ଓଡିଶା

ପ୍ରତୀକ୍ଷାର ଅନ୍ତ, ରଙ୍ଗେଇଲୁଣ୍ଡାକୁ ବିମାନ ସେବା ଆରମ୍ଭ

ବ୍ରହ୍ମପୁର: ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ଦିନର ଦାବି ଓ ଆଶା ପୂରଣ ହୋଇଛି। ବିଜୁ ବାବୁ ଜୟନ୍ତୀ ଭଳି ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଙ୍ଗେଇଲୁଣ୍ଡାକୁ ବିମାନ ଚଳାଚଳ ସେବାର ଶୁଭାରମ୍ଭ କରିଛନ୍ତି। ସର୍ବଦା ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣର ପରିବର୍ତ୍ତନ ଏବଂ ବିକାଶ ଉପରେ ଗୁରୁତ୍ୱାରୋପ କରି ଆସୁଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାୟୁ ସଂଯୋଗକୁ ବିକଶିତ କରିବା ଏବଂ ରାଜ୍ୟ ରାଜଧାନୀରୁ ଅନ୍ୟ ବଡ଼ ଅଞ୍ଚଳ ଏବଂ ସହରକୁ ବିମାନ ଯୋଗାଯୋଗ ବୃଦ୍ଧି ପାଇଁ ପ୍ରାଥମିକତା ଦେଇଛନ୍ତି। ସେହି କ୍ରମରେ ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା (ବ୍ରହ୍ମପୁର) ମାର୍ଗରେ ସମ୍ପୂର୍ଣ୍ଣ ରାଜ୍ୟ ପ୍ରାୟୋଜିତ ବିମାନ ସେବା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ରେଶମ ସହର ବ୍ରହ୍ମପୁର ସହ ମନ୍ଦିର ମାଳିନୀ ସହର ଭୁବନେଶ୍ୱର ମଧ୍ୟରେ ବାୟୁ ସଂଯୋଗ ହେବ ଯାହା ଯାତ୍ରା ସମୟକୁ ପ୍ରାୟ ତିନି ଘଣ୍ଟାରୁ ଏକ ଘଣ୍ଟାକୁ ହ୍ରାସ କରିବ।

ରଙ୍ଗେଇଲୁଣ୍ଡାକୁ ବିମାନ ଚଳାଚଳ ପାଇଁ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ଚିଲିକା ହ୍ରଦ, ତାମ୍ପରା ହ୍ରଦ, ଗୋପାଳପୁର ବେଳାଭୂମି, ଋଷିକୁଲ୍ୟା ନଦୀ, ତାରାତାରିଣୀ ମନ୍ଦିର ଇତ୍ୟାଦି ଆକର୍ଷଣୀୟ ସ୍ଥାନ ଏବଂ ପର୍ଯ୍ୟଟନସ୍ଥଳର ଉପସ୍ଥିତି ରଙ୍ଗେଇଲୁଣ୍ଡାରେ ବିମାନ ସଂଯୋଗ ପରେ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ବରିଷ୍ଠ ଡାକ୍ତର, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରଫେସର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଆଇଆରଇଏଲ, ଆଇଜର୍ ଶିକ୍ଷକ ଓ ବିଦ୍ୟାର୍ଥୀ ତଥା ଅଧିକାରୀ ଓ କର୍ମଚାରୀଙ୍କ ସମେତ ବ୍ରହ୍ମପୁର ସହରର ବ୍ୟବସାୟୀମାନେ ବାରମ୍ବାର, କମ୍ ସମୟରେ ଓ ସୂଚାରୁ ରୂପେ ବିମାନରେ ଯାଆସ କରିପାରିବେ। ପୂର୍ବରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପକୁ କେବଳ ଅତିଥିମାନଙ୍କ ଆଗମନ ସମୟରେ ବିମାନ ଚଳାଚଳ ପାଇଁ ବ୍ୟବହାର କରାଯାଉଥିଲା। ମେସର୍ସ ଇଣ୍ଡିଆ ୱାନ ଏୟାର୍ କମ୍ପାନୀର ୯ ସିଟ୍ ବିଶିଷ୍ଟ ବିମାନକୁ ବ୍ୟବହାର କରି ଏହି ମାର୍ଗରେ ବିମାନ ଚଳାଚଳ କରିବ।

ମୁଖ୍ୟମନ୍ତ୍ରୀ ସବୁବେଳେ ଓଡ଼ିଶାର ପ୍ରତିଟି କୋଣ ଅନୁକୋଣର ପରିବର୍ତ୍ତନ ଓ ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ରାଜଧାନୀକୁ ସଂଯୋଗ କରିବା ପାଇଁ ରଙ୍ଗେଇଲୁଣ୍ଡା ଠାରେ ଏକ ବିମାନ ବନ୍ଦର ନିର୍ମାଣ କରିବା ସ୍ଥାନୀୟ ଜନସାଧାରଣଙ୍କ ଏକ ଅତ୍ୟନ୍ତ ଆବଶ୍ୟକୀୟ ଆକାଂକ୍ଷା ଥିଲା ଯାହା ଏହି କ୍ଷେତ୍ରରେ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ। ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଗଣିତ ହେଉଥିବା ବେଳେ ଏହାର ଜନସଂଖ୍ୟା ଓ ଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି। ଏହି ମାର୍ଗରେ ବିମାନ ଚଳାଚଳ ଦ୍ୱାରା ଉଦ୍ୟୋଗ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ଏହାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ବା ଦକ୍ଷିଣ ଓଡ଼ିଶା ବାସିନ୍ଦାଙ୍କୁ ଆଜିର ଭଳି ଦିନରେ ଏହାକୁ ଭେଟି ଦେଇଛନ୍ତି।

ଭୁବନେଶ୍ୱର ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ଚଳାଚଳ ସେବାର ଶୁଭାରମ୍ଭ କରିଥିଲେ। ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍ ଠାରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ. ବିବେକ ରେଡ୍ଡୀ,  ଆରଡିସି ଟି.ଏ.ଆଓ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ଡା ସର୍ବଣା ବିବେକ ଏମ୍, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡଃ ଗୋପବନ୍ଧୁ ଦାଶଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button