ନୀତି

ପିଣ୍ତ-ବ୍ରହ୍ମାଣ୍ତ; ସାଧନାର ବ୍ୟାକରଣ: ବର୍ଣ୍ଣ ପରିଚୟ – Utkal Mail


ମହର୍ଷି ପତଞ୍ଜଳିଙ୍କ ଦ୍ୱାରା ବର୍ଣ୍ଣିତ ଯୋଗସୂତ୍ର ସାଂଖ୍ୟ ଦର୍ଶନର ପ୍ରତ୍ୟକ୍ଷ ଅନୁଭୂତି ଉପରେ ପର୍ଯ୍ୟବସିତ। ଥରେ ତାହାକୁ ବ୍ୟାକରଣର ଅନ୍ତଃଦୃଷ୍ଟିଦ୍ୱାରା ବୁଝିଗଲେ, ଧ୍ୟାନରେ ଅନୁଭବ କରିବା ସହଜ ହୁଏ। ଧ୍ୱନି ହେଉଛି ବ୍ୟାକରଣର ଆଦିତତ୍ତ୍ୱ। ଏହା ନିରାକାର ଓ ସର୍ବବ୍ୟାପକ। ଏହାର ଅନନ୍ତ ପ୍ରକାରର ରୂପାନ୍ତରିତ ରୂପ ସର୍ବତ୍ର ବିଦ୍ୟମାନ। ଧ୍ୱନିକୁ କେବଳ ଧ୍ୱନି ଭାବରେ ଅନୁଭବ କରିବା ଏକ ପାର୍ଥକ୍ୟହୀନ ବ୍ରାହ୍ମୀସ୍ଥିତିର ଦର୍ଶନ। କିନ୍ତୁ ଏହା ସାଧାରଣତଃ ସମ୍ଭବ ହୁଏ ନାହିଁ। ଆମେ ଧ୍ୱନିର ରୂପାନ୍ତରିତ ବିଭିନ୍ନତାକୁ ଅଧିକ ମହତ୍ତ୍ୱ ଦେଇଥାଉ। ତେଣୁ ଧ୍ୱନିର ଏକାତ୍ମତାକୁ ଅନୁଭବ କରିପାରି ନଥାଉ। ଠିକ୍ ସମାନ ଭାବରେ, ସୃଷ୍ଟିର ଅନନ୍ତ ଆଦିତତ୍ତ୍ୱର ଏକାତ୍ମତାର ଦର୍ଶନଠାରୁ ମଧ୍ୟ ଆମେ ଦୂରେଇ ରହୁ। କାରଣ ଆମେ ସୃଷ୍ଟିର ପାର୍ଥକ୍ୟ ଦର୍ଶନରେ ମଜ୍ଜି ରହୁ।

