ଓଡିଶା

ଆଜି ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ଅଵସରରେ ଶ୍ରୀଜିଉମାନଙ୍କ ତ୍ରିମୁଣ୍ଡିରେ ଲାଗିହେବ ମକରଚୂଳ

ପୁରୀ: ଆଜି ମକର ସଂକ୍ରାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ (ପତଳା ସୂତାର ଜାଲିକନା) ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ।

ଏହାପରେ କର୍ପୂର ଲାଗିହୋଇ ଶ୍ରୀବିଗ୍ରହ ମାନଙ୍କ ର ବେଶ ବଢ଼ିଥାଏ । ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତିଅଳଙ୍କାର ଲାଗି ହୋଇ ମକର ବେଶ ବଢ଼ିଥାଏ । ଘଣ୍ଟ, ଛତା, କାହାଳୀ ପଟୁଆର ସହିତ ତଳିଚ୍ଛୁ ଓ ପ୍ରଧାନୀ (ସେବକ)ଙ୍କ ହାତପୈଠ (ହାତୁଆଣୀ) ହୋଇ ରୋଷଘରଠାରୁ ଭୋଗ ଶ୍ରୀଛାମୁକୁ ଆସିଥାଏ । ଭୋଗଟେରା (ଭୋଗପୂଜା ସମୟରେ ସାଧାରଣ ଙ୍କ ପ୍ରବେଶ ନିରୋଧ କରିବାକୁ ଶ୍ରୀମନ୍ଦିର ଭିତର କଳାହାଟ ଦ୍ୱାର ସମ୍ମୁଖରେ ବନ୍ଧା ହେଉଥିବା କନା ର ଲୁଗା) ବନ୍ଧାହେବା ପରେ ଦିଗପାଳ ବଳି ନୀତି ହୋଇ ଥାଏ।ଭୋଗ ବଢ଼ିବା ପରେ ପାଣି ପଡ଼ି ଧୋପଖାଳ (ଲୋକମାନଙ୍କୁ ବାହାର କରାଯାଇ ଭୋଗ ବଢ଼ା ଯିବା ସ୍ଥାନ ଧୁଆଧୋଇ କରି ପରିଷ୍କାର କରାଯିବା) ହୋଇ ଟେରା ବନ୍ଧାଯାଏ।ଇତି ମଧ୍ୟରେ ମକର ଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘରକୁ ଗୋଦାମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧ ସରମାନ ଅଣାଯାଇଥାଏ। ହାଣ୍ଡି କୁଡ଼ୁଆ ଇତ୍ୟାଦି ସଜଡ଼ା ଯାଇଥାଏ। ସୁଦୁସୁଆର ସେବକ ଉପ- ରୋକ୍ତ ଦ୍ରବ୍ୟଗୁଡ଼ିକରେ ମକରଚାଉଳ ପ୍ରସ୍ତୁତକରି ରଖିଥାନ୍ତି ।

ଏହାପରେ ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ / ପନ୍ତିବଡ଼ୁ (ଶ୍ରୀଛାମୁରେ କୋଠଭୋଗ ବାଢ଼ିବା ସେବକ) ସେବକମାନେ ମୁହଁରେ ବାଘମୁହାଁ (ଭୋଗ ନେବାବେଳେ ପାଟିରୁ ଛେପ ନ ପଡ଼ିବା ପାଇଁ ମୁହଁରେ ବନ୍ଧାଯାଉଥିବା କନା) ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ତଳିଚ୍ଛୁ (ମହାନାୟକ ସେବକ ଓ ପରିଚ୍ଛାଙ୍କ ପ୍ରତିନିଧି)ଙ୍କ ସହ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ଶ୍ରୀଛାମୁରେ ପନ୍ତି ବାଢ଼ିଥାନ୍ତି ।

ଏହାପରେ ମହାଭୋଇ (ଶ୍ରୀମନ୍ଦିରର ମୁଖ୍ୟ ଗଉଡ଼ ସେବକ) ଦୁଧ, ଗୁଡ଼ିଆ ଶାକର ଓ ଣାସବୁକୁ ଉପ- ରୋକ୍ତ ପ୍ରକାରେ ଏକଥର ବଡ଼ଦେଉଳ ପରିକ୍ରମା କରି ଜୟବିଜୟ ଦ୍ୱାରଠାରେ ମହାସୁଆରଙ୍କ ଜିମା ଦେଲେ ମହାସୁଆର ତାକୁ ନେଇ ଛାମୁରେ ବାଢ଼ି ଥାଆନ୍ତି । ହଡ଼ପ ନାୟକ ସେବକ (ମହାପ୍ରଭୁଙ୍କ ପାଇଁ ବିଭିନ୍ନ ନୀତିରେ ରୂପାବଟାରେ ବିଡ଼ିଆପାନ ଯୋଗାଉଥିବା ସେବକ) ହଡ଼ପ (ଖିଲିପାନର ଉପ କରଣ) ଘରଠାରୁ ଘଣ୍ଟ, ଛତା, କାହାଳୀ ପଟୁଆର ରେ ମୁଖ୍ୟ ମନ୍ଦିର ଭିତର ବେଢ଼ାକୁ ଏକଥର ବୁଲି ଭୋଗ ବାଢ଼ିବା ନିମନ୍ତେ ମହାସୁଆରକୁ ଦେଇ ଥାଆନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button