କ୍ରାଇମ

କାନ୍ଦି କାନ୍ଦି ଶୁଆଇ ନ ଦେବାରୁ ୨ ବର୍ଷର ଝିଆରୀ ତଣ୍ଟିଚିପି ମାରିଦେଲେ ଖୁଡ଼ୀ – Utkal Mail


ଜବଲ୍‌ପୁର: କନ୍ଦାକଟା କରି ଶୁଆଇ ନ ଦେବାରୁ ମଧ୍ୟ ପ୍ରଦେଶର ଜବଲପୁର ନଗରୀରେ ଜଣେ ମହିଳା ତାଙ୍କ ୨ ବର୍ଷୀୟ ଝିଆରୀକୁ ଚାପୁଡ଼ା ମାରି ଶେଷରେ ତଣ୍ଟିଚିପି ହତ୍ୟା କରିଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।

ଘଟଣାଟି ସୋମବାର ଦିନ ହନୁମନ୍ତାଲ୍‌ ଥାନା ଅନ୍ତର୍ଗତ ରାଜୀବ ନଗର ଅଞ୍ଚଳରେ ଘଟିଛି ଓ ଅଭିଯୁକ୍ତାଙ୍କୁ ଗିରଫ କରାଯାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ହନୁମନ୍ତାଲ୍‌ ଥାନାର ଭାରତପ୍ରାପ୍ତ ଅଧିକାରୀ ଏମ୍‌. ଦ୍ବିବେଦୀ କହିଛନ୍ତି, ମହମ୍ମଦ ଶକୀଲ୍‌ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ଅପରାହ୍ଣରେ ନିଖୋଜ ହୋଇଯାଇଥିଲା।

ବହୁ ଖୋଜାଖୋଜି କରିବା ପରେ ଝିଅ ନ ମିଳିବାରୁ ପରିବାର ଲୋକେ ଯାଇ ଥାନାରେ ଅଭିଯୋଗ କଲେ। ସେ ଅଞ୍ଚଳରେ ଥିବା ‘ସିସିଟିଭି’ ସବୁ ଯାଞ୍ଚ କରାଯିବା ପରେ ବି କ‌ୌଣସି ସୁରାକ ମିଳିଲା ନାହିଁ। ପରେ ପୁଲିସ ନିଖୋଜ ଝିଅର ବାପାଙ୍କ କୋଠରିରେ ଖାନତଲାସ କରି ସୋଫା ସେଟ୍‌ ତଳୁ ତା’ର ଶବ ବାହାର କଲେ ବୋଲି ଦ୍ବିବେଦୀ କହିଛନ୍ତି।

ପୁଲିସ କହିଛି, ଭାଇମାନଙ୍କ ସହିତ ମିଶି ଶକୀଲ୍‌ ଗୋଟାଏ ଘରେ ବାସ କରନ୍ତି। ସୋମବାର ଅପରାହ୍ଣରେ ଟିକିଝିଅ ତା’ ଖୁଡ଼ୀଙ୍କ କୋଠରିକୁ ଯାଇଥିଲା। ଉଭୟ ଏକାଠି ଖାଇଲେ। ଖୁଡ଼ୀଙ୍କୁ ନିଦ ଆସିବାରୁ ସେ ଝିଆରୀକୁ କହିଲେ କି, ତୁ ତୋ ମାଆ ପାଖକୁ ଯାଆ।

କିନ୍ତୁ, ଝିଆରୀ ଯିବାକୁ ଅରାଜି ହେବାରୁ ଖୁଡ଼ୀ ତାକୁ ଚାପୁଡ଼ା ମାରିଲେ। ମାଡ଼ ଖାଇ ଝିଆରୀ ଅଥୟ ହୋଇ କାନ୍ଦିଲା। ଏଥିରେ ରାଗିଯାଇ ଖୁଡ଼ୀ ତଣ୍ଟିଚିପି ତାକୁ ମାରିଦେଲା ଓ ତା’ର ଶବକୁ ସୋଫା ତଳେ ଲୁଚାଇ ଦେଲା ବୋଲି ପୁଲିସ ଅଧିକାରୀ ଦ୍ବିବେଦୀ କହିଛନ୍ତି।

ଅଭିଯୁକ୍ତା ଖୁଡ଼ୀଙ୍କୁ ଗିରଫ କରାଯାଇ ତାଙ୍କ ନାଆଁରେ ନରହତ୍ୟା ଅଭିଯୋଗ ଦାଏର କରାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button