ଧ୍ୟାନ ସମୟରେ ସାଧକ ନିଜକୁ ବାହ୍ୟ ଅନୁଭବରୁ ଦୂରେଇ ରଖିବାପାଇଁ ଆଖି ବନ୍ଦ କରି ସ୍ଥିର ଓ ସୁଖ ଲାଗୁଥିବା ଆସନରେ ବସନ୍ତି। ଆଖିକୁ ବନ୍ଦ କରିବା ସହଜରେ ସମ୍ଭବ ହୁଏ; କିନ୍ତୁ ହାତର ବ୍ୟବହାର ବିନା କାନକୁ ବନ୍ଦ କରିବା ସମ୍ଭବ ହୁଏ ନାହିଁ। କାନକୁ ହାତଦ୍ୱାରା ବନ୍ଦ କଲେ ସ୍ଥିର ଓ ସୁଖ ଆସନସ୍ଥିତି ନଷ୍ଟ ହୁଏ। ତେଣୁ ଖୋଲା ରହିଥିବା କାନ ଦ୍ୱାରା ଅନୁଭୂତ ହେଉଥିବା ଧ୍ୱନିର ବିଭିନ୍ନତା ସାଧକଙ୍କ ଏକାଗ୍ରତାକୁ ବ୍ୟାହତ କରେ। ଧ୍ୟାନର ପ୍ରଚେଷ୍ଟା କରିଥିବା ସମସ୍ତ ସାଧକ ଜାଣନ୍ତି, ଯେ ଆଖି ଓ କାନ ବନ୍ଦ କରିଦେଲେ ମଧ୍ୟ, ମନରେ ଦୃଶ୍ୟ ଓ ଧ୍ୱନିର ବିଭିନ୍ନତାର ନୃତ୍ୟ ବଜାୟ ରହେ। ଧ୍ୱନିରହିତ ନିବୁଜ କୋଠରୀରେ ଥିଲେ ମଧ୍ୟ, ମନ ମଧ୍ୟରେ ଧ୍ୱନିର ବିଭିନ୍ନତା ସୃଷ୍ଟି ହୋଇ ଚାଲେ। ନିଜ ଭିତରେ ଅନୁଭୂତ ଏହି ଧ୍ୱନିର ବିଭିନ୍ନତା ମନର ବିକ୍ଷିପ୍ତତାର ଏକ ବିରାଟ କାରଣ। ଏହି ବିକ୍ଷିପ୍ତତାକୁ ଦୂର କରିପାରିଲେ, ଅନ୍ୟ ଇନ୍ଦ୍ରିୟ ଅନୁଭୂତ ପାର୍ଥକ୍ୟ ଦର୍ଶନରୁ ମୁକ୍ତି ପାଇବା ସମ୍ଭବ ହୁଏ। ପାର୍ଥକ୍ୟଦର୍ଶନ ନ କମିଲେ ଧ୍ୟାନରେ ଏକାଗ୍ରତା ବା ଏକାତ୍ମତାର ଅନୁଭବ ମିଳେ ନାହିଁ।

ଧ୍ୱନିର ବିଭିନ୍ନତାର କଳରବକୁ ଶାନ୍ତ କରିବାକୁ ହେଲେ ଏହାର ବିଭିନ୍ନତା ପଛର କାରଣ ଓ ପ୍ରକ୍ରିୟା ଅନୁଭବ କରିବାକୁ ହୁଏ। ଏହାହିଁ ହେଉଛି ଧ୍ୱନିର ବ୍ୟାକରଣ ଦର୍ଶନ। ଧ୍ୱନିର ବ୍ୟାକରଣର ଅନୁଭୂତି ସାଧକଙ୍କୁ ସର୍ବବ୍ୟାପକ ଏକାତ୍ମତା ବା ବ୍ରାହ୍ମୀସ୍ଥିତିର ଅନୁଭୂତିପାଇଁ ପ୍ରସ୍ତୁତ କରାଏ। ଧ୍ୱନିର ପ୍ରଥମ ବିଭାଜନ ହେଉଛି ବର୍ଣ୍ଣ, ଯାହା ବର୍ଣ‌୍ ଧାତୁରୁ ନିର୍ମିତ। ଏହି ଧାତୁର ଅର୍ଥ- ବିସ୍ତାର କରିବା ବା ପରିବ୍ୟାପ୍ତ ହେବା। ଏଠାରେ ମନେ ପକାଇବା ଉଚିତ୍ ଯେ ବ୍ରହ୍ମଶବ୍ଦର ଅର୍ଥ ବ୍ୟାପ୍ତି ବା ବୃଦ୍ଧି ପାଇବା। ବ୍ୟାକରଣ ଅନୁଯାୟୀ ଧ୍ୱନିର ପ୍ରଥମ ବିସ୍ତାର ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣ ଦ୍ୱାରା ସମ୍ଭବ ହୁଏ; ଯେଉଁଭଳି ଆଦିତତ୍ତ୍ୱର ବିସ୍ତୃତି ଆରମ୍ଭ ହୁଏ ପୁରୁଷ ଓ ପ୍ରକୃତି ତତ୍ତ୍ୱର ବିଭାଜନରୁ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button