ଓଡିଶା

କାର୍ଯ୍ୟକାରୀ ହେଉନି ଜିରୋ ଏଫ୍‌ଆଇଆର୍: ‘କମିସନରେଟ୍‌ ପୁଲିସ ଉପରେ ଚାପ ବଢୁଛି’

ଭୁବନେଶ୍ବର: ଆଜି ଓଡ଼ିଶା ପୁଲିସ ଟୁଇଟ୍ ‌ଯୋଗେ ମହିଳା ଦୁଷ୍କର୍ମ ମାମଲାରେ ଜିରୋ ଏଫ୍‌ଆଇଆର୍‌କୁ କଡ଼ାକଡ଼ି କରାଯାଇଥିବା ଘୋଷଣା କରିଛନ୍ତି। ତେବେ ଏହା ପୂର୍ବରୁ ମଧ୍ୟ ଲାଗୁ ହୋଇ ରହିଛି। ମହିଳା ନିର୍ଯାତନା କ୍ଷେତ୍ରରେ ଜଣେ ନିର୍ଯାତିତା ଯେକୌଣସି ଥାନାରେ ମାମଲା ରୁଜୁ କରି ପାରିବ। କିନ୍ତୁ ଏବେ ଜିରୋ ଏଫ୍‌ଆଇଆର୍‌କୁ ନେଇ ବିଭିନ୍ନ ଦ୍ବନ୍ଦ୍ବ ଉପୁଜିଛି।

ନିୟମ ଅନୁସାରେ କୌଣସି ଲୋକ ଯେକୌଣସି ଥାନାରେ ଯେକୌଣସି ମାମଲା ରୁଜୁ କରି ପାରିବ। କିନ୍ତୁ ଏବେବି ବିଭିନ୍ନ ମାମଲାରୁ ଜିରୋ ଏଫ୍‌ଆଇଆର୍‌ ଲାଗୁହେବ କି ନାହିଁ ‌ସ‌ାଧାରଣରେ ସନ୍ଦେହ ରହିଛି। ବିଶେଷ କରି ସାଇବର କ୍ରାଇମ ଭଳି ମାମଲାରେ ଜିରୋ ଏଫ୍‌ଆଇଆର୍‌ ଲାଗୁ କି ନାହିଁ ବହୁ ଲୋକ ସନ୍ଦେହ କରୁଛନ୍ତି। ପୁଲିସ ମଧ୍ୟ ସାଇବର ଅପରାଧଗୁଡ଼ିକ ମାମଲା ରଖୁ ନଥିବା ଅଭିଯୋଗ ହୋଇଛି। ଏଣେ ତ୍ବରିତ ନ୍ୟାୟ ଆଶାରେ ରାଜ୍ୟର କୋଣ ଅନୁକୋଣରୁ ବହୁଲୋକ ରାଜଧାନୀ ଆସି ମାମଲା ରୁଜୁ କରୁଛନ୍ତି। କିନ୍ତୁ ସାଇବର ଥାନା ପୁଲିସ ମାମଲା ରୁଜୁ ନ କରି କେବଳ ଡାଇରି କରି ସଂପୃକ୍ତ ଥାନାକୁ ପଠାଇ ଦେଉଥିବା ଅଭିଯୋଗ ହେଉଛି। ଫଳରେ ସାଧାରଣ ଲୋକଟି ନ୍ୟ‌ାୟ ନ ପାଇଁ ଏଇଥାନା ସେ ଥାନା ଘୂରି ବୁଲୁଛି। ସୂଚନାନୁସାରେ ଅନ୍‌ଲାଇନରେ ଟଙ୍କା ହରାଇ ବ୍ରହ୍ମପୁରର ସତୀଶ ମହାନ୍ତି ଓ ମୟୁରଭଞ୍ଜର ଅର୍ଜୁନ ମହାନ୍ତଙ୍କୁ ସାଇବର ଠକମାନେ ଲକ୍ଷାଧିକ ଟଙ୍କା ଚୂନ ଲଗାଇଛନ୍ତି। ତେଣୁ ସେମାନେ ଠକେଇ ବାବଦରେ ସେମାନଙ୍କର ନିକଟସ୍ଥ ଥାନା ଅଭିଯୋଗ କରିଥିଲେ। କିନ୍ତୁ ସ୍ଥାନୀୟ ପୁଲିସ ସାଇବର ଠକେଇ ବୋଲି ଥାନାରେ ମାମଲା ରଖିଲେନି। ବାରମ୍ବାର ଦଉଡ଼ିବା ପରେ ମଧ୍ୟ ଅଭିଯୋଗ ନ ରଖିବାରୁ ସେ ବାଧ୍ୟ ହୋଇ ଭୁବନେଶ୍ବର ଆସି ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପ୍ରତି ଦୁଇତିନି ଦିନରେ ଭୁବନେଶ୍ବର ଦଉଡ଼ି ନୟାନ୍ତ ହେଲେଣି। ଯଦି ତାଙ୍କ ପାଖ ଥାନା ଅଭିଯୋଗ ରଖିଥାନ୍ତା ତାଙ୍କୁ ଏଭଳି ଦଉଡ଼ିବାକୁ ପଡ଼ି ନଥାନ୍ତା ବୋଲି ଦୁହେଁ କହିଛନ୍ତି। କେବଳ ସାଇବର ମାମଲା ନୁହେଁ, ରାଜଧାନୀର ମହିଳାଙ୍କ ଅଭିଯୋଗ ମଧ୍ୟ ସ୍ଥାନୀୟ ପୁଲିସ ରଖୁ ନଥିବା ଅଭିଯୋଗକାରୀମାନେ କହିଛନ୍ତି। ରାଜଧାନୀକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ଅଭିଯୋଗ କରୁଥିବା ଅଭିଯୋଗକାରୀମାନଙ୍କୁ ପୁଲିସ ତାଙ୍କ ଅଞ୍ଚଳକୁ ପଠାଇ ଦେଉଛି। ଫଳରେ ଜିରୋ ଏଫ୍‌ଆଇଆର୍‌ର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ।

