ଡାକ୍ତରଙ୍କୁ ଧକ୍କା ଦେଇ ୫୦ମିଟର ପର୍ଯ୍ୟନ୍ତ ଘୋଷାରି ନେଲା କାର ଚାଳକ, ଅଳ୍ପକେ ବର୍ତ୍ତିଲା ଜୀବନ – Utkal Mail
ନୂଆଦିଲ୍ଲୀ: ହରିୟାଣାର ପଞ୍ଚକୁଲାରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ବି ହୋଇଛି।
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଏକ ଦ୍ରୁତଗତିରେ ଆସୁଥିବା କାରର ବୋନେଟ ଉପରେ ଜଣେ ବ୍ୟକ୍ତି ବସିଥିବା ବେଳେ ଗାଡ଼ିଟି ଆଗକୁ ବଢ଼ି ଚାଲିଛି।
ପ୍ରକାଶିତ ରିପୋର୍ଟ ମୁତାବକ, କାର ବୋନେଟ ଉପରେ ବସିଥିବା ବ୍ୟକ୍ତିଙ୍କୁ ଚାଳକ ୫୦ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ତେବେ ଚାଳକ ଜଣକ ଯେଉଁ ବ୍ୟକ୍ତିଙ୍କୁ କାର ବୋନେଟ ଉପରେ ବସାଇ ଘୋଷାରି ନେଉଥିଲା ସେହି ବ୍ୟକ୍ତି ଜଣକ ପେସାରେ ଜଣେ ଡାକ୍ତର ବୋଲି ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଡାକ୍ତର ଗଗନ ତାଙ୍କ ଛୁଆକୁ ଟ୍ୟୁସନରୁ ଆଣି ଘରକୁ ଫେରୁଥିଲେ। ଏହି ସମୟରେ ପଞ୍ଚକୁଲା ସେକ୍ଟର-୮ରେ ଜଣେ କାର ଚାଳକ ଗଗନଙ୍କୁ ଓଭରଟେକ କରିବାକୁ ଚେଷ୍ଟା କରିଥିଲା। ଏତିକି ବେଳେ କାର ଚାଳକ ଗଗନଙ୍କୁ ଧକ୍କା ଦେଇଥିଲା।
ରାଗି ଯାଇ ଧକ୍କା ଦେଇଥିବା କାର ଚାଳକ ସହିତ କଥା ହେବାପାଇଁ ଗଗନ ଗାଡ଼ିରୁ ଓହ୍ଲାଇଥିଲେ। ଯେମିତି ଗଗନ ଗାଡ଼ିରୁ ଓହ୍ଲାଇଛନ୍ତି କାର ଚାଳକ ତାଙ୍କୁ ଧକ୍କା ଦେଇଥିଲା। ଜୀବନ ବଞ୍ଚାଇବା ପାଇଁ ଗଗନ କାରର ବୋନଟକୁ ଧରି ପକାଇଥିଲେ। ଏଭଳି ଅବସ୍ଥାରେ କାର ଚାଳକ ଡାକ୍ତରଙ୍କୁ ୫୦ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଅଳ୍ପକେ ଡାକ୍ତରଙ୍କ ଜୀବନ ବଞ୍ଚିଯାଇଛି। ଏହି ଘଟଣାପରେ ଧକ୍କା ଦେଇଥିବା କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ଘଟଣାସ୍ଥଳ ପରିସରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି।