ବିଚାର

ଶୀତ ଦିନ ହେଲେ ଲୁଚି ଯାଆନ୍ତି ସାପ, କିନ୍ତୁ କାହିଁକି?

ସାପ ନାମ ଶୁଣିଲେ ହିଁ ମଣିଷ ଭୟରେ ଥରହର ହୋଇଯାଏ । ଗରମ ଦିନେ ଆଉ ବର୍ଷା ଦିନେ ସାପ ପ୍ରାୟତଃ ବିଲ, ବାଡ଼ି, ବଗିଚା ତଥା ଘର ଆଖପାଖରେ ବୁଲୁଥିବାର ଦେଖାଯାଏ । ଆଉ ଥଣ୍ଡା ଦିନ ଆସିବା ମାତ୍ରେ ହଠାତ୍ ଅଦୃଶ୍ୟ ହୋଇଯାଆନ୍ତି ସାପ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏମିତି କାହିଁକି ହୁଏ? ଥଣ୍ଡା ଦିନରେ ସାପମାନେ କେଉଁଠି ଲୁଚି ଯାଆନ୍ତି? ଆସନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ ଏବଂ ପ୍ରାକୃତିକ କାରଣ ଜାଣିବା, ଯାହା ନିଶ୍ଚିତ ଭାବେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।

ବାସ୍ତବରେ ସାପର ରକ୍ତ ସବୁବେଳେ ଥଣ୍ଡା ଥାଏ । ଅର୍ଥାତ ସାପ ନିଜ ଶରୀରର ନିଜସ୍ୱ ତାପମାତ୍ରା ନିୟନ୍ତ୍ରଣ କରିପାରେ ନାହିଁ । ସେମାନେ ବାହ୍ୟ ପରିବେଶର ଉତ୍ତାପ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଗରମ ଦିନରେ ସୂର୍ଯ୍ୟ କିରଣ ସାପ ଶରୀରକୁ ଉଷ୍ମ ରଖେ, ଯାହା ସେମାନଙ୍କୁ ସକ୍ରିୟ ରହିବାକୁ ଦିଏ । କିନ୍ତୁ ଶୀତ ଋତୁ ଆସିଲେ ଏବଂ ତାପମାତ୍ରା ହ୍ରାସ ପାଇଲେ, ସେମାନଙ୍କ ଶରୀର ଥଣ୍ଡା ହେବା ଆରମ୍ଭ କରେ । ଫଳସ୍ୱରୂପ ସାପର ଗତିବିଧି ମନ୍ଥର ହୋଇଯାଏ, ପାଚନ ପ୍ରକ୍ରିୟା ମନ୍ଥର ହୋଇଯାଏ ଏବଂ ସାପମାନେ ପ୍ରାୟ ନିଷ୍କ୍ରିୟ ହୋଇଯାଆନ୍ତି ।

ସାପ ମାନଙ୍କର ଏକ ଅବସ୍ଥା ଥାଏ ‘ଶୀତନିଦ୍ରା’ । ଏହା ହେଉଛି ଏମିତି ଏକ ଅବସ୍ଥା ଯେଉଁଥିରେ ପ୍ରାଣୀମାନେ ଶକ୍ତି ସଂରକ୍ଷଣ ପାଇଁ ନିଜର କାର୍ଯ୍ୟକଳାପ ବନ୍ଦ କରିଦିଅନ୍ତି । ଥଣ୍ଡା ପାଗରେ ଖାଦ୍ୟ ଅଭାବ ହେଲେ ଅନେକ ପ୍ରାଣୀ, ଯେପରିକି ବେଙ୍ଗ, ଝିଟିପିଟି, ଭାଲୁ ଏବଂ ସାପ ଏହି ଅବସ୍ଥାରେ ପ୍ରବେଶ କରନ୍ତି । ଏହା ସାପ ପାଇଁ ଏକ ପ୍ରାକୃତିକ ପ୍ରତିରକ୍ଷା ପ୍ରକ୍ରିୟା । ଥଣ୍ଡା ଦିନରେ ସାପର ହୃଦୟ ଗତି ଧୀର ହୋଇଯାଏ, ସେମାନଙ୍କର ନିଶ୍ୱାସ ପ୍ରଶ୍ୱାସ କମିଯାଏ ଏବଂ ସେମାନେ ପ୍ରାୟ ନିଷ୍କ୍ରିୟ ହୋଇଯାଆନ୍ତି । ଯେତେବେଳେ ପାଗ ପୁଣି ଗରମ ହୁଏ, ସେମାନେ ନିଜ ଲୁଚିବା ସ୍ଥାନରୁ ବାହାରକୁ ବାହାରି ଆସନ୍ତି ।

