ଦେଶ ବିଦେଶ

ନିଦ ହଜାଉଛି ଦରଦାମ୍: ୧୫ ମାସରେ ସର୍ବାଧିକ, ଖୁଚୁରା ମୁଦ୍ରାସ୍ଫୀତି ୭.୪୪%କୁ ବୃଦ୍ଧି – Utkal Mail


ଡାଲି, ସୁଜି, ମଇଦା, ଅଟା ଦାମ୍ ବଢ଼ୁଛି

ନୂଆଦିଲ୍ଲୀ/ ଭୁବନେଶ୍ବର: ହରଡ଼, ବୁଟ, ମଟର, ମୁଗ, ବିରି, ଗହମ, ଅଟା, ଚାଉଳ, ସୁଜି ଓ ଟମାଟୋ ‌ସମେତ ବିଭିନ୍ନ ପନିପରିବାର ଦାମ୍‌ରେ ହୋଇଥିବା ବୃଦ୍ଧି ସାଧା‌ରଣ ଲୋକଙ୍କ ନିଜ ହଜାଇଛି। ଖାଦ୍ୟ ସାମଗ୍ରୀ ଦରରେ ହୋଇଥିବା ବୃଦ୍ଧିର ପ୍ରଭାବ ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ଫୀତିରେ ପ୍ରତିଫଳିତ ହୋଇଛି। ଜୁଲାଇରେ ଏହି ମୁଦ୍ରାସ୍ଫୀତି ୭.୪୪ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ ‌ଧାର୍ଯ୍ୟ କରିଥିବା ୬ ପ୍ରତିଶତ ସୀମାକୁ ପୁଣି ଥରେ ଟପିଯାଇଛି। ଗତ ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୧ ପ୍ରତିଶତ ଥିଲା। ମାସକ ଭିତରେ ସେଥିରେ ବଡ଼ ଧରଣର ବୃଦ୍ଧି ହୋଇଛି। ଖୁଚୁରା ମୁଦ୍ରାସ୍ଫୀତି ୧୫ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଶେଷ ଥର ପାଇଁ ୨୦୨୨ ମେ’ରେ ଏହି ମୁଦ୍ରାସ୍ଫୀତି ହାର ୭.୭୯ ପ୍ରତିଶତ ଥିଲା। ଅନ୍ୟପକ୍ଷରେ ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୧.୩୬ ପ୍ରତିଶତ ରହିଛି।

ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀର ଖୁଚୁରା ଦାମ୍‌ରେ ବୃଦ୍ଧି ଉଭୟ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଦ ପୁଣି ହଜାଇବ। କାରଣ ଗତବର୍ଷ ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦରଦାମ୍‌ ବିରୋଧରେ ସେମାନେ ନିରନ୍ତର ଲଢ଼େଇ ଜାରି ରଖିଥିଲେ ମଧ୍ୟ ବିଶେଷ ସଫଳତା ପାଉନାହାନ୍ତି। କିଛି ଦିନ ତଳେ ସ୍ଥିତିରେ ସୁଧାର ଘଟିଥିଲା। ମାତ୍ର ଟମାଟୋ ଦାମ୍‌ ବଢ଼ିବା ଏବଂ ତାହାର ପ୍ରଭାବରେ ଅନ୍ୟାନ୍ୟ ପନିପରିବା ମହଙ୍ଗା ହେବା ପରେ ଲୋକମାନେ ପୁଣି ଥରେ ଦରଦାମ୍ ରାକ୍ଷାସ କବଳରେ ପଡ଼ିଛନ୍ତି। ସରକାରଙ୍କ ହାତରେ କୌଣସି ସାମଗ୍ରୀ ଦାମ୍‌ର ନିୟନ୍ତ୍ରଣ ନାହିଁ। ଏବେ ସବୁ କିଛି କର୍ପୋରେଟ୍ ଜଗତ ଦ୍ବାରା ପରିଚାଳିତ ହେଉଛି। କର୍ପୋରେଟ୍‌ ସଂସ୍ଥା ଯେବେ ଚାହିବେ ଲୋକମାନେ ଶସ୍ତାରେ ଏହି ସବୁ ସାମଗ୍ରୀ କିଣିପାରିବେ ବୋଲି ବ୍ୟବସାୟୀ କହୁଛନ୍ତି।
ଭୁବନେଶ୍ବରରେ ବର୍ତ୍ତମାନ ରାଉଳ କେଜି ୪୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଥିବା ବେଳେ ଗହମ କେଜି ୨୬-୩୦ ଟଙ୍କା, ହରଡ଼ ଡାଲି କେଜି ୧୩୦-୧୪୫ ଟଙ୍କା, ଅଟା କେଜି ୩୫-୪୦ ଟଙ୍କା, ବୁଟ ଡାଲି କେଜି ୬୬-୭୧ ଟଙ୍କା, ମଟର କେଜି ୫୫-୬୦ ଟଙ୍କା, ମୁଗ ଡାଲି କେଜି ୯୦-୧୦୦ ଟଙ୍କା ଏବଂ ବିରି କେଜି ୧୦୪ରୁ ୧୧୫ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ବିଭିନ୍ନ ସ୍ଥାନରେ ଖୁଚୁରା ମୂଲ୍ୟରେ ଆଉ କିଛି ଟଙ୍କାର ଅନ୍ତର ମଧ୍ୟ ଦେଖିବାକୁ ମିଳୁଛି। ଗତ ଜୁଲାଇ ଓ ଅଗଷ୍ଟର ଅଧିକାଂଶ ଦିନରେ ଏହି ସାମଗ୍ରୀଗୁଡ଼ିକର ଦାମ୍‌ରେ ବୃଦ୍ଧିର ଧାରା ଦେଖିବାକୁ ମିଳିଥିଲା। ଏବେବି ଡାଲି, ସୁଜି, ମଇଦା ଓ ଅଟା ଦାମ୍‌ ବଢ଼ୁଥିବା ବେଳେ ଚିନି ଦାମ୍‌ ଏକ ପ୍ରକାର ସ୍ଥିର ରହିଛି। ଖାଇବା ତେଲ କିନ୍ତୁ କିଛିଟା ନିୟନ୍ତ୍ରଣରେ ରହିଛି। ସୋରିଷ ତେଲ ଲିଟର ୧୧୫-୧୩୦ ଟଙ୍କା ଓ ସନ୍‌ଫ୍ଲାୱାର ତେଲ ୯୫-୧୦୫ ଟଙ୍କାରେ ବିକ୍ରି ହେଉଛି।

ସେହିପରି, ପନିପରିବା କ୍ଷେତ୍ରରେ ଟମାଟୋ ଦାମ୍ ଜୁଲାଇ ଶେଷ ଆଡ଼କୁ କେଜି ପିଛା ୨୫୦ ଟଙ୍କା ହୋଇଯାଇଥିଲା। ଏବେ ପାଇକାରୀ ବଜାରରେ ଟମାଟୋ କେଜି ୫୦ ଟଙ୍କା ଏବଂ ଖୁଚୁରା ବଜାରରେ ୭୦-୮୦ ଟଙ୍କାରେ ବିକ୍ରି ହେଉଛି। ପିଆଜର କେଜି ପିଛା ଦାମ୍ ବୃଦ୍ଧି ପାଇ ୩୦-୩୫ ଟଙ୍କା ହୋଇଯାଇଛି। ଆଳୁ କେଜି ୨୪ ଟଙ୍କା ହୋଇଗଲାଣି। କିଛି ଦିନ ପୂର୍ବେ ଆଳୁ କେଜି ୧୮ ଟଙ୍କା ଓ ପିଆଜ ୨୦ ଟଙ୍କାରେ ମିଳୁଥିଲା। ବାଇଗଣ କେଜି ଏବେ ୬୦-୭୦ ଟଙ୍କା ଥିବା ବେଳେ ପୋଟଳ କେଜି ୬୦-୭୦ ଟଙ୍କାରେ ବିକ୍ରି ହେଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button