ରାଜଧାନୀରେ ମାତିଛନ୍ତି ଗେ’ ଗ୍ୟାଙ୍ଗ୍: ଚାଟିଂରେ ଫସାଇ ମିଟିଂରେ ଲୁଟ୍ – Utkal Mail
ଭୁବନେଶ୍ବର: ଏସ୍କର୍ଟ ସର୍ଭିସ ଆପ୍ ବା ଡେଟିଂ ଆପ୍ ଚାଟିଂ କରୁଛନ୍ତି କି? ସତର୍କ ହୋଇ ଯାଆନ୍ତୁ! ଆପ୍ରେ ସୁନ୍ଦରୀ ଯୁବତୀ ଓ ମହିଳାଙ୍କ ଫଟୋ ଦେଖି ଭଳି ଯାଆନ୍ତୁନି। ଠକେଇରେ ପଡ଼ିଯିବେ! ଖାଲି ଫଟୋ ନୁହେଁ, ଭିଡିଓ କଲ୍ରେ ବି ପୂର୍ବରୁ ରେକର୍ଡ ହୋଇଥିବା ଯୁବତୀଙ୍କ ଭିଡିଓ ଚଲାଇ ଲୁଟେରା ଆପଣଙ୍କୁ ଭ୍ରମରେ ପକାଇ ପାରନ୍ତି! ଆଉ ଥରେ ସେମାନଙ୍କ ଜାଲରେ ଫସିଲେ, ସେଥିରୁ ବାହାରିବା ସହଜ ହେବନି। ବ୍ଲାକମେଲିଂର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇ ପାରନ୍ତି। ରାଜଧାନୀରେ ସକ୍ରିୟ ଥିବା ଏକ ଗେ’ ଗ୍ୟାଙ୍ଗକୁ କମିସନରେଟ୍ ପୁଲିସ କରିବା ଠାବ ପରେ ଏଭଳି ଭୟଙ୍କର ସତ ପଦାକୁ ଆସିଛି। ଏହି ଗ୍ୟାଙ୍ଗ ଏପର୍ଯନ୍ତ ୧୦ରୁ ଊର୍ଧ୍ବ ଯୁବକଙ୍କୁ ଫସାଇ ୧୦ଲକ୍ଷରୁ ଊର୍ଧ୍ବ ଟଙ୍କା ଲୁଟ୍ କରିଛନ୍ତି। ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ପୁଲିସ ଗିରଫ କରିଥିବା ବେଳେ ବାକି ସଦସ୍ୟ ଏବେ ବି ସକ୍ରିୟ ଥିବା ସନ୍ଦେହ କରାଯାଉଛି। ରାଜଧାନୀରୁ ଏ ଗ୍ୟାଙ୍ଗକୁ ମୂଳପୋଛ କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ରୂପେ ଉଭା ହୋଇଛି।
ଏମିତି ଥିଲା ଅପରେସନ୍
ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ପାଖାପାଖି ମାସେ ହେବ ଏହି ଗ୍ୟାଙ୍ଗ ରାଜଧାନୀରେ ସକ୍ରିୟ ହୋଇ ଉଠିଥିଲା। ଗ୍ୟାଙ୍ଗର ସଦସ୍ୟମାନେ ଏସକର୍ଟ ସର୍ଭିସ୍ ଆପ୍ ଖୋଲି ସମଲିଙ୍ଗୀ (ଗେ) ଯୌନ ସମ୍ପର୍କ ରଖିବା ପାଇଁ ଉତ୍ସାହିତ କରୁଥିଲେ। ସେହିପରି ଗେମିଂ ଆପ୍ରେ ପ୍ରଦର୍ଶିତ ହେଉଥିବା ଅଶ୍ଳୀଳ ଆପ୍ର ଚାଟିଂ ମାଧ୍ୟମରେ ଶୀକାର ଖୋଜୁଥିଲେ। ବିଭିନ୍ନ ଯୁବକଙ୍କ ସହ ଚାଟିଂ କରି କିଏ ସମଲିଙ୍ଗୀ ଯୌନ ସମ୍ପର୍କ ରଖିବାକୁ ଇଚ୍ଛୁକ, ତା’ର ସନ୍ଧାନ ନେଉଥିଲେ। ପ୍ରଥମେ ଚାଟିଂ କରି ସମ୍ପର୍କ ବଢ଼ାଉଥିଲେ ଓ ପରେ ନମ୍ବର ନେଇ ନିକଟତର ହେଉଥିଲେ। ଯେଉଁମାନେ ସମ୍ପର୍କ ରଖିବାକୁ ଆଗ୍ରହ ଦେଖାଉଥିଲେ, କୌଶଳକ୍ରମେ ସେମାନଙ୍କୁ ଭୁବନେଶ୍ୱରସ୍ଥ ଗ୍ୟାରେଜ ଛକକୁ ଡାକୁଥିଲେ। ସେମାନେ ସେଠାରେ ପହଞ୍ଚିବା ପରେ ମିଠା ମିଠା କଥା କହି ସାମନ୍ତରାପୁର ସ୍ଥିତ ଏକ ଆଜ୍ବେସ୍ଷ୍ଟସ୍ ଘରକୁ ନେଇ ଯାଉଥିଲେ। ସେଠାରେ ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ସମୟରେ ଭିଡ଼ିଓ ଉତ୍ତୋଳନ କରୁଥିଲେ। ସେହି ଭିଡିଓକୁ ଭାଇରାଲ କରିବାର ଡ଼ରାଣ ଦେଖାଇ ମୋଟା ରକମର ଟଙ୍କା ଦାବି କରୁଥିଲେ। ବିଚରା ଗ୍ରାହକ ଲୋକଲଜ୍ଜା ଭୟରେ କାନମୁଣ୍ଡ ଆଉଁସି ଲକ୍ଷ ଲକ୍ଷ ଟଙ୍କା ଗଣୁଥିଲା। ଯଦି କେହି ସମ୍ମାନହାନୀକୁ ଖାତିର ନକରି ଟଙ୍କା ନଦେଲା, ତାକୁ ନିସ୍ତୁକ ମାଡ଼ ମାରୁଥିଲେ।
ମୋବାଇଲ, ଆକାଉଣ୍ଟର ହେବ ଯାଞ୍ଚ
ଏହି ଗ୍ୟାଙ୍ଗ ଏମିତି କେତେ ଯୁବକଙ୍କୁ ଠକିଛନ୍ତି, କେଉଁ କେଉଁ ଲୋକଙ୍କ ସହ ଚାର୍ଟ କରିଛନ୍ତି, ଗ୍ୟାଙ୍ଗରେ ଆଉ କେଉଁମାନେ ଅଛନ୍ତି- ଏସବୁର ଯାଞ୍ଚ ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ସେମାନଙ୍କ ମୋବାଇଲ୍ରେ ଥିବା ଚାର୍ଟ ଓ ଆପ୍ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି। ୮୫ ହଜାର ଟଙ୍କା ଥିବା ସେମାନଙ୍କର ୩ଟି ବ୍ୟାଙ୍କ୍ ଆକାଉଣ୍ଟକୁ ପୁଲିସ ବ୍ଲକ କରିଛି। ଅନ୍ୟ ଆକାଉଣ୍ଟଗୁଡ଼ିକୁ ମଧ୍ୟ ଯାଞ୍ଚ କରା ଯାଉଛି।
ଫୋନ୍ ପେ’ ଖୋଲିଲା ଗୁମର
କିଛିଦିନ ତଳେ ଏହି ଗ୍ୟାଙ୍ଗର ସଦସ୍ୟମାନେ କଳ୍ପନା ଅଞ୍ଚଳର ଜଣେ ଯୁବକଙ୍କୁ ଅଶ୍ଳୀଳ ଚାଟିଂ ଜରିଆରେ ପାଲରେ ପକାଇଥିଲେ। ତା’ପରେ ଗତ ୫ ତାରିଖ ଦିନ ତାଙ୍କୁ ଗ୍ୟାରେଜ ଛକକୁ ଡ଼ାକିଥିଲେ। ସେ ସେଠାରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଗ୍ୟାଙ୍ଗର ଦୁଇଜଣଙ୍କ ଯୁବକ ସେଠାରୁ ତାଙ୍କୁ ସାମନ୍ତରାପୁର ସ୍ଥିତ ଘରକୁ ନେଇ ଯାଇଥିଲେ। ସେ ଘରେ ପହଞ୍ଚିବା ପରେ ଯୁବକମାନେ ତାଙ୍କୁ ନିସ୍ତୁକ ମାଡ଼ମାରି ପୋଷାକ ଖୋଲି ଦେଇଥିଲେ। ଏହାପରେ ତାଙ୍କର ଭିଡିଓ ଉତ୍ତୋଳନ କରି ଭାଇରାଲ୍ ଧମକ ଦେଇଥିଲେ। ଆଉ ତାଙ୍କ ଫୋନ୍ ପେ’ରୁ ସାଢ଼େ ୫୬ ହଜାର