ଓଡିଶା

ଆଦାନି ବସାଇବ ସିମେଣ୍ଟ କାରଖାନା: ରାଜ୍ୟ ସରକାରଙ୍କ ସହ ଚାଲିଛି କଥାବାର୍ତ୍ତା

ଭୁବନେଶ୍ବର: ଶିଳ୍ପପତି ଗୌତମ ଆଦାନି ସିମେଣ୍ଟ ବ୍ୟବସାୟ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଖୁବ୍ଶୀଘ୍ର ଏକ ନୂଆ କାରଖାନା ସ୍ଥାପନ କରିବାକୁ ଯାଉଛନ୍ତି। ସେହି କାରଖାନା ଓଡ଼ିଶାରେ ସ୍ଥାପନ ହେବ। ଏଥିପାଇଁ କମ୍ପାନି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା କରୁଥିବା ଜଣାପଡ଼ିଛି। ଏହା ହେବ କମ୍ପାନିର ପ୍ରଥମ ନୂଆ ସିମେଣ୍ଟ କାରଖାନା।

କାରଣ ପୂର୍ବରୁ କମ୍ପାନି କେବଳ ଅଧିଗ୍ରହଣ ଜରିଆରେ ଏହାର ସିମେଣ୍ଟ ବ୍ୟବସାୟ ସାମ୍ରାଜ୍ୟକୁ ଠିଆ କରିଛି। ତେବେ ଓଡ଼ିଶାରେ କମ୍ପାନି କେଉଁଠାରେ ଏହାର ସିମେଣ୍ଟ କାରଖାନା ସ୍ଥାପନ କରିବ ତାହା ଜଣାପଡ଼ିନାହିଁ।

ଆଦାନି ଗ୍ରୁପ୍ ଅଧିଗ୍ରହଣ କରିଥିବା ଅମ୍ବୁଜା ସିମେଣ୍ଟ୍ସ ପକ୍ଷରୁ ଓଡ଼ିଶାରେ କାରଖାନା ସ୍ଥାପନ କରାଯିବ ବୋଲି ଜାତୀୟ ଗଣମାଧ୍ୟମ ‘ମିଣ୍ଟ’ରେ ଖବର ପ୍ରକାଶ ପାଇଛି। କାରଖାନାର ଉତ୍ପାଦନ କ୍ଷମତା ବାର୍ଷିକ ୪ ନିୟୁତ ଟନ୍ ରହିବ। ଏହାକୁ ସ୍ଥାପନ କରିବାରେ କମ୍ପାନି ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରିବ। ରାଜ୍ୟ ସରକାରଙ୍କ ସହ ଚାଲିଥିବା ଆଲୋଚନା ଗୁରୁତ୍ବପୂର୍ଣ୍ଣ ସ୍ତରରେ ରହିଛି। ସବୁ କିଛି ଠିକ୍ ରହିଲେ ଦୁଇରୁ ତିନି ବର୍ଷ ମଧ୍ୟରେ କମ୍ପାନି କାରଖାନାକୁ କାର୍ଯ୍ୟକ୍ଷମ କରିବ।

ରାଜ୍ୟ ସରକାରଙ୍କ ସହ ଚାଲିଛି କଥାବାର୍ତ୍ତା
ବାର୍ଷିକ କ୍ଷମତା ୪ ନିୟୁତ ଟନ୍
୩୫୦୦ କୋଟି ନିବେଶ କରିବ

ଆଦାନି ଗ୍ରୁପ୍ ଭାରତର ସର୍ବବୃହତ ସିମେଣ୍ଟ ଉତ୍ପାଦନକାରୀ ହେବାକୁ ଯୋଜନା ରଖିଛି। ସେଥିପାଇଁ ଏହା ଏସିସି ଓ ଅମ୍ବୁଜା ସିମେଣ୍ଟ ସହିତ ଆହୁରି କେତେକ ସିମେଣ୍ଟ କମ୍ପାନିକୁ ଅଧିଗ୍ରହଣ କରିଛି। ବିହାରରେ ୨୦୦୦ କୋଟି ଟଙ୍କା ନିବେଶରେ ଏକ ଗ୍ରାଇଣ୍ଡିଂ ୟୁନିଟ୍ ସ୍ଥାପନ କରିବାକୁ ମଧ୍ୟ ଆଦାନି ଗ୍ରୁପ୍ ଘୋଷଣା କରିଛି। ସିମେଣ୍ଟ୍ ବ୍ୟବସାୟକୁ ସମ୍ପ୍ରସାରଣ କରିବା ଲାଗି ଆଦାନି ଗ୍ରୁପ୍ ପାଖରେ ଆବଶ୍ୟକ ପାଣ୍ଠି ରହିଛି। ଗତ ସପ୍ତାହରେ ଏହା ଓରିଏଣ୍ଟ ସିମେଣ୍ଟକୁ ଅଧିଗ୍ରହଣ କରିଥିଲା। ଗତ ଜୁନ୍ରେ ଏହା ପେନା ସିମେଣ୍ଟକୁ ଅଧିଗ୍ରହଣ କରିଥିଲା। ସମସ୍ତ ସଂସ୍ଥା ଅଧିଗ୍ରହଣ କରିବା ପରେ ମଧ୍ୟ ଅମ୍ବୁଜା ସିମେଣ୍ଟ୍ସ ପାଖରେ ୪୦୦୦-୫୦୦୦ କୋଟି ଟଙ୍କାର ପାଣ୍ଠି ରହିଛି। କମ୍ପାନି ଉପରେ କୌଣସି ଋଣ ନାହିଁ। ଯଦି ଅନ୍ୟ କୌଣସି କମ୍ପାନିକୁ ଅଧିଗ୍ରହଣ କରିବା କିମ୍ବା ନୂଆ କାରଖାନା ସ୍ଥାପନ କରିବା ଲାଗି ପାଣ୍ଠି ଆବଶ୍ୟକ ହେବ ତେବେ କମ୍ପାନି ଅଳ୍ପ ପରିମାଣର ଋଣ ଆଣିପାରିବ।

ଓଡ଼ିଶାରେ ଆସନ୍ତା ୧୦ ବର୍ଷରେ ୬୦ ହଜାର କୋଟି ଟଙ୍କା ନିବେଶ କରିବା ବିଷୟରେ ଦୁଇ ବର୍ଷ ତଳେ ଆଦାନି ଗ୍ରୁପ୍ ଘୋଷଣା କରିଥିଲା। ଏକ ୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରି ସ୍ଥାପନ କରିବା ଲାଗି କମ୍ପାନି ୫୭,୫୭୫ କୋଟି ଟଙ୍କାର ନିବେଶ ଘୋଷଣା କରିଛି। ରାଜ୍ୟର କେନ୍ଦୁଝର ଓ ଭଦ୍ରକ ଜିଲ୍ଲରେ ଲୁହାପଥର ମୂଲ୍ୟଯୋଗ ପ୍ରକଳ୍ପରେ ମଧ୍ୟ କମ୍ପାନି ନିବେଶ ଘୋଷଣା କରିଛି। ଭଦ୍ରକର ଧାମରା ବନ୍ଦରରେ ଏକ ୫ ନିୟୁତ ଟନ୍ ଲିକ୍ବିଫାଏଡ୍ ନାଚୁରାଲ୍ ଗ୍ୟାସ୍ (ଏଲ୍ଏନ୍ଜି) ଟର୍ମିନାଲ୍ ସ୍ଥାପନ କରିବା ବିଷୟରେ ମଧ୍ୟ କମ୍ପାନି ଘୋଷଣା କରିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button