ଟଙ୍କାଏ ବଢିବ ମଧ୍ୟାହ୍ନ ଭୋଜନ ସହାୟତା, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଟଙ୍କାଏ ବଢିବ ମଧ୍ୟାହ୍ନ ଭୋଜନ ସହାୟତା । ପ୍ରତି ମିଲ୍ ପିଛା ୧ ଟଙ୍କା ବୃଦ୍ଧି କରାଯିବ । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ମିଳିଥିବା ସୂଚନା ମୁତାବକ, ଦରଦାମ ବୃଦ୍ଧିକୁ ଦେଖି ମିଡ୍ ଡେ ମିଲ୍ ପିଛା ୧ ଟଙ୍କା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଆଉ ଖୁବଶୀଘ୍ର ଏନେଇ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏବେ ସରକାର ପ୍ରତି ପ୍ରାଥମିକ ସ୍କୁଲ୍ ପିଲାଙ୍କ ପାଇଁ ଗୋଟିଏ ଭୋଜନ ପିଛା ୫ଟଙ୍କା ୪୨ ପଇସା ଖର୍ଚ୍ଚ କରୁଛନ୍ତି । ହାଇସ୍କୁଲ୍ ଯାଉଥିବା ପିଲାଙ୍କ ପାଇଁ ଏହା ମୁଣ୍ଡପିଛା ୮ଟଙ୍କା ୧୦ ପଇସା ରହିଛି । ଏହି ଅର୍ଥରେ ପିଲାଙ୍କ ପାଇଁ ଭଲ ଖାଦ୍ୟ ଯୋଗାଇବା ସମ୍ଭବ ହୋଇପାରୁ ନଥିବାରୁ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକମାନେ ନିଜ ହାତରୁ ପ୍ରତି ମାସରେ ଅଧିକ ଅର୍ଥ ଖର୍ଚ୍ଚ କରୁଥିବା ନେଇ ଅଭିଯୋଗ ଆସିଥିଲା ।
ରାଜ୍ୟର ପ୍ରାୟ ୪୫ ଲକ୍ଷ ସ୍କୁଲ ଯାଉଥିବା ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ସହାୟତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏଣିକି ସରକାର ପ୍ରତି ଶିଶୁ ପିଛା ଏକ ଟଙ୍କା ଅଧିକ ମଧ୍ୟାହ୍ନ ଭୋଜନ ବାବଦକୁ ଖର୍ଚ୍ଚ କରିବେ । ଏହାଦ୍ୱାରା ପିଲାଙ୍କ ଖାଦ୍ୟରେ ଗୁଣାତ୍ମକ ମାନକୁ ଅଧିକ ବୃଦ୍ଧି କରାଯାଇପାରିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ମିଡ୍ ମେ ମିଲ୍ ସହାୟତା ରାଶି ବୃଦ୍ଧି କରିବାକୁ ଦାବି ହେଇ ଆସୁଥିଲା । ମିଡ୍ ଡେ ମିଲରେ କମ ପଇସା ମିଳୁଥିବାରୁ ଏହାକୁ ନେଇ ଅନେକ ସମୟରେ ଅସନ୍ତୋଷ ଦେଖିବାକୁ ମିଳୁଥିଲା । ହେଲେ ଶେଷରେ ଏହି ସହାୟତା ରାଶିର ପରିମାଣ ବୃଦ୍ଧି କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।