କଂଗ୍ରେସର ସଙ୍କଟମୋଚକ ଖଡ଼ଗେ – Utkal Mail
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ୨୦୨୨ ଅକ୍ଟୋବର ୨୬ ତାରିଖରେ କଂଗ୍ରେସର ସଭାପତି ଭାବେ ଦାୟିତ୍ବ ନେଇଥିଲେ। ଆଜି ତାଙ୍କ କାର୍ଯ୍ୟକାଳକୁ ଠିକ୍ ବର୍ଷେ ପୂରିଛି। ଖଡ଼ଗେ ହେଉଛନ୍ତି କଂଗ୍ରେସର ସଙ୍କଟମୋଚକ। ଦଳରେ ବିଦ୍ରୋହୀ ନେତାମାନଙ୍କୁ ସନ୍ତୁଷ୍ଟ କରିବାରେ ଏବଂ ସେମାନଙ୍କ ମଧ୍ୟରେ ଏକତା ରକ୍ଷା କରିବା ହେଉଛି ତାଙ୍କର ଏକ ଅସାଧାରଣ ଦକ୍ଷତା। ରାଜସ୍ଥାନ ଏବଂ କର୍ଣ୍ଣାଟକରେ କ୍ଷମତା ପାଇଁ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ହୋଇଥିବା ତିକ୍ତ ଲଢ଼େଇକୁ ସମାଧାନ କରିବାରେ ଖଡ଼ଗେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ତାଙ୍କ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ବିବାଦ ସମସ୍ତେ ଜାଣନ୍ତି। ଖଡ଼ଗେ ରାଜସ୍ଥାନ ସଙ୍କଟର ସମାଧାନ ପାଇଁ ଘନ ଘନ ବୈଠକ କରିଛନ୍ତି। ସେ ରାଜସ୍ଥାନରେ ୫ଟି ବୈଠକ କରିଛନ୍ତି। ସମାଧାନରେ ପହଞ୍ଚିବାପାଇଁ ଖଡ଼ଗେ ମଧ୍ୟ ଉଭୟ ନେତାଙ୍କୁ ପୃଥକ୍ ଭାବେ ଡକାଇ ବୈଠକ କରିଥିଲେ ଏବଂ ପରିଶେଷରେ ସଙ୍କଟର ସମାଧାନ କରିଥିଲେ।
କର୍ଣ୍ଣାଟକରେ ମଧ୍ୟ ୨ ହେଭିୱେଟ୍ ନେତା ସିଦ୍ଦରମେୟା ଏବଂ ଡିକେ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କଡ଼ା ଟକ୍କର ଲାଗିଥିଲା। ଖଡ଼ଗେ ଉଭୟଙ୍କ ସହ ବୈଠକ କରିବାପରେ ନିଷ୍କର୍ସରେ ପହଞ୍ଚିଥିଲେ। ଶେଷରେ ସିଦ୍ଦରମେୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେଲେ ଏବଂ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେଲେ। ସେହିପରି ଜାତୀୟ ସ୍ତରରେ ଖଡ଼ଗେ ଏନ୍ଡିଏ ମେଣ୍ଟ ବିରୋଧରେ ବିରୋଧୀ ମେଣ୍ଟ ଗଠନ କରିବାରେ ସଫଳ ହୋଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ନେତା ମମତା ବାନାର୍ଜୀ ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ ସହ ମିଶି ଖଡ଼ଗେ ବିରୋଧୀ ଦଳମାନଙ୍କର ଏକ ମେଣ୍ଟ ଗଠନ କରିଛନ୍ତି। ଏହି ମେଣ୍ଟର ନାଁ ରହିଛି ଇଣ୍ଡିଆ ମେଣ୍ଟ। ଇଣ୍ଡିଆ ମେଣ୍ଟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। କିନ୍ତୁ ଆସନ ବୁଝାମଣା ନେଇ ଏଯାବତ କୌଣସି ଆଲୋଚନା ହୋଇନାହିଁ। ବିଭିନ୍ନ ବଡ଼ ରାଜ୍ୟରେ ଆସନ ବୁଝାମଣା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି। ୫ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ହେବାପରେ ଆସନ ବୁଝାମଣା ନେଇ ଆଲୋଚନା ହେବ ବୋଲି କୁହାଯାଉଛି। ଆସନ ବୁଝାମଣା କ୍ଷେତ୍ରରେ ମଧ୍ୟ ଖଡ଼ଗେଙ୍କ ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିବ। ଏଆଇସିସିର ୮୮ତମ ସଭାପତି ହେଉଛନ୍ତି ଖଡ଼ଗେ । ତାଙ୍କ ଆଗରେ ଅନେକ ଚାଲେଞ୍ଜ। ୮୧ ବର୍ଷୀୟ ଖଡ଼ଗେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏକୁ ହଟାଇବାପାଇଁ ଦୃଢ଼ ପ୍ରତିଶ୍ରୁତି ନେଇଛନ୍ତି। ୨୫ ବର୍ଷ ମଧ୍ୟରେ ଖଡ଼ଗେ ହେଉଛନ୍ତି ପ୍ରଥମ ଅଣ ଗାନ୍ଧି କଂଗ୍ରେସ ମୁଖ୍ୟ।