍ଭୀକ ଲେଖନୀ ଚାଳନା ଏବଂ ଅନୁସନ୍ଧାନମୂଳକ ପ୍ରୟାସ ଯୋଗୁଁ ଅତୀତରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦୁର୍ନୀତିମୂଳକ କାର୍ଯ୍ୟକଳାପ ସାମନାକୁ ଆସିଥିବାର ଦୃଷ୍ଟାନ୍ତ ରହିଛି।
୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତରେ ସମ୍ବିଧାନର ପ୍ରଚଳନ ଆରମ୍ଭ ହେବା ସହିତ ଏହା ବିଧିବଦ୍ଧ ଭାବରେ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା। ଏହାପରେ ଗଣମାଧ୍ୟମର ଗୁରୁତ୍ୱ ଓ ପ୍ରାସଙ୍ଗିକତା ଅଧିକ ବୃଦ୍ଧି ପାଇଲା। ଗଣତନ୍ତ୍ରର ତିନିଟି ମୁଖ୍ୟ ସ୍ତମ୍ଭ କାର୍ଯ୍ୟପାଳିକା(ଏକ୍ଜିକ୍ୟୁଟିଭ୍), ବିଧାନପାଳିକା (ଲେଜିସ୍ଲେଟିଭ୍) ଓ ନ୍ୟାୟ ପାଳିକା (ଜୁଡିସିଆରି) ସହିତ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ରୂପେ ପରିଗଣିତ ହେବାକୁ ଲାଗିଲା। ଯଦିଓ ପ୍ରଥମ ତିନିଟି ସ୍ତମ୍ଭ ସାମ୍ବିଧାନିକ ସ୍ୱୀକୃତି ଓ ମାନ୍ୟତା ପାଇଛନ୍ତି ଏବଂ ଗଣମାଧ୍ୟମ ଗୋଟିଏ ସ୍ତମ୍ଭ ଭାବରେ ସାମ୍ବିଧାନିକ ସ୍ୱୀକୃତି ଲାଭ କରିନାହିଁ, ତଥାପି ଗଣତନ୍ତ୍ରର ସଫଳ ପ୍ରୟୋଗ ନିମନ୍ତେ ଏହାର ସର୍ବାଧିକ ଗୁରୁତ୍ୱ ଓ ଆବଶ୍ୟକତା ଥିବାରୁ ଏହା ଅଘୋଷିତ ଭାବରେ ଚତୁର୍ଥ ସ୍ତମ୍ଭରେ ପରିଣତ ହୋଇସାରିଛି। ଆଜିକାଲି ଗଣମାଧ୍ୟମର ସହଯୋଗ ବିନା ଗଣତନ୍ତ୍ରର କୌଣସି ଗୋଟିଏ ସ୍ତମ୍ଭ ମଧ୍ୟ ଠିକ୍ ଭାବରେ ଦାୟିତ୍ୱ ସମ୍ପାଦନ କରିବା ସମ୍ଭବପର ହେଉନାହିଁ। ଗଣତାନ୍ତ୍ରିକ ଶାସନର ସଫଳତା ସମ୍ପୂର୍ଣ୍ଣ ରୂପେ ଗଣମାଧ୍ୟମ ଉପରେ ନିର୍ଭରଶୀଳ ହୋଇଥିବାରୁ ଏହାର ସ୍ୱାଧୀନତା ଓ ମତପ୍ରକାଶର ଅଧିକାରକୁ ସମ୍ମାନ ଜଣାଇବା ରାଷ୍ଟ୍ରଶକ୍ତିର ପ୍ରଧାନ କର୍ତ୍ତବ୍ୟ। ଭାରତୀୟ ସମ୍ବିଧାନରେ ଗଣମାଧ୍ୟମର ସ୍ୱାଧୀନତାକୁ ମୌଳିକ ଅଧିକାର ତାଲିକାଭୁକ୍ତ କରାଯାଇନାହିଁ। ମାତ୍ର ସମ୍ବିଧାନର ଧାରା-୧୯ ଅନୁଯାୟୀ ସମସ୍ତଙ୍କୁ ସ୍ୱାଧୀନ ଭାବରେ ବକ୍ତବ୍ୟ ରଖିବା ଓ ମତ ପ୍ରକାଶ କରିବାର ଯେଉଁ ଅଧିକାର ପ୍ରଦାନ କରାଯାଇଛି, ତାହା ଗଣମାଧ୍ୟମର ସ୍ୱାଧୀନ ମତପ୍ରକାଶ କରିବାର ଅଧିକାରକୁ ହିଁ ଅଧିକ ବଳିଷ୍ଠ ଓ ପରିପୁଷ୍ଟ କରୁଛି। ନିକଟ ଅତୀତରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟରେ ସମ୍ବିଧାନର ଧାରା-୧୯କୁ ହିଁ ଗଣମାଧ୍ୟମର ସ୍ୱାଧୀନତାର ପ୍ରହରୀ ରୂପେ ବ୍ୟାଖ୍ୟା କରାଯାଇଥିଲା। ଗଣମାଧ୍ୟମର ସ୍ୱାଧୀନତା ବିପନ୍ନ ବା ଅପହୃତ ହେଲେ କୌଣସି ପରିସ୍ଥିତିରେ ଗୋଟିଏ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସୁପରିଚାଳିତ ହୋଇ ପାରିବ ନାହିଁ। ଏହାଦ୍ୱାରା ଦେଶର ନାଗରିକଙ୍କର ମୌଳିକ ଅଧିକାର ମଧ୍ୟ ବ୍ୟାହତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସବୁଦିଗରୁ ବିଚାର କଲେ ରାଷ୍ଟ୍ର ଓ ସମାଜର ବୃହତ୍ତର ସ୍ୱାର୍ଥ ସାଧନ ନିମନ୍ତେ ଗଣମାଧ୍ୟମର ଅଧିକାର ଓ ସ୍ୱାଧୀନତାକୁ ଅଗ୍ରାଧିକାର ଦେବାକୁ ପଡ଼ିବ।
ମୋ: ୯୮୬୧୦୨୬୬୪୦