ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ମିଳିତ ଘୋଷଣା: ଆତଙ୍କବାଦ ବିରୋଧରେ ଲଢ଼ିବେ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ୍ ମିଳିତଭାବେ ଆତଙ୍କବାଦ ବିରୋଧରେ କାର୍ଯ୍ୟ କରିବେ। ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ବ ନେଇ ଭାରତ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ୍ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହିତ ହାଇଦ୍ରାବାଦ ହାଉସ୍ରେ ଆଜି ମିଳିତ ଘୋଷଣାନାମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଦୃଢ଼ୋକ୍ତି ବାଢ଼ିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଏକାଧିକ ରାଜିନାମା ସ୍ବାକ୍ଷରିତ ହୋଇଛି।
ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରତିପକ୍ଷ ଲକ୍ସନଙ୍କ ପ୍ରତିନିଧିମଣ୍ଡଳୀକୁ ସ୍ବାଗତ କରିଥିଲେ। ରାଇସିନା ଡାଏଲଗ୍ରେ ମୁଖ୍ୟ ଅତିଥିଭାବେ ଲକ୍ସନ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଉଭୟ ପକ୍ଷ ମଧ୍ୟରେ ପ୍ରତିରକ୍ଷା ଏବଂ ନିରାପତ୍ତା ସଂପର୍କକୁ ମଜଭୁତ କରିବା ପାଇଁ ଗୁରୁତ୍ବାରୋପ କରାଯାଇଛି। ଦେଶାନ୍ତରଜନିତ ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ବେଆଇନ ଦେଶାନ୍ତରଜନିତ ସମସ୍ୟାକୁ ରୋକିବା ପାଇଁ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହେବ। ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ପ୍ରତି ଦୁଇ ଦେଶ ପ୍ରତିବଦ୍ଧ ରହିଥିବା ମୋଦୀ କହିଛନ୍ତି। ଆମେ ବିସ୍ତାରବାଦ ନୁହେଁ ବରଂ ବିକାଶ ନୀତିରେ ବିଶ୍ବାସ କରୁ। ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ପଦକ୍ଷେପରେ ନ୍ୟୁଜିଲାଣ୍ଡ୍କୁ ମୋଦୀ ସ୍ବାଗତ କରିଥିଲେ।
ନ୍ୟୁଜିଲାଣ୍ଡ୍ରେ ଭାରତ ବିରୋଧୀ ବେଆଇନ ଶକ୍ତିଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଥିଲେ। ବାଣିଜ୍ୟ, ପ୍ରତିରକ୍ଷା, ଶିକ୍ଷା ଏବଂ କୃଷି କ୍ଷେତ୍ରରେ ଦୁଇ ନେତା ବ୍ୟାପକ ଆଲୋଚନା କରିଥିଲେ। ଖ୍ରୀଷ୍ଟ ଚର୍ଚ୍ଚ ଉପରେ ୨୦୧୯ ମାର୍ଚ୍ଚ ୧୫ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହେଉ କିମ୍ବା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ଆତଙ୍କବାଦୀ, ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରବାଦୀଙ୍କ ବିରୋଧରେ ଆମେ ମିଳିତଭାବେ ଦୁଇ ଦେଶ କାମ କରିବେ। ନ୍ୟୁଜିଲାଣ୍ଡ୍ରେ ହେଉଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ସଂପର୍କରେ ଆମେ ସେ ଦେଶକୁ ଜଣାଇଛୁ। ସେସବୁ ବେଆଇନ କାର୍ଯ୍ୟକଳାପ ବିରୋଧରେ ନ୍ୟୁଜିଲାଣ୍ଡ୍ ସରକାରଙ୍କ ସହାୟତା ମିଳିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ସେହିଭଳି କ୍ରିକେଟ, ହକି ଏବଂ ପର୍ବତାରୋହଣ ଭଳି କ୍ରୀକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ସଂପର୍କକୁ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ଦୁଇ ଦେଶ ମଧ୍ୟରେ କ୍ରୀଡ଼ା ସଂପର୍କକୁ ୨୦୨୬ରେ ୧୦୦ ବର୍ଷ ପୂରଣ ହେବ। ଏହାକୁ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ନ୍ୟୁଜିଲାଣ୍ଡ୍ ପ୍ରଧାନମନ୍ତ୍ରୀ ଲକ୍ସନ ଭାରତର ଆତିଥେୟତାକୁ ପ୍ରଶଂସା କରିବା ସହିତ ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟ ସାମର୍ଥ୍ୟ ସଂପର୍କରେ ଉଲ୍ଲେଖ କରିଥିଲେ। ଏହି ଅବସରରେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସମତେ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନ୍ୟୁଜିଲାଣ୍ଡ୍ ସହିତ ବୁଝାମଣାପତ୍ର ବିନିମୟ କରିଥିଲେ। ଗତ ୧୬ ତାରିଖରୁ ୫ ଦିନିଆ ଭାରତ ଗସ୍ତରେ ଆସଥିବା ନ୍ୟୁଜିଲାଣ୍ଡ୍ ପ୍ରଧାନମନ୍ତ୍ରୀ ଲକ୍ସନ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରହିବେ। ରବିବାର ଭାରତରେ ପହଞ୍ଚିବା ପରେ ଲକ୍ସନ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରକୁ ଭେଟିଥିଲେ।



