ଜାତିସଂଘରେ କାଶ୍ମୀରକୁ ଗାଜା ସହିତ ତୁଳନା କଲା ପାକିସ୍ତାନ: ଚେତାବନୀ ଦେଲା ଭାରତ – Utkal Mail
ନ୍ୟୁୟର୍କ: ଜାତିସଂଘ ସୁରକ୍ଷା ପରିଷଦରେ ଆଜି ମଧ୍ୟପ୍ରାଚ୍ୟ ସ୍ଥିତି ସଂକ୍ରାନ୍ତରେ ଆଲୋଚନା ସମୟରେ ପାକିସ୍ତାନର ଜଣେ ରାଷ୍ଟ୍ରଦୂତ କାଶ୍ମୀର ପ୍ରସଙ୍ଗ ଉଠାଇ କାଶ୍ମୀରକୁ ପାଲେଷ୍ଟାଇନର ଗାଜା ସହର ସହିତ ତୁଳନା କରିଥିବାରୁ ଭାରତ ତୀବ୍ର ପ୍ରତିବାଦ କରିଛି। ଆତଙ୍କବାଦୀଙ୍କୁ ସର୍ବଦା ସୁରକ୍ଷା ଦେଇଆସୁଥିବା ପାକିସ୍ତାନ ଏଭଳି କରି ଅନ୍ତର୍ଜାତୀୟ ସମୁଦାୟକୁ ବିଭ୍ରାନ୍ତ କରିବାକୁ ପ୍ରୟାସ କରୁଛି ବୋଲି ଭାରତ କହିଛି। ସୁରକ୍ଷା ପରିଷଦରେ ଇସ୍ରାଏଲ-ଗାଜା ସ୍ଥିତି ସଂକ୍ରାନ୍ତ ବୈଠକ ବେଳେ ପାକିସ୍ତାନ କୌଣସି ପ୍ରାସଙ୍ଗିକତା ନଥାଇ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା ଏବଂ କାଶ୍ମୀରକୁ ଗାଜା ସହିତ ତୁଳନା କରି ଭାରତ ଦମନ ନୀତି ଚଳାଇଛି ବୋଲି କହିଥିଲା। ପାକିସ୍ତାନର ଏଭଳି ବୟାନକୁ ଭାରତ ଏକ ଅବମାନନା ଭାବେ କରିଛି ଏବଂ ଏଭଳି ପ୍ରୟାସକୁ ଜୋରଦାର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି। ପାକିସ୍ତାନର ଜାତିସଂଘ ରାଷ୍ଟ୍ରଦୂତ ମୁନୀର ଆକ୍ରମ ଜାତିସଂଘ ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗ ଉଠାଇବାରୁ ଜାତିସଂଘକୁ ଭାରତର ଉପ ସ୍ଥାୟୀ ପ୍ରତିନିଧି ଆର୍ ରବୀନ୍ଦ୍ର ଏହାର ଜବାବ ଦେଇ ଏଭଳି ଟିପ୍ପଣୀ ରଖିଛନ୍ତି।
ରବିନ୍ଦ୍ର କହିଥିଲେ, ମୋର ଭାଷଣ ଶେଷ କରିବା ପୂର୍ବରୁ ମୁଁ ଏହା କହିବାକୁ ଚାହୁଛି ଯେ ଜଣେ ପ୍ରତିନିଧି ଅତ୍ୟନ୍ତ ଅଭ୍ୟାସଗତ ଭାବେ ମୋ ରାଷ୍ଟ୍ରର ଅବିଚ୍ଛେଦ୍ୟ ଅଂଶକୁ ନେଇ ଟିପ୍ପଣୀ ରଖୁଛନ୍ତି। ଏହି ଟିପ୍ପଣୀକୁ ମୁଁ ଏକ ଅବମାନନା ଭାବେ ଗ୍ରହଣ କରିବି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ କହିଥିଲେ ଯେ ସମସ୍ତ ପ୍ରକାରର ଆତଙ୍କବାଦ ହେଉଛି ବେଆଇନ। ଏହା ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୋଏବା ଦ୍ବାରା ହେଉ କି ହମାସ ଦ୍ବାରା ହେଉ। ସମସ୍ତ ଆତଙ୍କବାଦୀ କାର୍ଯ୍ୟକଳାପ ବେଆଇନ ବୋଲି ବ୍ଲିଙ୍କେନ କହିଥିଲେ। ଜାତିସଂଘ ସୁରକ୍ଷା ପରିଷଦର କୌଣସି ବି ସଦସ୍ୟ ସାଧାରଣ ଜନତାଙ୍କ ହତ୍ୟାକୁ ଆଦୌ ସହ୍ୟ କରିବେନି ବୋଲି ବ୍ଲିଙ୍କେନ କହିଛନ୍ତି।