ଓଡିଶା

ରାଜଧାନୀରେ ପୁଣି ବୋମାମାଡ଼: ୨ ଜାଗାରେ ଫୁଟିଲା ୬

ଭୁବନେଶ୍ବର: ରାଜଧାନୀରେ ପୁଣି ବୋମାମାଡ଼ ହୋଇଛି। କ୍ୟାପିଟାଲ୍ ଥାନା କେଦାରପଲ୍ଲୀ ଅଞ୍ଚଳରେ ଦୁଇଟି ଜାଗାରେ ୬ ବୋମା ଫୁଟିଛି। ୨ ବାଇକ୍ରେ ଥିବା ୪ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର୍ ହୋଇଯାଇଛନ୍ତି। ସ୍ଥାନୀୟ ଯୁବକଙ୍କ ଖଟିକୁ ଲକ୍ଷ୍ୟ କରି ବୋମାମାଡ଼ ହୋଇଥିବାରୁ କିଛି ଯୁବକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛି।

ଘଟଣାସ୍ଥଳରୁ ବୋମାର ଟୁକୁଡ଼ା ଅଂଶ ସଂଗ୍ରହ କରିଛି। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ କେଦାରପଲ୍ଲୀ ଓ ବ୍ରହ୍ମପୁରସାହି ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଉଛି। ଗଣେଶ ପୂଜାକୁ ନେଇ ପୂର୍ବରୁ ଲାଗି ରହିଥିବା ଗୋଷ୍ଠୀ ବିବାଦରୁ ଏହି ବୋମାମାଡ଼ ହୋଇଛି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ଦୁର୍ବୃତ୍ତମାନଙ୍କୁ ଖୁବ୍ ଶୀଘ୍ର ଠାବ କରାଯିବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି।

ରାତି ପ୍ରାୟ ୧୧ଟା ବେଳେ କେଦାରପଲ୍ଲୀ ଅଞ୍ଚଳରେ ଗୋଟିଏ ଗୋଷ୍ଠୀର କିଛି ଯୁବକ ବସି ଖଟି କରୁଥିଲେ। ହଠାତ୍ ୨ଟି ବାଇକ୍ ଖଟିଠାରୁ ମାତ୍ର କେଇ ଗଜ ଦୂରରେ ଅଟକିଥିଲା। ଖଟି କରୁଥିବା ଯୁବକମାନେ କିଛି ବୁଝିବା ପୂର୍ବରୁ ସେମାନେ ଲାଗଲାଗ ୪ଟି ବୋମା ଫୋପାଡ଼ିଥିଲେ। ପ୍ରଚଣ୍ଡ ବିସ୍ଫୋରଣରେ ଉକ୍ତ ଅଞ୍ଚଳ ଥରି ଉଠିଥିଲା। ଜୀବନ ବିକଳରେ ଖଟି କରୁଥିବା ଯୁବକମାନେ ଧାଇଁବାକୁ ଲାଗିଥିଲେ। କିଏ କୁଆଡ଼େ ଧାଇଁଲା, ତା’ର ହିସାବ ନଥିଲା। ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ଏହି ମଉକାରେ ଦୁର୍ବୃତ୍ତମାନେ ସେଠାରୁ ପଳାଇଥିଲେ। କିଛି ମିନିଟ୍ ପରେ ଖଟି କରୁଥିବା ଯୁବକମାନେ ପୁଣି ଏକାଠି ହୋଇଥିଲେ। କିନ୍ତୁ ସେତେବେଳକୁ ଦୁର୍ବୃତ୍ତମାନେ ପାର୍ ହୋଇସାରିଥିଲେ। ସେମାନେ ପୁଲିସକୁ ଫୋନ୍ କରିଥିଲେ। କିନ୍ତୁ ପୁଲିସ ପହଞ୍ଚିବା ପୂର୍ବରୁ ପୁଣି ବୋମା ବିସ୍ଫୋରଣ ଶବ୍ଦ ଶୁଭିଥିଲା। ଏଥର ଶିଶୁଭବନ ଛକ ବ୍ରହ୍ମପୁରସାହିରେ ବୋମାମାଡ଼ ହୋଇଥିଲା।

ବସ୍ତିବାସିନ୍ଦମାନଙ୍କ କହିବା କଥା ୨ ବାଇକ୍ରେ ଥିବା ୪ଜଣ ଯୁବକ ବୋମା ଫୋପାଡ଼ି ପଳାଇଥିଲେ। ଘନଘନ ବୋମାମାଡ଼ ହେବା ଦେଖି ଉଭୟ କେଦାରପଲ୍ଲୀ ଓ ବ୍ରହ୍ମପୁରସାହିର ଲୋକେ ଏକାଠି ହୋଇଥିଲେ। ପୁଲିସ ଏସିପି ଓ କ୍ୟାପିଟାଲ ଥାନା ଆଇଆଇସି ସଦଳବଳେ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିଥିଲେ। ଏହି ଘଟଣା ପରେ କେଦାରପଲ୍ଲୀ ଓ ବ୍ରହ୍ମପୁରସାହିରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ଲୋକେ ପୁଲିସକୁ ଘେରିଥିଲେ। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ପୂର୍ବେ ଜଣେ ଜମି ବ୍ରୋକର୍ ପୁରୀ ଚନ୍ଦନପୁରର ଭଡ଼ାଟିଆ ଗୁଣ୍ଡାକୁ ସୁପାରି ଦେଇ ରାଜଧାନୀରେ ବୋମାମାଡ଼ କରିଥିଲା। ୨ଜଣ ବିଲ୍ଡର୍ଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏହି ଗ୍ୟାଙ୍ଗ୍ ଇନ୍ଫୋଭ୍ୟାଲି ଥାନା ଓ ନୂଆପଲ୍ଲୀ ଥାନା ଅଞ୍ଚଳରେ ବୋମାମାଡ଼ କରିଥିଲେ। ଅବଶ୍ୟ କମିସନରେଟ୍ ପୁଲିସ ଉକ୍ତ ଜମି ବ୍ରୋକର୍ ସମେତ ୮ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button