ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ୨ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦିଲ୍ଲୀସ୍ଥିତ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂଦେଓ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଓଡ଼ିଶାର ୨ ଉପମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ରାଜଘାଟ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସକାଳ ୯ଟାରେ ରାଜଘାଟରେ ପହଞ୍ଚି ମହାତ୍ମାଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।
ଆଜି ମୋହନଙ୍କ ଦିଲ୍ଲୀ ଗସ୍ତର ତୃତୀୟ ଦିନ। ଗତ ଦୁଇ ଦିନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନେକ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଆଜି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବେ। ୧୨ଟା ୪୦ରେ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିବା ପାର୍ଯ୍ୟକ୍ରମ ରହିଛି । ଅପରାହ୍ନ ଗୋଟାଏରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ସ୍ଥିତ ତ୍ୟାଗରାଜ ଜଗନ୍ନାଥ ମନ୍ଦିର ଯିବେ । ସନ୍ଧ୍ୟା ୬ଟାରେ ହଜଖାସ ଜଗନ୍ନାଥମନ୍ଦିରରେ ପ୍ରବାସୀ ଓଡ଼ିଆଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।


