ସିଜରିଆନ ଡେଲିଭେରିରେ ରେକର୍ଡ ଭାଙ୍ଗୁଛି ଓଡିଶା : ପ୍ରାକୃତିକ ଭାବେ ପ୍ରସବକୁ ଗୁରୁତ୍ଵ ନଦେଇ କାହିଁକି ଆପଣା ଯାଉଛି ଏଭଳି ପଦ୍ଧତି ?
ଭାରତ ଏବଂ ଓଡିଶାରେ ଦିନକୁ ଦିନ ସାଧାରଣ ପ୍ରସବ ଅପେକ୍ଷା ଅସ୍ତ୍ରୋପଚାର ଦ୍ଵାରା ପ୍ରସବ ସଂଖ୍ଯାରେ ବୃଦ୍ଧି ହେବାରେ ଲାଗିଛି । ଗ୍ରାମାଞ୍ଚଳ ଅପେକ୍ଷା ଖାସ କରି ସହରାଞ୍ଚଳରେ ଅସ୍ତ୍ରୋପଚାର ବଢିବା ଉଦବେଗର କାରଣ ସାଜିଛି । ଏଥିପାଇଁ ବର୍ତ୍ତମାନ ସରକାରୀ ହସ୍ପିଟାଲ ସମେତ ବେଶକାରୀ ହସ୍ପିଟାଲ ମାନଙ୍କରେ ମଧ୍ୟ ସିଜରିଆନ ଅଡିଟ କରାଯାଉଛି । ସିଜରିଆନ ଡେଲିଭେରିର ମାତ୍ରାକୁ 15 ପ୍ରତିଶତରେ ସୀମିତ ରଖିବା ପାଇଁ ପରାମର୍ଶ ଦେଇଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ WHO ।

କିନ୍ତୁ କେବଳ ଓଡିଶାର ଘରୋଇ ହସ୍ପିଟାଲ ମାନଙ୍କରେ ଏହି ହାର 70 ପ୍ରତିଶତରୁ ମଧ୍ୟ ଅଧିକ ଥିବା ଦେଖାଯାଇଛି । ଅସ୍ତ୍ରୋପଚାର ପ୍ରସବରେ ଓଡିଶା ରେକର୍ଡ ଭାଙ୍ଗିବାକୁ ଯାଉଛି । କେବଳ ଜଗତସିଂପୁର ଜିଲ୍ଲାର ତଥ୍ୟ ଉପରେ ନଜର ପକାଇଲେ, ଉଭୟ ସରକାରୀ ଏବଂ ବେସରକାରୀ ଗତ ତିନି ବର୍ଷ ମଧ୍ୟରେ ମୋଟ 29,740 ଶିଶୁ ଜନ୍ମ ହୋଇଛନ୍ତି । ଏଥିରୁ 12089 ଶିଶୁ ଅର୍ଥାତ 40 ପ୍ରତିଶତ ଶିଶୁଙ୍କ ଜନ୍ମ କେବଳ ସିଜରିଆନ ଡେଲିଭେରି ଦ୍ଵାରା ହୋଇଛି । କେବଳ ଘରୋଇ ହସ୍ପିଟାଲରେ 10840 ଶିଶୁ ଜନ୍ମ ହୋଇଥିବା ବେଳେ ଏଥିରୁ 8174 ଶିଶୁ ଅର୍ଥାତ 75 ପ୍ରତିଶତ ଶିଶୁ ସିଜରିଆନ ଦ୍ଵାରା ପ୍ରସବ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରାକୃତିକ ଉପାୟରେ ସାଧାରଣ ପ୍ରସବକୁ ଗୁରୁତ୍ଵ ଦିଆଯିବା ଉଚିତ । କେବଳ ଜଟିଳ ପରିସ୍ଥିତିରେ ସିଜରିଆନ ଡେଲିଭେରି କରା ଯାଇପାରେ । ତେବେ ଓଡିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି କିଛି ମାଗଣା ସ୍ୱାସ୍ଥ୍ୟ ସୁବିଧା ମିଳିବା ପରେ ସିଜରିଆନ ଡେଲିଭେରି ସଂଖ୍ୟା ବଢିଥିବା କୁହାଯାଉଛି ।




