୧ରେ ଠପ୍ ହୋଇଯିବ ଆମେରିକା: ପୁଣି ସଟ୍ଡାଉନ୍ ଆଶଙ୍କା – Utkal Mail
କର୍ମଚାରୀଙ୍କୁ ଦରମା ଦେଇପାରିବନି, ଋଣ ଶୁଝିପାରିବନି
ନୂଆଦିଲ୍ଲୀ/ଭୁବନେଶ୍ବର: ସରକାର ଚାଲିବା ଲାଗି ଯେଉଁ ପାଣ୍ଠି ଆବଶ୍ୟକ ତାହା ହାସଲ କରିବା ପାଇଁ ଆମେରିକା ସଂସଦରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ସହମତି ହୋଇପାରୁନାହିଁ। ସେପ୍ଟେମ୍ବର ୩୦ ସୁଦ୍ଧା ଏହି କାମ ସାରିବାକୁ ହେବ। ଯଦି ଆସନ୍ତାକାଲି ଏହାର ସମାଧାନ ବାଟ ବାହାରି ନପାରିବ ତେବେ ଅକ୍ଟୋବର ୧ରୁ ଆମେରିକା ଠପ୍ ହୋଇଯିବ। ଯଦି ସେଭଳି ସ୍ଥିତି ସୃଷ୍ଟି ହେବ ତେବେ ବିଶ୍ବବ୍ୟାପୀ ତାହାର ପ୍ରଭାବ ଦେଖିବାକୁ ମିଳିବ। ଥରେ ସଟ୍ଡାଉନ୍ ଆରମ୍ଭ ହେଲେ ତାହା କେତେ ଦିନ ରହିବ ତାହା ମଧ୍ୟ ଆକଳନ କରିବା କଷ୍ଟକର ବ୍ୟାପାର। ଯେତେବେଳେ ଆମେରିକାରେ ସରକାର, ବିଭିନ୍ନ ଏଜେନ୍ସି ଓ ସରକାରୀ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ହାସଲ କରିବାର ପ୍ରସ୍ତାବ ସଂସଦରେ ପାରିତ ହୋଇପାରେ ନାହିଁ ସେତେବେଳେ ସଟ୍ଡାଉନ୍ ଭଳି ସ୍ଥିତି ଉପୁଜିଥାଏ। ପାଣ୍ଠିର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ କେବଳ ଅତି ଜରୁରୀ କାର୍ଯ୍ୟକୁ ବାଦ ଦେଲେ ଅନ୍ୟ ସବୁ କାମ ବନ୍ଦ ରହିଥାଏ। କର୍ମଚାରୀଙ୍କୁ ବେତନ ଦିଆଯାଏ ନାହିଁ। ଆମେରିକା ସରକାର କରିଥିବା ଋଣ ପରିଶୋଧ କରିପାରନ୍ତି ନାହିଁ। କେବଳ ବିମାନ ଚଳାଚଳ ଓ ତଦନ୍ତ ଏଜେନ୍ସିରେ କାମ କରୁଥିବା କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସବୁ ପ୍ରକାର କର୍ମଚାରୀଙ୍କୁ ଛୁଟିରେ ପଠାଇଦିଆଯାଏ।
ଏହି ସ୍ଥିତି ସମ୍ପର୍କରେ ବିଶେଷଜ୍ଞ ପ୍ରଭାସ ମିଶ୍ର କହିଛନ୍ତି ଯେ ରାଜନୈତିକ କାରଣ ଲାଗି ଆମେରିକାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବିରୋଧୀ ଦଳ ରିପବ୍ଲିକାନ୍ ସଦସ୍ୟମାନେ ଅଧିକ ଋଣ ଲାଗି ରାଜି ହେଉନାହାନ୍ତି। ଆମେରିକାର ଋଣ ପରିମାଣ ୩୩ ଲକ୍ଷ କୋଟି ଡଲାର ରହିଛି ଯାହା ଦେଶର ଜିଡିପିର ପ୍ରାୟ ଦୁଇ ଗୁଣ। ଯଦି ଆମେରିକା ସଟ୍ଡାଉନ୍ ହେବ ତେବେ କର୍ମଚାରୀମାନଙ୍କୁ ବେତନ ଦିଆଯାଇପାରିବ ନାହିଁ। ଏହା ଦେଶର ଆଭ୍ୟନ୍ତରୀଣ ଅର୍ଥନୀତିକୁ ପ୍ରଭାବିତ କରିବ। ଉପଯୋଗିତା କମ୍ ହେବ ଏବଂ ତାହାର ପ୍ରଭାବରେ ଚାହିଦା ବି କମିଯିବ। ଯେହେତୁ ଆମେରିକା ହେଉଛି ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ତାହା ଠପ୍ ହୋଇଗଲେ ତାହାର ପ୍ରଭାବ ବିଶ୍ବର ଅନ୍ୟ ଦେଶଗୁଡ଼ିକ ଉପରେ ପଡ଼ିବ। ସେମାନେ ଏହା ଦ୍ବାରା ପ୍ରଭାବିତ ହେବେ ବୋଲି ସେ କହିଛନ୍ତି। ଆମେରିକା ଲାଗି ସଟ୍ଡାଉନ୍ କୌଣସି ନୂଆ କଥା ନୁହେଁ। ୧୯୮୦ ପରେ ୧୪ ଥର ସରକାର ସଟ୍ଡାଉନ୍ ଭଳି ଘଟଣା ଘଟିଛି। ୨୦୧୮ ଡିସେମ୍ବର ୨୨ରେ ଆମେରିକା ସରକାର ଦୀର୍ଘ ୩୫ ଦିନ ପାଇଁ ସଟ୍ଡାଉନ୍ ହୋଇଥିଲା।