ନବ ଦାସ ହତ୍ୟା ମାମଲା: ଅଭିଯୋଗ କଲେ ସିବିଆଇ ତଦନ୍ତ ହେବ; ଆଇନ ମନ୍ତ୍ରୀ

ଭୁବନେଶ୍ବର: ୨ବର୍ଷ ପରେ ଦିବଙ୍ଗତ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଘଟଣା ପୁଣିଥରେ ଚର୍ଚ୍ଚାକୁ ଆସିଛି। ତାଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି। ସ୍ବର୍ଗତ ଦାସଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶ୍ରୀ ହରିଚନ୍ଦନ କହିଛନ୍ତି ଯେ କେବଳ ଗଣମାଧ୍ୟମରେ ଏଭଳି ଦାବି କରିଦେଲେ ହେବନାହିଁ। ଯଦି ସେମାନଙ୍କ ପରିବାର ଗତ ତଦନ୍ତରେ ସନ୍ତୁଷ୍ଟ ନ ଥିବା ଲିଖିତଭାବେ ଜଣାଇବେ, ତେବେ ସରକାର ଏହାକୁ ଗୁରୁତର ସହ ସିବିଆଇ ତଦନ୍ତ ଲାଗି ବିଚାର କରିବେ।
ବହୁ ବିଳମ୍ବରେ ନବଙ୍କ ପରିବାର ସିବିଆଇ ତଦନ୍ତ ଉଠାଇଛନ୍ତି: ସାଲୁଜା
ଏହି ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ବିଜେପି ପୂର୍ବରୁ ପ୍ରଶ୍ନ ଉଠାଇଥିଲା। ଗୁଳି କରିଥିବା ଲୋକ ଧରାପଡ଼ିଲା, ହେଲେ କାହିଁକି ଗୁଳି କଲା ଓ ଏହା ପଛରେ କିଏ ଅଛି ତାହାର ଉତ୍ତର ତତ୍କାଳୀନ ସରକାରଙ୍କ ପାଖରେ ନ ଥିଲା। ତଦନ୍ତ ଫାଇଲ୍ ପୁଣି ଖୋଲିବ କି ନାହିଁ ମୁଖ୍ୟମନ୍ତ୍ରୀ ଏହା ଉପରେ ନିଷ୍ପତ୍ତି ନେବେ। ପୂର୍ବ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନାଁରେ ପୂରା ପ୍ରକ୍ରିୟାକୁ ଭୁଆଁ ବୁଲାଇଥିଲେ ବୋଲି ବିଳମ୍ବରେ ହେଲେ ବି ନବ ବାବୁଙ୍କ ପରିବାର ହୃଦୟଙ୍ଗମ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଅପରପକ୍ଷରେ ପୂର୍ବତନ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ୨ବର୍ଷ ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ଏଏସ୍ଆଇ ଗୋପାଳ ଦାସଙ୍କ ଦ୍ବାରା ହତ୍ୟା କରାଗଲା। ମାତ୍ର ଗୋପାଳ ଏଭଳି କାଣ୍ଡ ନିଜେ ଭିଆଇବା ନେଇ କେହି ବିଶ୍ବାସ କରିପାରୁନାହାନ୍ତି। ଏହା ପଛରେ ନିଶ୍ଚିତ ଭାବେ କିଛି ରହସ୍ୟ ଅଛି। କେଉଁ ପରିସ୍ଥିତିରେ ନବ ବାବୁଙ୍କୁ ହତ୍ୟା କରାଗଲା ତାହା ରାଜ୍ୟବାସୀ ଜାଣିବାର ଆବଶ୍ୟକତା ରହିଛି। କଂଗ୍ରେସ ଦଳ ପକ୍ଷରୁ ବିଧାନସଭାରେ ଏହି ଘଟଣାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ କରିବା ଲାଗି ଦାବି କରାଯାଇଥିଲା। ମାତ୍ର ତତ୍କାଳୀନ ସରକାର ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ମାତ୍ର ନବ ବାବୁଙ୍କ ପରିବାର ବହୁ ବିଳମ୍ବରେ ସିବିଆଇ ତଦନ୍ତ କଥା ଉଠାଇଛନ୍ତି। ଝାରସୁଗୁଡ଼ା ଲୋକମାନେ ତାଙ୍କ ହତ୍ୟା ପଛରେ ଏକ ବଡ଼ ଷଡ଼୍ଯନ୍ତ୍ର ଥିବା କହୁଥିଲେ। ଏକ ଖଣିରୁ ହଟିଯିବା ପାଇଁ ତାଙ୍କୁ କୁହାଯାଇଥିଲା। ମାତ୍ର ସେ ନ ହଟିବାରୁ ହତ୍ୟା ଷଡ଼୍ଯନ୍ତ୍ର ହୋଇଥିବା କୁହାଯାଉଛି। ତେଣୁ ସିବିଆଇ ତଦନ୍ତ ହେଲେ ଅଭିଯୋଗ ଉପରୁ ପରଦା ହଟିବ ବୋଲି ଶ୍ରୀ ସାଲୁଜା କହିଛନ୍ତି।