ଶୀତ ଋତୁ ଆରମ୍ଭ ହେବା ମାତ୍ରେ, ସାପମାନେ ନିରାପଦ ଏବଂ ଗରମ ସ୍ଥାନ ଖୋଜିବା ଆରମ୍ଭ କରନ୍ତି । ସେମାନେ ଗାତ, ପଥର ଫାଟ, ଗଛ ମୂଳ କିମ୍ବା ପୁରୁଣା ଘରର ଭଙ୍ଗା କାନ୍ଥରେ ଲୁଚି ରୁହନ୍ତି । ଶୀତ ଋତୁରେ ସାପମାନେ ବିଲ ପାଖରେ ଥିବା ଫାଟ କିମ୍ବା ପଥର ତଳେ ଲୁଚି ରୁହନ୍ତି । କାରଣ ସେମାନେ ଗାତରେ ଲୁଚି ରହି ଶୀତ ଦାଉରୁ ବଞ୍ଚନ୍ତି।

ସାପମାନଙ୍କର କେଶ କିମ୍ବା କୌଣସି ଉତ୍ତାପ ସୃଷ୍ଟିକାରୀ ଅଙ୍ଗ ନଥାଏ, ତେଣୁ ତାପମାତ୍ରା ହ୍ରାସ ପାଇବା ସହିତ ସେମାନଙ୍କ ଶରୀର ଥଣ୍ଡା ହୋଇଯାଏ । ଯଦି ସେମାନେ ଥଣ୍ଡାରେ ବାହାରେ ବୁଲିବେ ତେବେ ସେମାନଙ୍କ ଶରୀରର କୋଷଗୁଡ଼ିକ ଜମାଟ ବାନ୍ଧିବ ଏବଂ ସେମାନେ ମରିପାରନ୍ତି । ତେଣୁ ସାପମାନେ ଏପରି ସ୍ଥାନ ବାଛନ୍ତି ଯେଉଁଠାରେ ତାପମାତ୍ରା ସ୍ଥିର ରହିଥାଏ ।

ଶୀତ ଦିନ ହେଲେ ସାପ ଖାଇବା ବନ୍ଦ କରିଥାଏ । ଶକ୍ତି ବଢ଼ାଇବା ପାଇଁ ଶୀତ ଦିନ ପୂର୍ବରୁ ହିଁ ପ୍ରଚୁର ଖାଦ୍ୟ ଖାଆନ୍ତି ସାପ । ଏହି ଶକ୍ତି ଧୀରେ ଧୀରେ ଶୀତ ଋତୁରେ ବ୍ୟବହାର ହୁଏ । ଥଣ୍ଡାରେ ସେମାନଙ୍କର ପାଚନ କ୍ରିୟା ପ୍ରାୟ ବନ୍ଦ ହୋଇଯାଏ, ତେଣୁ ସେମାନେ ଖାଦ୍ୟ ବିନା କିଛି ମାସ ପର୍ଯ୍ୟନ୍ତ ବଞ୍ଚି ଯାଆନ୍ତି ।

ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ତାପମାତ୍ରା ବୃଦ୍ଧି ପାଇବା ଆରମ୍ଭ ହେଲେ, ସାପମାନେ ଗାତରୁ ବାହାରିବା ଆରମ୍ଭ କରନ୍ତି । ଗରମ ବଢ଼ିଲେ ସେମାନେ ପୁଣି ସକ୍ରିୟ ହୋଇଯାଆନ୍ତି । ଏହି କାରଣରୁ ଗରମ ଏବଂ ବର୍ଷାଦିନ ମାନଙ୍କରେ ସାପ ଅଧିକ ଦେଖାଯାଏ । କିନ୍ତୁ କହି ରଖୁଛୁ ଶୀତଦିନେ ସାପ କମ୍ ଦେଖାଯାଆନ୍ତି ସତ ତାପମାତ୍ରା ବୃଦ୍ଧି ପାଇବା କ୍ଷଣି ସେମାନେ ପୁଣି ବାହାରି ଆସନ୍ତି । ତେଣୁ ବିଲ, ବାଡ଼ି ବଗିଚା କିମ୍ବା ପୁରୁଣା ଘର ସଫା କରିବା ସମୟରେ ସର୍ବଦା ସତର୍କ ରୁହନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button