ଯେକୌଣସି ଲୋକ ରାଜ୍ୟର ଯେକୌଣସି ଥାନାରେ ମାମଲା ରୁଜୁ କରି ପାରିବ। ସଂପୃକ୍ତ ଥାନା ଲୋକର ମାମଲା ରୁଜୁ କରିବା ସହିତ ବୟାନ ରେକର୍ଡ କରିବ। ପରେ ମାମଲା ଥିବା ଥାନାକୁ ମାମଲାର ଲିଖିତ ଅଭିଯୋଗ ଓ ବୟାନକୁ ହସ୍ତାନ୍ତର କରିବ। ଏହାକୁ ଜିରୋ ଏଫ୍‌ଆଇଆର୍‌ କୁହାଯାଏ। ବିଶେଷ କରି ମହିଳାମାନଙ୍କ ପାଇଁ ଏହି ଜିରୋ ଏଫ୍‌ଆଇଆର୍‌ ବ୍ୟବସ୍ଥା ବହୁତ ଉପଯୋଗୀ। ନିୟମାନୁସାରେ ମହିଳାମାନେ ନିର୍ଯାତନାର ଶିକାର ହେଲେ ଯେକୌଣସି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିପାରିବେ। କିନ୍ତୁ ରାଜଧାନୀରେ ଅଧିକାଂଶ କ୍ଷେତ୍ରରେ ଏହା ଦେଖିବାକୁ ମିଳୁନାହିଁ। କୌଣସି ଥାନାରେ ଅଭିଯୋଗ ହେଲେ ସେଠାକାର ପୁଲିସ ନିର୍ଯ୍ୟାତିତ ମହିଳାଙ୍କୁ ମହିଳା ଥାନାକୁ ପଠାଇ ନିଜ ଉପରୁ ଦାୟିତ୍ବ ଖସାଇ ଦିଏ। ବଡ଼ ବଡ଼ ଅପରାଧ‌ରେ ଜିରୋ ଏଫ୍‌ଆଇଆର୍‌ ଲାଗୁ ହେବାର ବିଧି ରହିଛି। ଏମିତିକି ଦୁଇଟି ଥାନା ମଧ୍ୟରେ ଯଦି ସୀମାକୁ ନେଇ ସନ୍ଦେହ ସୃଷ୍ଟିହୁଏ, ସେ ‌କ୍ଷେତ୍ରରେ ସଙ୍ଗିନ ମାମଲାକୁ ଯେକୌଣସି ଥାନାରେ ଲିଖିତ ଅଭିଯୋଗ କରା ଯାଇପାରିବ। ସୀମା ସମସ୍ୟା ତୁଟିଲା ପରେ ଏତଲା ସଂପୃକ୍ତ ଥାନାରେ ପଞ୍ଜୀକୃତ କରାଯିବ। କିନ୍ତୁ ପୁଲିସ ଅଭିଯୋଗକାରୀମାନଙ୍କୁ ଅଭିଯୋଗ ନରଖି ପଠାଇ ଦେଉଛି। ବିଶେଷ କରି ରେଳବାଇ ପୁଲିସ, କ୍ୟାପିଟାଲ ପୁଲିସ ଓ ଖାରବେଳନଗର ଥାନା ପୁଲିସ ମଧ୍ୟରେ ସୀମାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଉଛି। ରାଜଧାନୀରେ ଭରତପୁର ଓ ଖଣ୍ଡଗିରି ଥାନା ମଧ୍ୟରେ ମଧ୍ୟ ସୀମା ସନ୍ଦେହ ପାଇଁ ମାମଲାଗୁଡ଼ିକୁ ପରସ୍ପର ଥାନାକୁ ପଠାଇ ଦିଆଯାଉଛି। ଏହାସହ ରାଜଧାନୀକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି ମାମଲା ରୁଜୁ କରୁଛନ୍ତି। କିନ୍ତୁ ପୁଲିସ ମାମଲା ରୁଜୁ ନ କରି ପଠାଇ ଦେଉଥିବା କିମ୍ବା ସିସିଟିଏନ୍‌ଏସ୍‌ର ଆଳ ଦେଖାଇ ସେମାନଙ୍କୁ ପଠାଇ ଦେଉଥିବା ଅଭିଯୋଗ ହେଉଛି।

