କ୍ରୀଡା

ଆଜି ଯୁଗଳ ମୁକାବିଲା: ଇଂଲଣ୍ଡ-ବାଂଲାଦେଶ, ପାକିସ୍ତାନ-ଶ୍ରୀଲଙ୍କା – Utkal Mail


ନୂଆଦିଲ୍ଲୀ: ଚଳିତ ବିଶ୍ବକପ୍‌ରେ ମଙ୍ଗଳବାର ଯୁଗଳ ମୁକାବିଲା ହେବ। ପୂର୍ବାହ୍ନ ୧୦.୩୦ରେ ବିଜେତା ଇଂଲଣ୍ଡ ଭେଟିବ ବାଂଲାଦେଶକୁ ଏବଂ ଅପରାହ୍ଣ ୨.୩୦ରେ ଦୁଇ ଏସୀୟ ରାଷ୍ଟ୍ର ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ୍‌ ଧର୍ମଶାଳା ଏବଂ ଦ୍ବିତୀୟଟି ହାଇଦ୍ରାବାଦରେ ଖେଳାଯିବ। ପରାଜୟରୁ ବିଜେତା ଇଂଲଣ୍ଡ ଅଭିଯାନ ଆରମ୍ଭ କରିଥିଲା ବେ‌ଳେ ବାଂଲାଦେଶ ନିଜର ପ୍ରଥମ ମ୍ୟାଚ୍‌ରେ ସହଜ ବିଜୟ ପାଇଥିଲା। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠୁ ୯ ୱିକେଟ୍‌ରେ ହାରିଥିବା ଜୋସ ବଟ୍ଟଲରଙ୍କ ନେତୃତ୍ବାଧୀନ ବିଜେତା ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ ଆଶା ନେଇ ମଙ୍ଗଳବାର ଧର୍ମଶାଳାରେ ଓହ୍ଲାଇବ। ଦଳର ଅନେକ ଖେଳାଳି ଆଇପିଏଲ୍‌ ଖେଳୁଥିବାରୁ ଭାରତୀୟ ପିଚ୍‌ ସହ ପରିଚିତ। ହେଲେ ଧର୍ମଶାଳାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ସ୍ପିନର ମୁଜୀବ ଉର ରହମାନ ଫିଲ୍ଡିଂ ବେଳେ ଆହତ ହେବାରୁ ଆଫ୍‌ଗାନିସ୍ତାନ ମୁଖ୍ୟ ପ୍ରଶିକ୍ଷକ ପ୍ରଶ୍ନ ଉଠାଇଥିଲେ। ତେଣୁ ପିଚ୍‌କୁ ନେଇ ଇଂଲଣ୍ଡ ଦ୍ବନ୍ଦ୍ବରେ ରହିଛି। ତେବେ ପ୍ରଥମ ମ୍ୟାଚ୍‌ରେ ୨୮୨ ରନ୍‌ର ବଡ଼ ସ୍କୋର୍‌ କରିବା ସତ୍ବେ ନ୍ୟୁଜିଲାଣ୍ଡ ମାତ୍ର ଗୋଟିଏ ୩୭ ଓଭରରେ ଜିତି ନେବାରୁ ଇଂଲଣ୍ଡ ବୋଲର ବାଂଲାଦେଶ ବିପକ୍ଷରେ ଚାପରେ ରହିବାର ସମ୍ଭାବନା ରହିଛି। ଜୋ ରୁଟ୍‌, ଜନି ବେୟାରଷ୍ଟୋ ଓ ଅଧିନାୟକ ବଟ୍ଟଲର ଏହି ମ୍ୟାଚ୍‌ରେ ଭଲ ଯୋଗଦାନ ଦେଇଥିଲେ।

