ନୀତି

ମୋ’ ପେନ୍‌ସନ୍ କମାଅ – Utkal Mail


ଲାଲ ବାହାଦୁର ଶାସ୍ତ୍ରୀ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ତାଙ୍କର ଜନ୍ମ ୧୯୦୪ ମସିହା ଅକ୍ଟୋବର ୨ ତାରିଖ ଏବଂ ମୃତ୍ୟୁ ୧୯୬୬ ମସିହା ଜାନୁଆରୀ ୧୧ ତାରିଖ। ଜବାହରଲାଲ ନେହରୁଙ୍କ ପରେ, ୯ ଜୁନ୍‌, ୧୯୬୪ରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୧୧ ଜାନୁଆରୀ, ୧୯୬୬ ପର୍ଯ୍ୟନ୍ତ ସେହି ପଦରେ ରହିଥିଲେ।
ଗାନ୍ଧୀଜୀଙ୍କ ପରି ଶାସ୍ତ୍ରୀଜୀ ମଧ୍ୟ ସତ୍ୟ, ସାଧୁତା ଓ ମିତବ୍ୟୟିତା ପାଇଁ ପ୍ରଖ୍ୟାତ। ଅତି ଗରିବ ପରିବାରରେ ଜନ୍ମ ହୋଇଥିବାରୁ ଶାସ୍ତ୍ରୀଜୀଙ୍କର ପିଲାଦିନ ବହୁ ଅଭାବ, କଷ୍ଟ ଭିତରେ କଟିଥିଲା। ତଥାପି ସତ୍ୟ ଓ ସାଧୁତା ପଥରୁ ସେ କେବେ ବିଚ୍ୟୁତ ହୋଇ ନ ଥିଲେ।
ଶାସ୍ତ୍ରୀଜୀଙ୍କ ପିଲାଦିନର ଗୋଟିଏ କଥା ଖୁବ୍ ପ୍ରସିଦ୍ଧ। ସ୍କୁଲ୍‌ରେ ପଢ଼ିବାବେଳେ, ପାଖରେ ପଇସା ନଥିବାରୁ, ସେ ଡଙ୍ଗାରେ ନଯାଇ ନଈ ପହଁରି ପାଠ ପଢ଼ିବାକୁ ଯାଉଥିଲେ। ପଇସା ଥିଲେ ମଧ୍ୟ ତାହାକୁ ସେ ବଞ୍ଚାଇ ରଖୁଥିଲେ। ସେଥିପାଇଁ ପରବର୍ତ୍ତୀ କାଳରେ ବି ସେ ମିତବ୍ୟୟୀ ହୋଇ ପାରିଥିଲେ।
ତାଙ୍କ ଜୀବନର ଗୋଟିଏ ଘଟଣାରୁ ଏହାର ପ୍ରେରଣାପ୍ରଦ ଉଦାହରଣ ମିଳେ। ଦେଶର ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରି ଶାସ୍ତ୍ରୀଜୀ ଅନେକବାର ଜେଲ୍ ଯାଇଥିଲେ। ଏହା ସେହି ଜେଲ୍‌ରେ ଥିବା ବେଳର କଥା।
ଶାସ୍ତ୍ରୀଜୀ ଥିଲେ ଲାଲା ଲଜପତ ରାୟଙ୍କ ପ୍ରତିଷ୍ଠିତ ଲୋକସେବକ ମଣ୍ଡଳର ଜଣେ ସକ୍ରିୟ ସହଯୋଗୀ। ସେଥିପାଇଁ ତାଙ୍କୁ ମଣ୍ଡଳ ପକ୍ଷରୁ ୫୦ ଟଙ୍କା ପେନ୍‌ସନ୍ ମିଳୁଥିଲା। ଜେଲ୍‌ରେ ଥିବାବେଳେ ଦିନେ ସେ ଜାଣିଲେ, ଯେ ତାଙ୍କ ସ୍ତ୍ରୀ ଲଳିତା ସବୁ ଖର୍ଚ୍ଚ ପରେ ପ୍ରାୟ ୧୦ ଟଙ୍କା ସଂଚୟ କରିପାରୁଛନ୍ତି। ତେଣୁ ସେ ତୁରନ୍ତ ଲୋକସେବକ ମଣ୍ଡଳକୁ ଜଣାଇଦେଲେ- “ମୋ ପେନ୍‌ସନ୍ ଦଶଟଙ୍କା କମାଇ ଦିଅ। ସେହି ଦଶଟଙ୍କା ଅନ୍ୟ କୌଣସି ଅଭାବୀ ଲୋକର କାମରେ ଲାଗୁ।”
ଆମ ଦେଶରେ କୋଟି କୋଟି ପେନ୍‌ସନ୍‌ଭୋଗୀ ଅଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଶାସ୍ତ୍ରୀଜୀଙ୍କ ପରି କେତେଜଣ ମିଳିବେ?




Related Articles

Leave a Reply

Your email address will not be published. Required fields are marked *

Back to top button