ଏନେଇ କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜଧାନୀର ଥାନାମାନଙ୍କରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକ ଆସି ମାମଲା ରୁଜୁ କରୁଛନ୍ତି। କିଛି କାରଣ ନ ଥିଲେ ମଧ୍ୟ ନିଜ ଅଞ୍ଚଳର ଥାନାକୁ ଛାଡ଼ି କିଛି ଅଭିଯୋଗକାରୀ ଭୁବନେଶ୍ବରର ଥାନାମାନଙ୍କ‌ରେ ଅଭିଯୋଗ କରୁଛନ୍ତି। ତେଣୁ କମିସନରେଟ ପୁଲିସ ଅଞ୍ଚଳରେ ଥିବା ଥାନାମାନଙ୍କରେ ମାମଲା ଅହେତୁକ ଭାବେ ବୃଦ୍ଧି ପାଉଛି। ଗତବର୍ଷ ଏଠାରେ ପାଖପାଖି ୧୨ ହଜାର ମାମଲା ରୁଜୁ ହେଉଛି। ଗୋଟିଏ ଗୋଟିଏ ଥାନାରେ ୧୦୦୦ରୁ ୧୨୦୦ ମାମଲା ରୁଜୁ ହେଉଛି। ଅନ୍ୟପକ୍ଷରେ ସେହି ସମୟରେ ଜିଲ୍ଲାର ବଡ଼ ବଡ଼ ଥାନାଗୁଡ଼ିକରେ ୫୦୦ ଭିତରେ ମାମଲା ରୁଜୁ ହେଉଛି। ମହିଳା ଥାନା ଓ ସାଇବର ଥାନା ଯେ ରାଜ୍ୟର ସବୁ ମାମଲା ରଖିବେ ଓ ତା’ର ତଦନ୍ତ କରିବେ, ସେମିତି କିଛି ନିୟମ ନାହିଁ। ସବୁଆଡ଼ୁ ମାମଲା ଆସିବା ଫଳରେ କମିସନରେଟ ପୁଲିସ ଉପରେ ଅଧିକ ଚାପ ରହୁଛି। ସେହିଭଳି କାରଣ ନ ଥିଲେ ଥାନାରେ ମାମଲା ରୁଜୁ କରାଯିବ ନାହିଁ। ଭାରତୀୟ ନ୍ୟା‌ୟ ସଂହିତା ଅନୁସାରେ ଇ-ମେଲ୍‌ ଜରିଆରେ ମାମଲା ରୁଜୁ କରି ତିନିଦିନ ମଧ୍ୟରେ ଥାନାକୁ ଯାଇ ମାମଲା କରିହେବ। ଆଜିକାଲି ସମସ୍ତଙ୍କ ହାତରେ ମୋବାଇଲ ରହିଛି। ସମସ୍ତେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ସିସିଟିଏନ୍‌ଏସ୍ ଜରିଆରେ ମଧ୍ୟ ମାମଲା ପଞ୍ଜୀକୃତ କରାଯାଇପାରିବ। ତେଣୁ ଲୋକମାନଙ୍କୁ ଏଥିପ୍ରତି ସଚେତନତା ହେବା ଆବଶ୍ୟକ।

Related Articles

Leave a Reply

Your email address will not be published. Required fields are marked *

Back to top button