ଟଙ୍କା ନେଇ ଯାଇଥିଲେ। ଘଟଣା ବିଷୟରେ କାହାକୁ କହିଲେ ‘ସୋସିଆଲ୍ ମିଡିଆରେ ଭିଡିଓ ବୁଲିବ’ ବୋଲି ଧମକାଇଥିଲେ। ସେହିପରି ଗତ ୭ ତାରିଖରେ ସନ୍ତୋଷ ବିଶ୍ବାଳ ନାମକ ଆଉଜଣେ ଯୁବକ ମାଉସୀ ମା’ ଛକ ନିକଟରେ ଯାଉଥିବା ବେଳେ ଗ୍ୟାଙ୍ଗର ଜଣେ ନାବାଳକ ସଦସ୍ୟ ତାଙ୍କୁ ଲିଫ୍ଟ ମାଗିଥିଲା। ସନ୍ତୋଷ ଲିଫ୍ଟ ଦେଇଥିଲେ। ନାବାଳକଟି ଗ୍ୟାରେଜ୍ ଛକ ନିକଟରେ ତାଙ୍କୁ ଅଟକାଇ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲା। ସନ୍ତୋଷ ସେ ଥଣ୍ଡାପାନୀୟ ପିଇବା ପରେ ଅସୁସ୍ଥ ଅନୁଭବ କରିଥିଲେ। ନାବାଳକ ଜଣକ ତା’ପରେ କହିଥିଲା, ‘ଭାଇ, ଚାଲ ମୋ ରୁମ୍ରେ ଟିକେ ବିଶ୍ରାମ ନେଇଯିବ। ଠିକ୍ ଲାଗିବା ପରେ ପଳାଇବ।’ ଅସୁସ୍ଥ ଲାଗୁଥିବାରୁ ସନ୍ତୋଷ ସେ ପ୍ରସ୍ତାବରେ ରାଜି ହୋଇଥିଲେ। ତେବେ ସେ ରୁମ୍ରେ ପହଞ୍ଚିବା ପରେ ସେଠାରେ ଗ୍ୟାଙ୍ଗ ସଦସ୍ୟମାନେ ତାଙ୍କୁ ସମାନ ଢ଼ଙ୍ଗରେ ଲୁଟିଥିଲେ।
ପ୍ରଥମେ ତାଙ୍କ ଫୋନ୍ ପେ’ରୁ ଏକ ଲକ୍ଷ ଏବଂ ପରେ ଏଟିଏମ୍କୁ ନେଇ ସେଠାରୁ ୫୦ ହଜାର ଟଙ୍କା ଉଠାଇଥିଲେ। ସନ୍ତୋଷ ସେମାନଙ୍କ କବଳରୁ ବର୍ତ୍ତିବା ପରେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା। ସେମାନେ ବିଶେଷକରି ଫୋନ୍ ପେ’ ମାଧ୍ୟମରେ ଟଙ୍କା ନେଇଥିବାରୁ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଯାଞ୍ଚ କରା ଯାଇଥିଲା। ସେମାନେ ଯେଉଁ ଯେଉଁ ଆକାଉଣ୍ଟରେ ଟଙ୍କା ନେଇଥିଲେ, ପୁଲିସ ସେଗୁଡ଼ିକୁ ଠାବ କରି ସେମାନଙ୍କ ତଥ୍ୟ ହାତେଇବା ପରେ ଜଣ ପରେ ଜଣଙ୍କୁ କାବୁ କରିଥିଲା। ଲିଙ୍ଗରାଜ ଥାନା ପୁଲିସ ଗ୍ୟାଙ୍ଗ୍ର ମୁଖିଆ ଗଞ୍ଜାମର ଏ ମନୋଜ ଦୋରା (୧୯)କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା’ର ୪ ନାବାଳକ ସହଯୋଗୀଙ୍କୁ କାବୁ କରି ଖୋର୍ଦ୍ଧା ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଇ ବାଳସୁଧାର ଗୃହକୁ ପଠାଇ ଦେଇଛି। ପୁଲିସ ସେମାନଙ୍କଠାରୁ ନଗଦ ୩୪ ହଜାର ଟଙ୍କା, କିଛି ଗହଣା ଓ ୮ଟି ମୋବାଇଲ୍ ଫୋନ୍ ଜବତ କରିଛି।