ଓଡିଶା

ଲଗାତାର ଅଷ୍ଟାଦଶ ଘରୋଇ ଶୃଙ୍ଖଳା ବିଜୟ

କାନପୁର: କାନପୁରରେ କମାଲ କରି ଭାରତୀୟ କ୍ରିକେଟ୍ ଦଳ ୭ ୱିକେଟ୍ର ରେକର୍ଡଭରା ବିଜୟ ହାସଲ କରିଛି। ପ୍ରଥମ ତିନି ଦିନ ଭିତରେ ମାତ୍ର ୩୫ ଓଭର ଖେଳ ହେବା ପରେ ଅମୀମାଂସିତ ରହିବାର ଶତ ପ୍ରତିଶତ ସମ୍ଭାବନା ଥିବା ଏହି ଟେଷ୍ଟ୍ରେ ଭାରତ ନିଆରା ଓ ନିଷ୍ଠାପର ରଣନୀତିରେ ବାଂଲାଦେଶକୁ କେବଳ ମାତ୍ ଦେଇନି, ଟେଷ୍ଟ୍ କ୍ରିକେଟ୍ରେ ମଧ୍ୟ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିଛି।

ନିଜ ଇତିହାସର ଦ୍ବିତୀୟ ସର୍ବନିମ୍ନ (୩୧୨ ବଲ୍) ଏବଂ ମୋଟ ଉପରେ ଚତୁର୍ଥ ସର୍ବନିମ୍ନ ବଲ୍ର ସମ୍ମୁଖୀନ ହୋଇ ବିଜୟୀ ହୋଇଛି। କେବଳ ୬ ଅଧିବେଶନ ଭିତରେ ମ୍ୟାଚ୍ ଜିତି ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଥମ ଶୃଙ୍ଖଳାକୁ ସ୍ମରଣୀୟ କରିଛି। ମାତ୍ର ୨୪ ଘଣ୍ଟା ତଳେ ବିଜୟୀ ହେବାର ଅସମ୍ଭବ ଆଶା ରଖିଥିବା ରୋହିତ ବାହିନୀ ମଙ୍ଗଳବାର ପଞ୍ଚମ ତଥା ଶେଷ ଦିନରେ ବାଂଲାଦେଶକୁ ୧୪୬ ରନ୍ରେ ଅଲଆଉଟ୍ କରି ଦେଇଥିଲା। ଏହା ପରେ ମାତ୍ର ଘଣ୍ଟାକ ଭିତରେ ୯୫ ରନ୍ର ଲକ୍ଷ୍ୟକୁ ମାତ୍ର ୩ ୱିକେଟ୍ ଏବଂ ୧୭.୨ ଓଭରରେ ହାସଲ କରି ବିଜୟ ମୁଣ୍ଡି ମାରିଥିଲା। ତାଇଜୁଲ ଇସ୍ଲାମ୍ଙ୍କୁ ମିନି ହେଲିକପ୍ଟର୍ ସଟ୍ରେ ଚୌକା ମାରି ଋଷଭ ପନ୍ତ ଭାରତକୁ ବିଜୟ ରେଖା ପାର କରାଇବା ସହ ଭାରତ ଟେଷ୍ଟ୍ କ୍ରିକେଟ୍ର ନୂଆ ନବାବ ଉପାଧି ବି ହାସଲ କରି ନେଇଥିଲା।

ଟେଷ୍ଟ୍ ଇତିହାସରେ ଭାରତ ଯୋଡ଼ିଲା ଅତୁଳନୀୟ ଅଧ୍ୟାୟ
ବାଂଲାଦେଶ ବିପକ୍ଷରେ ୭ ୱିକେଟ୍ର ଅବିସ୍ମରଣୀୟ ବିଜୟ
ଜୟସ୍ବାଲ ମ୍ୟାଚ୍ର, ଅଶ୍ବିନ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି

ଏହି ଘଟଣା ବହୁଳ ମ୍ୟାଚ୍ରେ ବାଂଲାଦେଶ ପ୍ରଥମ ପାଳିରେ ୨୩୩ ରନ୍ କରିଥିଲା। ତେବେ ଭାରତ ୮ରୁ ଅଧିକ ହାରରେ ରନ୍ ସଂଗ୍ରହ କରି କେବଳ ୩୪.୪ ଓଭରରେ ୨୮୫/୯ରେ ପାଳି ଘୋଷଣା କରି ବିଜୟୀ ହେବାର ସାହସିକ ସ୍ବପ୍ନ ଦେଖିଥିଲା। ପୁଣି ସୋମବାର ଚତୁର୍ଥ ଦିନ ଅନ୍ତିମ ଅଧିବେଶନର ୧୧ ଓଭର ଖେଳରେ ବାଂଲାଦେଶର ଦୁଇଟି ୱିକେଟ୍ ଝାଡ଼ି ଏହି ସ୍ବପ୍ନକୁ ସାକାର କରିବା ଦିଗରେ ଏକ ବଡ଼ ପାଦ ବଢ଼ାଇଥିଲା। ମଙ୍ଗଳବାର ରବୀନ୍ଦ୍ର ଜାଡ଼େଜାଙ୍କ ଟ୍ରିପଲ୍ ଝଟ୍କାରେ ଘାଇଲା ହୋଇ ବାଂଲାଦେଶ ଦ୍ବିତୀୟ ପାଳିରେ ଦେଢ଼ଶହ ବି ଛୁଇଁ ପାରି ନଥିଲା। ଜାଡ଼େଜାଙ୍କ ସହ ଯଶପ୍ରୀତ ବୁମ୍ରା ଓ ଆର୍ ଅଶ୍ବିନ ତିନି ୱିକେଟ୍ ଲେଖାଏଁ କରାୟତ୍ତ କରିବା ପରେ ବାଂଲାଦେଶ ପାଳି ମଧ୍ୟାହ୍ନ ଭୋଜନ ପୂର୍ବରୁ ହିଁ ଶେଷ ହୋଇଯାଇଥିଲା। ଭାରତ ପୁଣି ଥରେ ଆକ୍ରମଣାତ୍ମକ ଶୈଳୀରେ ପଶ୍ଚାତଧାବନ କରି ଚା’ ପାନ ବିରତିର ଢେର ପୂର୍ବରୁ ବିଜୟର ମଧୁର ସ୍ବାଦ ପାଇଥିଲା। ଯୁବ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲ ଉଭୟ ପାଳିରେ ଅର୍ଦ୍ଧଶତକ ଅର୍ଜନ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅନ୍ୟପକ୍ଷରେ ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ଅଶ୍ବିନ (୧୧୪ ରନ୍, ୧୧ ୱିକେଟ୍) ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତି ନେଇଥିଲେ।

ସଂକ୍ଷିପ୍ତ ସ୍କୋର୍: ବାଂଲାଦେଶ ପ୍ରଥମ ପାଳି: ୨୩୩। ଭାରତ ପ୍ରଥମ ପାଳି: ୨୮୫/୯, ଘୋଷଣା। ବାଂଲାଦେଶ ଦ୍ବିତୀୟ ପାଳି: ୪୭ ଓଭରରେ ୧୪୬ (ଶଦମନ ଇସ୍ଲାମ୍ ୫୦, ମୁସ୍ଫିକର ରହିମ ୩୭, ଯଶପ୍ରୀତ୍ ବୁମ୍ରା ୩/୧୭, ରବୀନ୍ଦ୍ର ଜାଡ଼େଜା ୩/୩୪, ଆର୍ ଅଶ୍ବିନ ୩/୫୦)। ଭାରତ ଦ୍ବିତୀୟ ପାଳି: ୧୭.୨ ଓଭରରେ ୯୮/୩ (ଯଶସ୍ବୀ ଜୟସ୍ବାଲ ୫୧, ବିରାଟ କୋହଲି-୨୯*, ମେହିଦି ହାସନ ମିରାଜ ୨/୪୪, ତାଇଜୁଲ ଇସ୍ଲାମ୍ ୧/୩୬)।