ବାଂଲାଦେଶ ବିପକ୍ଷରେ ଅଲ୍‌ରାଉଣ୍ଡର ବେନ୍‌ ‌ଷ୍ଟୋକ୍ସ ନ ଖେଳିବା ଆଶଙ୍କା ରହିଛି। ତେଣୁ ଷ୍ଟୋକ୍ସ ଓ ପିଚ୍‌କୁ ନେଇ ବଟ୍ଟଲର ଚିନ୍ତିତ ଅଛନ୍ତି। ଅନ୍ୟପକ୍ଷରେ ଧର୍ମଶାଳାରେ ଆଫ୍‌ଗାନିସ୍ତାନକୁ ହରାଇବାରୁ ଏହି ପିଚ୍‌ରେ ଆଉ ଏକ ବିଜୟ ଆଶାରେ ରହିଛି ବାଂଲାଦେଶ। ୩୬ ବର୍ଷୀୟ ଅଲ୍‌ରାଉଣ୍ଡର ସାକିବ ଅଲ୍‌ ହାସନ ଯେ କୌଣସି ଦଳ ପାଇଁ ଚିନ୍ତା। ତେବେ ଲିଟନ ଦାସ, ମେହିଦି ହାସନ ମିରାଜ ଓ ନଜମୁଲ ହୋସେନ ସାଣ୍ଟୋଙ୍କୁ ନେଇ ବ୍ୟାଟିଂ କ୍ରମ ଦୃଢ଼ ରହିଛି। ଆଫ୍‌ଗାନିସ୍ତାନ ବିପକ୍ଷ ଲୋ ସ୍କୋରିଂ ମ୍ୟାଚ୍‌ରେ ମିରାଜ ଓ ନଜମୁଲ ଅର୍ଦ୍ଧଶତକ ଅର୍ଜନ କରି ଦଳକୁ ବିଜୟ ଭେଟି ଦେଇଥିଲେ। ଇଂଲଣ୍ଡ ପସନ୍ଦର ଦଳ ହୋଇଥିଲେ ମଧ୍ୟ ବାଂଲାଦେଶକୁ ମ୍ୟାଚ୍‌ର ମୋଡ଼ ବଦାଳାଇବା କୌଶଳ ଜଣା ଅଛି। ତେଣୁ ଏହି ମ୍ୟାଚ୍‌ କଡ଼ା ସଂଘର୍ଷ ହେବାର ସମ୍ଭାବନା ରହିଛି।

ହାଇଦ୍ରାବାଦରେ ଦୁଇ ଏସୀୟ ରାଷ୍ଟ୍ର ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ କଡ଼ା ସଂଘର୍ଷ ହେବାର ସମ୍ଭାବନା ରହିଛି। ନେଦରଲାଣ୍ଡ୍‌ସକୁ ହରାଇ ପାକିସ୍ତାନ ଅଭିଯାନ ଆରମ୍ଭ କରିଛି। ହେଲେ ଶ୍ରୀଲଙ୍କା ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାଠୁ ହାରିଥିଲା। ନେଦରଲାଣ୍ଡ୍‌ସ ବିପକ୍ଷ ବିଜୟ ପାକିସ୍ତାନକୁ ସେଭଳି ଖୁସି ଦେଇନି। ତେଣୁ ଏହାର ବ୍ୟାଟର୍‌ଙ୍କୁ ଆହୁରି ଭଲ କରି‌ବାକୁ ପଡ଼ିବ। କିନ୍ତୁ ଶ୍ରୀଲଙ୍କା ସ୍ପିନର ଯେ କୌଣସି ବ୍ୟାଟର୍‌ଙ୍କୁ ଅସୁବିଧା‌ରେ ପକାଇବାରେ ମାହିର। ବାବର ଆଜମ ଓ ତାଙ୍କ ବ୍ୟାଟର୍‌ ସ୍ପିନର୍‌ଙ୍କୁ ଭଲ ଖେଳିପାରନ୍ତି। ହେଲେ ଦୁନିଥ ୱେଲାଲଗେଙ୍କ ନେତୃତ୍ବାଧୀନ ସ୍ପିନ୍‌ କ୍ରମକୁ କିଭଳି ମୁକାବିଲା କରିବେ ତାହା ଦେଖିବାର ଅଛି। ଆହତ ଯୋଗୁଁ ମହେଶ ତୀକ୍ଷଣା ଦିଲ୍ଲୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିପାରିନଥିଲେ। ସେ‌ ଫେରିଲେ ଶ୍ରୀଲଙ୍କାର ସ୍ପିନ୍‌ ବାହାନୀ ମଜବୁତ ରହିବ। ହାଇଦ୍ରାବାଦରେ ପାକିସ୍ତାନ ଦୁଇଟି ୱାର୍ମ ଅପ୍‌ ସହ ପ୍ରଥମ ମ୍ୟାଚ୍‌ ଖେଳି ଏହି ପଡ଼ିଆ ସହ ଅଭ୍ୟସ୍ତ ରହିଛି। ହେ‌ଲେ ଏହାର ବ୍ୟାଟର୍‌ ନେଦରଲାଣ୍ଡ୍‌ସ ବିପକ୍ଷରେ ଆରମ୍ଭରୁ (୩୮/୩) ସଂଘର୍ଷ କରିଥିଲେ। ‌ମଧ୍ୟକ୍ର‌ମରେ ମହମ୍ମଦ ରିଜୱାନ ଓ ସୌଦ ସକୀଲ ଅର୍ଦ୍ଧଶତକ ଅର୍ଜନ କରି ଦଳୀୟ ସ୍କୋର୍‌ ୨୮୬ରେ ପହଞ୍ଚାଇଥିଲେ। ଶ୍ରୀଲଙ୍କା ବିପକ୍ଷରେ ଦଳ ଏହାକୁ ଏଡ଼ାଇବାକୁ ଚେଷ୍ଟା କରିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button