୧,୧୫୨ ଫୁଟ୍ର କୃତ୍ରିମ କେଶ – Utkal Mail
ନାଇଜେରିଆର ଲାଗୋସ୍ରେ ବାସ କରୁଥିବା ହେଲେନ୍ ଵିଲିଅମ୍ସ ନାମ୍ନୀ ଜଣେ ମହିଳା ଏକ ବିରଳ କାରଣ ପାଇଁ ବିଶ୍ବ ରେକର୍ଡର ଅଧିକାରିଣୀ ହୋଇଛନ୍ତି। ହାତରେ ତିଆରି ବିଶ୍ବର ଦୀର୍ଘତମ ଵିଗ୍ ବା କୃତ୍ରିମ କେଶ ବହନ କରି ସେ ଚର୍ଚ୍ଚାରେ ରହିଛନ୍ତି। ଅତି ସତର୍କତାର ସହ ପ୍ରସ୍ତୁତ ହୋଇଥିବା ତାଙ୍କର ଏହି ୩୫୧.୨୮ ମିଟର ବା ୧,୧୫୨ ଫୁଟ ୫ ଇଞ୍ଚ ଲମ୍ବର ଵିଗ୍ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଯଥେଷ୍ଟ। ଏହି ବିଶାଳ ଵିଗ୍କୁ ପ୍ରସ୍ତୁତ କରିବା ଲାଗି ହେଲେନ୍ଙ୍କୁ ୧୧ ଦିନ ସମୟ ଲାଗିଥିଲା ଓ ସେଥିରେ ୨୦ ଲକ୍ଷ ନାଇରା ବା ପ୍ରାୟ ୨.୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏଥିରେ ହଜାରେ କୁଞ୍ଚିତ କେଶରାଶି, ୧୨ ବୋତଲ ହେଆର ସ୍ପ୍ରେ, ୩୫ ବୋତଲ ଅଠା ଓ ୬,୨୫୦ ହେୟାର କ୍ଲିପ୍ ଲାଗିଥିଲା। ଏ ବିଶାଳ ଵିଗ୍ ପାଇଁ ତାଙ୍କୁ ଗିନିସ ବିଶ୍ବ ରେକର୍ଡ ମାନ୍ୟତା ମିଳିବା ପରେ ହେଲେନ୍ ତାଙ୍କ ସମ୍ପ୍ରଦାୟରୁ ମିଳିଥିବା ସମର୍ଥନ ପାଇଁ କୃତଜ୍ଞତା ଜଣାଇବା ସହ ସଭିଏଁ ନିଜ ପରିଚୟକୁ ଗ୍ରହଣ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି।