ସକିବଙ୍କୁ କୋହଲିଙ୍କ ଆକସ୍ମିକ ଉପହାର
ଖୁବଶୀଘ୍ର ଟେଷ୍ଟ୍ କ୍ରିକେଟ୍ରୁ ଅବସର ଘୋଷଣା କରିବାକୁ ଯାଉଥିବା ବାଂଲାଦେଶର ତାରକା ଅଲରାଉଣ୍ଡର୍ ସକିବ-ଅଲ୍-ହାସନଙ୍କୁ ଭାରତୀୟ କିଂବଦନ୍ତି କ୍ରିକେଟର୍ ବିରାଟ କୋହଲି କାନପର ଟେଷ୍ଟ୍ ଶେଷ ହେବା ପରେ ନିଜ ଦସ୍ତଖତ ଥିବା ଏକ ବ୍ୟାଟ୍ ଉପହାର ଦେଇଥିଲେ। ଯାହାକୁ ପାଇ ସକିବ ବେଶ୍ ଖୁସି ହୋଇଯାଇଥିଲେ। ଉଭୟ ତାରକା ପଡ଼ିଆ ଭିତରେ କିଛି ସମୟ ଭାବ ବିନିମୟ କରି ହସଖୁସିରେ ମାତି ଯାଇଥିଲେ। ସକିବ ମଧ୍ୟ ବ୍ୟାଟ୍ଟିରେ ଏକ ସଟ୍ ଖେଳୁଥିବାର ଅଭିନୟ କରିଥିଲେ। ସକିବ କେବଳ ନିଜ ଦେଶ ବାଂଲାଦେଶ ନୁହେଁ ଭାରତରେ ମଧ୍ୟ ବେଶ୍ ଲୋକପ୍ରିୟ। ତେବେ ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ପାଇଁ ସକିବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ଯଥେଷ୍ଟ ଆଶଙ୍କା ରହିଛି।

ଡବ୍ଲ୍ୟୁଟିସିରେ ରୋହିତ ବାହିନୀ ଦୃଢ଼
କାନପୁରର ମହାବିଜୟ ସହ ଭାରତ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ଦୃଢ଼ କରିଛି। ୭୪.୨୪ ପର୍ସେଣ୍ଟ ପଏଣ୍ଟ୍ ସହ ଦ୍ବିତୀୟ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ (୬୨.୫୦) ମଧ୍ୟରେ ଥିବା ବ୍ୟବଧାନକୁ ଆହୁରି ସଂପ୍ରସାରିତ କରିଛି। ସେହିଭଳି ଲଗାତର ତୃତୀୟ ବର୍ଷ ପାଇଁ ଡବ୍ଲ୍ୟୁଟିଏ ଫାଇନାଲ୍ ଖେଳିବାଠାରୁ ମାତ୍ର ତିନିଟି ବିଜୟ ଦୂରରେ ରହିଛି। ୨୦୨୩-୨୫ ଚକ୍ରର ଆଉ ୮ଟି ଟେଷ୍ଟ୍ (ନ୍ୟୁଜିଲାଣ୍ଡ ବିପକ୍ଷରେ ୩, ଅଷ୍ଟ୍ରେଲିଆ ବିପକ୍ଷରେ ୫) ବାକି ଥିଲା ବେଳେ ଭାରତ ଏହି ଦୂରତାକୁ ସଫଳତାର ସହ ଭରଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ବାଂଲାଦେଶ ଷଷ୍ଠରୁ ସପ୍ତମ ସ୍ଥାନକୁ ଖସି ଆସିଛି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button