ଦରମାଠାରୁ ଅଧିକ ଆସୁଛି ବିଦ୍ୟୁତ୍ ବିଲ୍, ପାକିସ୍ତାନରେ ହିଂସାତ୍ମକ ଆନ୍ଦୋଳନ – Utkal Mail
କରାଚୀ : ଦରଦାମ ବୃଦ୍ଧିକୁ ନେଇ ପାକିସ୍ତାନରେ ଉତ୍ତେଜନା ପ୍ରକାଶ ପାଇଛି। ଅଗଷ୍ଟ ପ୍ରାରମ୍ଭରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବିଜୁଳି ଦର ବୃଦ୍ଧିକୁ ନେଇ ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ ସମଗ୍ର ପାକିସ୍ତାନରେ ନିଆଁ ଭଳି ବ୍ୟାପିଯାଇଛି। ଅନେକ ସହର ଓ ଗ୍ରାମରେ ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ମାସିକ ଦରମା ଠାରୁ ଅଧିକ ବିଜୁଳି ବିଲ୍ ଆସୁଛି। ପିଓକେରେ ଥିବା ଏକ ମସଜିଦର ଲାଉଡସ୍ପିକରର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଲୋକଙ୍କୁ ବିଲ୍ ପୈଠ ନକରିବାକୁ ଅନୁରୋଧ କରାଯାଇଛି।
ଲଗାତାର ବିରୋଧ ଯୋଗୁଁ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଅନଓ୍ଵାର-ଉଲ-ହକ୍ କାକର ଏକ ଜରୁରୀକାଳୀନ ବୈଠକ କରି ୪୮ ଘଣ୍ଟା ମଧ୍ୟରେ ସମାଧାନର ବାଟ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ୩ ବିଲିୟନ ଡଲାରର ଆର୍ଥିକ ସହାୟତା ପ୍ୟାକେଜକୁ ଅନୁମୋଦନ ଦେବା ବେଳେ କଠୋର ସର୍ତ୍ତ ଯୋଗୁଁ ପାକିସ୍ତାନ ବ୍ୟାପକ ମୁଦ୍ରାସ୍ଫୀତି କବଳରେ ରହିଛି । ଆଇଏମଏଫର ମୁଖ୍ୟ ସର୍ତ୍ତ ଥିଲା ବିଦ୍ୟୁତ ବିଲ ବଢାଇବା । ବିଦ୍ୟୁତ ଶୁଳ୍କ ବୃଦ୍ଧି ସମସ୍ୟାକୁ ଆହୁରି ଜଟିଳ କରିବା ସହ ପାକିସ୍ତାନରେ ଲୋକଙ୍କୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରିଛି।
ଯଦିଓ ପାକିସ୍ତାନର କୋଣ ଅନୁକୋଣରେ ପ୍ରତିବାଦ ଦେଖିବାକୁ ମିଳୁଛି, ତଥାପି ପାକ୍ ଅଧିକୃତ କଶ୍ମୀରର ଲୋକମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଞ୍ଚଳରେ ୪,୦୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି, କିନ୍ତୁ ସେମାନଙ୍କୁ ଏହାର କୌଣସି ଲାଭ ମିଳୁନାହିଁ। ଏହାକୁ ନେଇ ସେମାନେ ପ୍ରଥମେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରନ୍ତି । ଧୀରେ ଧୀରେ ଏହା ସମଗ୍ର ପାକିସ୍ତାନକୁ ବ୍ୟାପିଯାଇଛି ।