ସ୍ୱାସ୍ଥ୍ୟ

ହୃଦରୋଗ ହେଲେ କେମିତି ଜାଣିବେ? ଡାକ୍ତର କହିଲେ ଲକ୍ଷଣ

ଦିନକୁ ଦିନ ହୃଦରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ପ୍ରତିଦିନ କେହିନା କେହି ହୃଦଘାତରେ ମୃତ୍ୟୁ ମୁଖରେ ପଡୁଛନ୍ତି। ଖରାପ ଜୀବନଚର୍ଯ୍ୟା ପାଇଁ ଏହି ରୋଗ ବ୍ୟାପୁଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ସଚେତନତା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ହୃଦ୍‌ଘାତ ପରି ମାରାତ୍ମକ ରୋଗ ସମ୍ପର୍କରେ ଆଗୁଆ କେମିତି ଜାଣିପାରିବେ ରୋଗ? କ’ଣ ତା’ର ଲକ୍ଷଣ? ଆସନ୍ତୁ ନଜର ପକାଇବା।

ହୃଦରୋଗ ବିଶେଷଜ୍ଞ ଡାକ୍ତର ଦୀପକ ଦାସଙ୍କ ମତରେ ହୃଦଘାତ ଜନିତ ଯନ୍ତ୍ରଣା ଛାତିର ମଧ୍ୟ ଭାଗରେ ବେଶୀ ହୋଇଥାଏ। ଯାହାକୁ ରେକ୍ଟ୍ରୋଷ୍ଟନାଲ୍‌ ବୋଲି କୁହାଯାଏ। ଯନ୍ତ୍ରଣା ବେଳେ ଅଣ ନିଃଶ୍ୱାସ ଲାଗିଥାଏ। ଛାତିରେ ନିଃଶ୍ୱାସ ବନ୍ଦ ହୋଇଗଲା ପରି ଲାଗିଥାଏ। ଛାତି ଭିତରେ କିଏ କୋରି ପକାଇଲା ଭଳି ଲାଗିବ। ଗୋଟିଏ ଭାରି ଜିନିଷ ଲଦି ହୋଇଗଲା ଭଳି ଲାଗିବ। ଧୀରେ ଧୀରେ ସେହି ଯନ୍ତ୍ରଣା ଦୁଇ ପାର୍ଶ୍ୱ କାନ୍ଧ ବା ବାମ ପାର୍ଶ୍ୱ ହାତକୁ ଯାଇପାରେ। ଆଉ କେତେକ କ୍ଷେତ୍ରରେ ଯନ୍ତ୍ରଣା ଗଳା କିମ୍ୱା ମାଢ଼ିକୁ ମଧ୍ୟ ଯାଇପାରେ। ଏହାଛଡ଼ା ଅନେକ କ୍ଷେତ୍ରରେ ଗମ୍‌ ଗମ୍‌ ହୋଇ ଝାଳ ବୋହିଥାଏ। କାହାର ମୁଣ୍ଡା ବୁଲାଇ ଦେଲା ଭଳି ଲାଗିଥାଏ। ଆଉ କାହାକୁ ବାନ୍ତି ହୋଇପାରେ। ଏଭଳି ସଙ୍କେତ ଆସିଲେ, ସେମାନେ ଅଧିକ ସତର୍କ ହୋଇଯିବା ଦରକାର। ସମୟ ନଷ୍ଟ ନକରି ଡାକ୍ତରଙ୍କ ପରାମର୍ଶ ନେବା ଦରକାର ବୋଲି ହୃଦରୋଗ ବିଶେଷଜ୍ଞ କହିଛନ୍ତି।

ସୂଚନାରୁ ପ୍ରକାଶ, ଆଜି ଏକ ପର୍ଯ୍ୟଟନ ବସ୍‌ର ଡ୍ରାଇଭରଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ବସ୍‌ଟି ପଶ୍ଚିମବଙ୍ଗରୁ ବାଲେଶ୍ୱର ଜିଲ୍ଲା ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ପଞ୍ଚଲିଙ୍ଗେଶ୍ୱର ଆସିଥିଲା। ବସ୍‌ରେ ପ୍ରାୟ ୫୦ ପର୍ଯ୍ୟଟକ ଆସିଥିଲେ। ଆଜି ସକାଳେ ବସ୍‌ଟି ପଞ୍ଚଲିଙ୍ଗେଶ୍ୱର ରାସ୍ତାର ପାଟପୁର ଛକ ନିକଟରେ ଯାଉଥିବା ବେଳେ ହଠାତ୍‌ ଡ୍ରାଇଭରଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାସତ୍ତ୍ୱେ ସେ ଗାଡ଼ିଟିକୁ ନିୟନ୍ତ୍ରଣକୁ ଆଣି ସୁରକ୍ଷିତ ଭାବେ ଛିଡ଼ା କରାଇଥିଲେ। ତା’ପରେ ସେ ନିଜ ସିଟ୍‌ରେ ଟଳି ପଡ଼ିଥିଲେ। ଏହି ଘଟଣା ସମଗ୍ର ଜିଲ୍ଲାରେ ଚହଳ ପକାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button