ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆନ୍ତଃବିଦ୍ୟାଳୟ କବିତା ଆବୃତି ପ୍ରତିଯୋଗିତା
ସାଉଥବଲଣ୍ଡା,୨୩/୦୮/୨୨- ତାଳଚେର ବ୍ଲକ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ପକ୍ଷରୁ କବି ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜୟନ୍ତୀ ଅବସରରେ ଏକ ଆନ୍ତଃବିଦ୍ୟାଳୟ କବିତା ଆବୃତି ପ୍ରତିଯୋଗିତା କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଘରର ସଭାପତି ବିଭୂତି ଭୂଷଣ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବରେ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଓ ସମ୍ମାନୀତ ଅତିଥି ଭାବରେ କଳମଛୁଇଁ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ କୁନିଲତା ଦାସ ଯୋଗ ଦେଇ କବି ରାଧାମୋହନ ଗଡନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ସାହିତ୍ୟ ଘରର ସଭାପତି ବିଭୂତି ଭୂଷଣ ସାହୁ କବି ରାଧାମୋହନଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିବା ସହ ଆଧୁନିକ ଓଡିଆ କବିତା ସାହିତ୍ୟକୁ ସେ ଋଦ୍ଧିମନ୍ତ କରିଛନ୍ତି ବୋଲି କହିଥିଲେ । ଏହି ଅବସରରେ ଆଖପାଖ ଅଂଚଳର ପାଂଚଟି ବିଦ୍ୟାଳୟ ଯଥା ହିଙ୍ଗୁଳା ନୋଡାଲ ହାଇସ୍କୁଲ,କ୍ଷେମେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କଳମଛୁଇଁ ବାଳିକା ଉଚ୍ଚ ବିଦ୍ୟାଳୟ, ଗୋପାଳପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କୋଡିଏ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ରାଧାମୋହନ ଗଡନାୟକଙ୍କ କବିତାକୁ ଆବୃତି କରିଥିଲେ । ସାହିତ୍ୟ ଘରର ଯୁଗ୍ମ ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଚାରକ ଭାବରେ ସାହିତ୍ୟ ଘରର ଉପସଭାପତି କବି ଅନୀତା ପାଣି ଓ ଦିପ୍ତୀମୟୀ ସାହୁ ମୂଲ୍ୟାଙ୍କନ କରିଥିଲେ । ଏହି ପ୍ରତିଯୋଗିତାରେ ଈପ୍ସିତା ଦାସ ପ୍ରଥମ,ମିନୁରାଣୀ ସାହୁ ଦ୍ୱିତୀୟ ଓ ଜଗଦୀଶ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ ପ୍ରତିଯୋଗୀମାନଙ୍କୁ ସାହିତ୍ୟ ଘର ପକ୍ଷରୁ ମାନପତ୍ର ଓ ପୁସ୍ତକ ଦେଇ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଘରର ବରିଷ୍ଠ ସଦସ୍ୟ ବିଭୂତି ଭୂଷଣ ପାଣିଙ୍କ ସମେତ ଅନୁପମା ବଳ,ଅଭିଜିତ୍ ପ୍ରସାଦ ସାହୁ,ବବିତା ପଟ୍ଟନାୟକ,ଆଚାର୍ଯ୍ୟ ମଳୟ ଦାସ,ବୀରେନ୍ କୁମାର ପ୍ରଧାନ,ରବୀନ କୁମାର ବରାଳ,ଅନୀଲ କୁମାର ସାହୁ ଓ ବସନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ସାହିତ୍ୟ ଘରର ବରିଷ୍ଠ ସଦସ୍ୟ ବିଭୂତି ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।