ଅଦରକାରୀ କାଗଜ ସାଜିଛି ରୋଜଗାରର ପ୍ରମୁଖ ମାଧ୍ୟମ, ଆକର୍ଷଣୀୟ ଜିନିଷ କରି ମହିଳା ହୋଇଛନ୍ତି ସ୍ବାବଲମ୍ବୀ

ଅଦରକାରୀ କାଗଜ ସାଜିଛି ରୋଜଗାରର ପ୍ରମୁଖ ମାଧ୍ୟମ । ଭଳିକି ଭଳି ଆକର୍ଷଣୀୟ ଦେବାଦେବୀ ମୂର୍ତ୍ତୀ, ଫୁଲକୁଣ୍ତ, ପେନଷ୍ଟାଣ୍ଡ ସହ ଅନେକ ସୁନ୍ଦର ସୁନ୍ଦର କଳାକୃତି । ସଉକିନ୍ ଜିନିଷ ତିଆରି କରି ପାଖାପାଖି ୨୦ ଜଣ ମହିଳା ହୋଇଛନ୍ତି ସ୍ବାବଲମ୍ବୀ । ଘସିପୁରା ବ୍ଲକ ବଳରାମପୁର ପଞ୍ଚାୟତ ସରେଈଁ ଗାଁ ମହିଳାମାନେ ହୋଇଛନ୍ତି ଆତ୍ମ ନିର୍ଭରଶୀଳ । ଏହି ଆତ୍ମନିର୍ଭରଶୀଳ ମହିଳାଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ରାଜ୍ୟ ହସ୍ତ ଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ଜିଲ୍ଲା ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକଙ୍କ ସଂଯୋଜନାରେ ୪ ମାସିଆ ପ୍ରଶିକ୍ଷଣ ନେବା ସହ ଅଦରକାରୀ କାଗଜରୁ ମଣ୍ତ ତିଆରି କରି ସେଥିରୁ ବିଭିନ୍ନ ଦେବାଦେବୀ ମୂର୍ତ୍ତୀ ସହ ଅନେକ ସଉକିନ୍ ଜିନିଷ ତିଆରି କରିବା ସହ ସେଥିରେ ଆବଶ୍ୟକୀୟ ରଙ୍ଗ ଦେଇ ଏବେ ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀରେ ଲାଗି ପଡିଛନ୍ତି ମହିଳାମାନେ । ମହିଳାମାନେ ଘରେ ରୋଷେଇ ବାସ କାମ ସାରିବା ପରେ ଅଳ୍ପ ପରିଶ୍ରମରେ ଏହି କାମରୁ ଦି ପଇସା ରୋଜଗାର କରିପାରୁଥିବାରୁ ବେଶ ଖୁସି।
ଏହି ତାଲିମ ପରେ ମହିଳାମାନେ ନିଜେ ଏହି ଅଦରକାରୀ କାଗଜ ଏବଂ ଚକଗୁଣ୍ଡ ସାହାଯ୍ୟରେ ବିଭିନ୍ନ ପ୍ରକାରର ଘର ଉପକରଣ ତିଆରି କରିପାରିବେ ବୋଲି କହିଛନ୍ତି । କାଗଜରେ ତିଆରି ଜିନିଷ ବିକ୍ରିବଟା କରିବାକୁ ଗ୍ରାମାଞ୍ଚଳରେ ସେମିତି ବଜାର ସୁବିଧା ନଥିବାରୁ ଜିଲ୍ଲା ହସ୍ତ ଶିଳ୍ପ ସଂସ୍ଥାର ସୁପାରିଶ କ୍ରମେ ଓରମାସ୍ ସହାୟତାରେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ମେଳାରେ ଷ୍ଟଲ ଲଗାଇ ବିକ୍ରିବଟା କରି ସେଥିରୁ ଭଲ ଦିପଇସା ରୋଜଗାର କରି ପାରୁଛନ୍ତି ଏମାନେ । ମହିଳାମାନଙ୍କ ହାତ ତିଆରି କାଗଜ ମୂଖାର ନିଖୁଣ କାରିଗରୀ ପାଇଁ ସବୁଆଡୁ ପ୍ରଶଂସା ମିଳୁଛି ।
ଏହି ମହିଳାମାନଙ୍କୁ ଉଦାହରଣ ଭାବେ ଗ୍ରହଣ କରି ଅଧିକରୁ ଅଧିକ ମହିଳା ଏହି ଆତ୍ମ ନିର୍ଭରଶୀଳ କାର୍ଯ୍ୟରେ ସାମିଲ ହୋଇ ଦି ପଇସା ରୋଜଗାର କରିବାକୁ ପ୍ରୟାସ ଆରମ୍ଭ କଲେ ଗ୍ରାମାଞ୍ଚଳ ମହିଳାଙ୍କ ବିକାଶ ନିଶ୍ଚିତ ଭାବେ ସମ୍ଭବ ହେବ ।