ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଗିରଫ, ପୂର୍ବ ଶତ୍ରୁତା ମୁଖ୍ୟ କାରଣ – Utkal Mail
ପାଟପୁର: ସାନଖେମୁଣ୍ଡି ବ୍ଲକ୍ ପଦ୍ମପୁର ପଞ୍ଚାୟତ ପାଟପୁର ଥାନା ଅନ୍ତର୍ଗତ ବୃନ୍ଦାବନନଗର ଗ୍ରାମ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଆସିକା ଏସ୍ଡିପିଓ ଉମାଶଙ୍କର ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବୃନ୍ଦାବନନଗର ଗ୍ରାମର କୁନା ଦଳେଇ ଓ ପୋଡ଼ାମାରିର ଏସ୍. ମାଲେସୁ ପାତ୍ର ବୋଲି ପୁଲିସ ସୂଚନା ଦେଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଏକ କଟୁରୀ ଜବତ କରାଯାଇଛି।
ପାଟପୁର ଥାନା ଅନ୍ତର୍ଗତ ବୃନ୍ଦାବନନଗର ଗ୍ରାମର ଏକ ଜଙ୍ଗଲରୁ ଗତକାଲି ପୁଲିସ ଅନିଲ ନାୟକ ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଥିଲା। ଅନିଲ ଛେଳି ଚରାଇବାକୁ ଯାଇଥିବା ବେଳେ ଜଙ୍ଗଲରୁ ତାଙ୍କର ମୃତଦେହ ମିଳିଥିଲା। ଅନିଲଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ବେକ କଟା ହୋଇଥିବା ଦେଖିବାକୁ ମିଳିଥିଲା। ଏଣୁ ପୁଲିସ କେସ୍ ନମ୍ବର ୬୧୦/୨୩ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅନିଲଙ୍କ ସହିତ ବୃନ୍ଦାବନନଗର ଗ୍ରାମର କୁନାର ପାରିବାରିକ ଶତ୍ରୁତା ଥିବା ପୁଲିସ ଜାଣିବାକୁ ପାଇଥିଲା। ଯାହାକୁ ନେଇ ବିଗତ ଦିନରେ ଉଭୟଙ୍କ ମଧ୍ୟରେ ଏକାଧିକବାର ଗଣ୍ଡଗୋଳ ହୋଇଥିଲା। ଏଣୁ ପୁଲିସ କୁନାକୁ ଧରି ଜେରା କରିବା ପରେ ପୂରା ଘଟଣା ପର୍ଦ୍ଦାଫାସ୍ ହୋଇଥିଲା। କୁନା ତା’ର ସହଯୋଗୀ ମାଲେସୁ ସହିତ ମିଶି ଅନୀଲଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା।
ରବିବାର ଦିନ ଅନିଲ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଉଭୟେ ସେଠାକୁ ଯାଇଥିଲେ। ଅନୀଲଙ୍କ ସହିତ ବଚସା କରି ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଏକ କଟୁରୀରେ ଅନିଲଙ୍କ ବେକ କାଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଅନିଲଙ୍କ ମୃତ୍ୟୁ ଘଟିଥିଲା। ଏହପରେ ମୃତଦେହକୁ ଏକ ବୁଦାରେ ଫିଙ୍ଗି କୁନା ଓ ମାଲେସୁ ଚମ୍ପଟ ମାରିଥିଲେ। ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଘଟଣାର ତଦନ୍ତ କରି ଆଜି ଦୁଇଜଣ ହତ୍ୟାକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେପଟେ ମୃତ ଅନୀଲଙ୍କ ନାବାଳିକା ଭଉଣୀ ଅନିତା ପ୍ରାୟ ୨୦ଦିନ ହେଲା ନିଖୋଜ ରହିଛନ୍ତି। ଏ ନେଇ ପାଟପୁର ଥାନାରେ ନିଖୋଜ ମାମଲା ରୁଜୁ ହୋଇଛି। ଅନିତାଙ୍କୁ ଖୋଜିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।