ଦୁଇ ଜଣଙ୍କୁ ଧକ୍କା ଦେଇ ପୁଣି ବିବାଦକୁ ଆସିଲା ମୋ ବସ୍, ୨ ଜଣ ସସପେଣ୍ଡ

ଭୁବନେଶ୍ୱର: ଆଜିକାଲିର ‘ମୋ ବସ୍’ ଦୁର୍ଘଟଣା ଦେଖିଲେ ଲାଗୁଛି ସତେ ଯେମିତି ‘ମୋ ବସ୍’ ପଣ କରିଛି ଲୋକଙ୍କ ଜୀବନ ନେବା ପାଇଁ । ଦିନ କେଇଟା ଭିତରେ କେଉଁ ବାପା ମା କୋଳରୁ ଝିଅ ନେଲାଣି ତ କାହାର ଗୋଡ଼ ହାତ । ସେଦିନ ପାତ୍ରପଡା ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ନେବାର କେଇଟା ଦିନ ନପୂରୁଣୁ ପୁଣି ମାଷ୍ଟର କ୍ୟାଣ୍ଟିନ ନିକଟରେ ଦୁଇ ଜଣକୁ ଧକ୍କା ଦେଇଛି ‘ମୋ ବସ୍’ । ଅମାନିଆ ‘ମୋ ବସ୍’ । ସ୍ପିଡ୍ ଉପରେ ନାହିଁ ନିୟନ୍ତ୍ରଣ । କେତେବେଳେ କାର୍କୁ ଧକ୍କା ଦେଉଛି ତ ଆଉ କେତେବେଳେ କାହା ଉପରେ ମାଡି ଯାଉଛି ।
ଲଗାତାର କିଛି ଦିନ ହେବ ରାଜଧାନୀରେ ଏକପ୍ରକାର ଆତଙ୍କ ରଚୁଛି ‘ମୋ ବସ୍’ । ଆଉ ଏହାରି ଭିତରେ ପୁଣିଥରେ ‘ମୋ ବସ୍’ ଧକ୍କା । ଭୁବନେଶ୍ୱରରେ ଥିବା ମାଷ୍ଟର କ୍ୟାଣ୍ଟିନ ଛକଠାରେ ଘଟିଛି ଏଭଳି ଏକ ଘଟଣା । ପୁରୀର ରଞ୍ଜିତ ବେହେରା ଓ ତାଙ୍କ ପରିବାର ସମେତ ଜଣେ ରାଜମିସ୍ତ୍ରୀ ହୃଦାନନ୍ଦ ମହାନ୍ତି ମାଷ୍ଟର କ୍ୟାଣ୍ଟିନ ରେଲୱେ ଷ୍ଟେସନ ବସ ଷ୍ଟପରେ ଠିଆ ହୋଇଥିଲେ । ରଞ୍ଜିତ ଓ ହୃଦାନନ୍ଦ ପୁରୀ ଯାଇଥିଲେ । ପୁରୀରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ମାଷ୍ଟର କ୍ୟାଣ୍ଟିନ ଛକରେ ନିଜ ଘରକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ ।
ଏହି ସମୟରେ ପଛ ପଟୁ ହଠାତ ବିନା କୌଣସି ହର୍ଣ୍ଣରେ ମାଡି ଆସିଥିଲା ୨୩ ନମ୍ବର ରୁଟର ମୋ ବସ । ଯାହାଫଳରେ ସାମ୍ନାରେ ଠିଆ ହୋଇଥିବା ହୃଦାନନ୍ଦ ମହାନ୍ତି ଓ ରଞ୍ଜିତ ବେହେରାଙ୍କ ଦେହରେ ପିଟି ହୋଇଥିଲା ଫଳରେ ସେମାନଙ୍କ ଦେହରେ ଗଭୀର ଆଘାତ ଲାଗିଛି । ରଞ୍ଜିତ ବେହେରାଙ୍କ ଗୋଡ଼ ମାଡ଼ ହୋଇଥିବା ବେଳେ ହୃଦାନନ୍ଦ ମହାନ୍ତିଙ୍କ ଅଣ୍ଟାରେ ଓ ବାଁ ପଟ କାନ୍ଧରେ ଗଭୀର ଆଘାତ ଲାଗିଛି । ଏବେ ଉଭୟ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜିକାଲି ବିଭିନ୍ନ ସ୍ଥାନରେ ‘ମୋ ବସ୍’ ଦୁର୍ଘଟଣା ଯେମିତି ଏକ ନିତିଦିନିଆ ଘଟଣା ପାଲଟିଗଲାଣି ।
କେଉଁଠି ମୋ ବସ୍ ଦୁର୍ଘଟଣା ନେଇ ଉତ୍ତେଜନା ତ ଆଉ କେଉଁଠି ମୋ ବସ୍ ଦୁର୍ଘଟଣା ପାଇଁ ଛାତ୍ରୀ ମୃତ୍ୟୁ । କେଉଁଠି ବୃଦ୍ଧ ଓ ମହିଳାଙ୍କ ଉପରେ ଚଢିଗଲାଣି ତ କେଉଁଠି ମୋ ବସରେ ନିଆଁ ଲଗାଇ ଦେଲେଣି ଲୋକେ । ମୋ ବସ୍ ଦୁର୍ଘଟଣାକୁ ଦିନକୁ ଦିନ ବାରମ୍ବାର ଅଭିଯୋଗ ପରେ ଫଳ ଶୂନ । ‘ମୋ ବସ୍’ ବାରମ୍ବାର ଏପରି ଦୁର୍ଘଟଣା ଘଟାଉଥିବା କାରଣରୁ ଏହାକୁ ଦୃଷ୍ଟିରେ ରଖି ଗାଡ଼ିର ବେଗ ୪୦ କିଲୋମିଟର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ‘ମୋ ବସ୍’ର ଉଭୟ ଡ୍ରାଇଭର ଏବଂ ଗାଇଡ଼ଙ୍କୁ ସସପେଣ୍ଡ କରାଯାଇଛି ।