ଦେଶ ବିଦେଶ

ସପା ନେତାଙ୍କୁ ବାନ୍ଧିଲା ଇଡି: ୭୪୫ କୋଟି ଟଙ୍କାର ବ୍ୟାଙ୍କ୍‌ ଜାଲିଆତି

ନୂଆଦିଲ୍ଲୀ/ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଓ ପୂର୍ବ ବିଧାୟକ ତଥା ଗୋରଖପୁର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦୀର୍ଘକାଳୀନ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ବିନୟ ଶଙ୍କର ତିୱାରୀଙ୍କ ସମେତ ଦୁଇଜଣଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଇଡି ପକ୍ଷରୁ ଜାରି ପ୍ରେସ୍‌ ବିବୃତି ଅନୁସାରେ, ଏପ୍ରିଲ୍‌ ୭ରେ ଲକ୍ଷ୍ନୌ, ଗୋରଖପୁର, ମହାରାଜାଗଞ୍ଜ ଓ ଉତ୍ତରପ୍ରଦେଶର ନୋଏଡା, ମୁମ୍ବାଇର ୧୦ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଆଜି ଗଙ୍ଗୋତ୍ରି ଇଣ୍ଟରପ୍ରାଇସେସ୍‌ର ମାଲିକ ବିନୟ ତିୱାରୀ ଓ କମ୍ପାନିର ପ୍ରମୁଖ ପରିଚାଳକ ଅଜିତ ପାଣ୍ଡେଙ୍କୁ ଗିରଫ କରାଯାଇଛି। ଲକ୍ଷ୍ନୌ ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟରେ ହାଜର ପରେ ପ୍ରଥମେ ସେମାନଙ୍କୁ ୧୪ ଦିନ ବିଚାରବିଭାଗୀୟ ହାଜତକୁ ପଠାଯାଇଥିଲା।

ପରେ ଇଡିର ଅନୁରୋଧକୁ ଗ୍ରହଣ କରି ଉଭୟଙ୍କୁ ଏପ୍ରିଲ୍‌ ୧୧ ତାରିଖ ଯାଏଁ ଇଡି ହେଫାଜତ ନିମନ୍ତେ କୋର୍ଟ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ଗଙ୍ଗୋତ୍ରୀ ଇଣ୍ଟରପ୍ରାଇସେସ୍‌ ବିଗତ ଦିନରେ ଉତ୍ତରପ୍ରଦେଶ ସରକାରଙ୍କ ବିଭିନ୍ନ ଠିକା କାର୍ଯ୍ୟ କରୁଥିଲା। କମ୍ପାନିର ମାଲିକ ବିନୟ ତିୱାରୀ, ଏହାର ନିର୍ଦ୍ଦେଶକ, ସେୟାର୍‌ହୋଲ୍‌ଡର ଓ ଗାରେଣ୍ଟରମାନେ ମିଶି ୭୫୪ କୋଟି ଟଙ୍କାର ବ୍ୟାଙ୍କ୍‌ ଜାଲିଆତି କରିଥିଲେ। ଏନେଇ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ଏହା ଭିତ୍ତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପିଏମ୍‌ଏଲ୍‌ଏରେ ଆଉ ଏକ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଞ୍ଜିନିବେଶ, ସୁଧମୁକ୍ତ ଋଣ ଓ ଅଗ୍ରିମ ଆକାରରେ ବ୍ୟାଙ୍କରୁ ୭୪୫ କୋଟି ଟଙ୍କା ଉଠାଇ କମ୍ପାନିର ଲାଭାର୍ଥୀମାନେ ହଡ଼ପ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button