ସେପ୍ଟେମ୍ବର ପର୍ଯ୍ୟନ୍ତ ଦରଦାମ୍ ଉଚ୍ଚା ରହିବ – Utkal Mail
ନୂଆଦିଲ୍ଲୀ: ଦରଦାମ୍ କବଳରୁ ଏତେ ଶୀଘ୍ର ନିସ୍ତାର ମିଳିବ ନାହିଁ। ଏହି ସମସ୍ୟା ଅନ୍ତତଃ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଲାଗି ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ମାସିକ ବୁଲେଟିନ୍ରେ ପ୍ରକାଶ ପାଇଥିବା ଏକ ଲେଖାରେ ଆକଳନ କରାଯାଇଛି ଯେ ୨୦୨୩ର ଜୁଲାଇ-ସେପ୍ଟେମ୍ବର ତିନି ମାସରେ ମୁଦ୍ରାସ୍ଫୀତି ହାର ୬ ପ୍ରତିଶତରୁ ଅଧିକ ରହିବ। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବତ୍ର ପାତ୍ର ଏହି ଲେଖା ଲେଖିଛନ୍ତି। ଶ୍ରୀ ପାତ୍ର ଲେଖିଛନ୍ତି ଯେ ୨୦୨୩ର ଏପ୍ରିଲ୍-ଜୁନ୍ରେ ଅର୍ଥନୀତିର ପ୍ରଦର୍ଶନ ବହୁତ ଭଲ ଥିଲା। ବିଶ୍ବ ସ୍ତରରେ ଚାପ ରହିଥିଲେ ମଧ୍ୟ ଏହାର ପରବର୍ତ୍ତୀ ସମୟଗୁଡ଼ିକରେ ଅଭିବୃଦ୍ଧି ଜାରି ରହିଛି। ରପ୍ତାନିରେ ଘଟିଥିବା ହ୍ରାସର ପ୍ରଭାବକୁ ଦେଶ ଭିତର ଚାହିଦା ଓ ଘରୋଇ ନିବେଶ ଦୂର କରିପାରିଛି।
ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଚଳିତ ବର୍ଷ ମେ’ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୩ ପ୍ରତିଶତକୁ ହ୍ରାସ ପାଇବା ପରେ ପୁଣି ସେଥିରେ ବୃଦ୍ଧି ଦେଖାଦେଇଛି। ପନିପରିବା ଦାମ୍ ବଢ଼ିବାରୁ ଜୁଲାଇ ଓ ଅଗଷ୍ଟରେ ତାହାର ପ୍ରଭାବ ଦେଖିବାକୁ ମିଳିବ। ଟମାଟୋ ଦାମ ବଢ଼ିବାର ପ୍ରଭାବରେ ଅନ୍ୟ ପନିପରିବାଗୁଡ଼ିକ ମହଙ୍ଗା ହୋଇଥିବା ଏଥିରେ କୁହାଯାଇଛି। ଚଳିତ ବର୍ଷ ଜୁଲାଇରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୪ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ମାସକ ପୂର୍ବରୁ ମାତ୍ର ୪.୮୭ ପ୍ରତିଶତ ଥିଲା। ଚାଉଳ, ଗହମ, ବିଭିନ୍ନ ପ୍ରକାର ଡାଲି, ଟମାଟୋ, ପିଆଜ ଓ ଅନ୍ୟାନ୍ୟ ପନିପରିବା ମହଙ୍ଗା ହୋଇଥିବାରୁ ଖୁଚୁରା ମୁଦ୍ରାସ୍ଫୀତି ବଢ଼ିଛି। ଯେହେତୁ ଅଧିକାଂଶ ଖାଦ୍ୟ ସାମଗ୍ରୀ ଦର ଉଚ୍ଚା ରହିଛି ତେଣୁ ନିକଟ ଭବିଷ୍ୟତରେ ଦରଦାମ୍ ନିୟନ୍ତ୍ରଣକୁ ଆସିବାର କମ୍ ସମ୍ଭାବନା ରହିଛି। ନିକଟରେ ଜାରି କରାଯାଇଥିବା ମୁଦ୍ରାନୀତି ସମୀକ୍ଷା ରିପୋର୍ଟରେ ବର୍ଷ ସାରାର ମୁଦ୍ରାସ୍ଫୀତି ୫.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। କିଛି ମାସ ପୂର୍ବରୁ ଆକଳନ କରାଯାଇଥିଲା ଯେ ଏହା ୫.୧ ପ୍ରତିଶତ ରହିବ। ମାତ୍ର ଖାଦ୍ୟ ସାମଗ୍ରୀ ମହଙ୍ଗା ହେବା ପରେ ରିଜର୍ଭ ବ୍ୟାଙ୍କ ନିଜ ଆକଳନ ବଦଳାଇଛି।