ଦେଶ ବିଦେଶ

ଦ ରୋମିଓ ଏରର୍‌

‘ଦ ରୋମିଓ ଏରର୍’ ପକ୍ଷୀ ପ୍ରଜାତିର ଭବିଷ୍ୟତ ଜୀବନଶୈଳୀକୁ ବିପନ୍ନ କରିବ। କ’ଣ ରହିଛି ‘ଭଗବାନଙ୍କ ପ୍ରଭୁ ପକ୍ଷୀ’ ପ୍ରସଙ୍ଗ? ଆଗାମୀ ପିଢ଼ିର ଯୁବତୀଙ୍କ ପାଇଁ ଓଡ଼ିଶାରେ ପକ୍ଷୀ ଫଟୋଗ୍ରାଫି କରି ସୁନାମ ଅର୍ଜନ କରିବାର ବିରାଟ ସମ୍ଭାବନା ରହିଛି। ପକ୍ଷୀ ଜଗତର କିଛି ଜଣା ଅଜଣା କଥା ଏବଂ ସୁପ୍ରସିଦ୍ଧ ପକ୍ଷୀ ଅନୁଧ୍ୟାନକାରୀ ଓ ଫଟୋଗ୍ରାଫର୍ ମମତା ପରମାରଙ୍କ ପ୍ରତ୍ୟେକ ମହିଳାଙ୍କ ପାଇଁ ପାଲଟିଥିବା ପ୍ରେରଣାଦାୟୀ ଯାତ୍ରାକୁ ନେଇ ଏଥର ‘ସମ୍ବାଦ’ର ‘ସୁଶ୍ରୀ’ ପୃଷ୍ଠା ଭେଟି ଦେଉଛି ଭିନ୍ନ ଏକ ବିସ୍ତୃତ ପ୍ରସଙ୍ଗ ‘ଦ ରୋମିଓ ଏରର୍’…

ଓଡ଼ିଶାରେ ଯେଉଁ କେତେଜଣ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପକ୍ଷୀମାନଙ୍କ ଉପରେ ଫଟୋଗ୍ରାଫି କରି ସୁନାମ ଅର୍ଜନ କରିଛନ୍ତି ସେମାନଙ୍କ ମଧ୍ୟରେ ଭୁବନେଶ୍ୱରସ୍ଥିତ ନୂଆପଲ୍ଲୀ ବ୍ରିଟ୍ କଲୋନୀର ମମତା ପରମାର ଅନ୍ୟତମ। ବିଶିଷ୍ଟ ବନ୍ୟପ୍ରାଣୀ ଗବେଷକ, ପକ୍ଷୀ ବିଶାରଦ, ଲେଖକ ଓ ଟିଭି ଉପସ୍ଥାପକ ବିକ୍ରମ ଗରୱାଲ୍, ଇଂଲଣ୍ଡର ବିଶ୍ୱପ୍ରସିଦ୍ଧ ପକ୍ଷୀ ଓ ବନ୍ୟପ୍ରାଣୀ ଫଟୋଗ୍ରାଫର୍ ନାଇଜେଲ୍ ଆଲାନ୍ ମାର୍ଭେନ୍ଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ପକ୍ଷୀ ଫଟୋଗ୍ରାଫି ସହ ଏସବୁ ଅନୁଧ୍ୟାନ କରିବାର ସୁଯୋଗ ପାଇଛନ୍ତି। ମମତା ବନ୍ୟପ୍ରାଣୀ ଓ ପକ୍ଷୀ ଫଟୋଗ୍ରାଫିରେ ଓଡ଼ିଶାରେ ଏକ ଭିନ୍ନ ପରିଚୟ ଓ ପ୍ରେରଣା ସୃଷ୍ଟି କରିଛନ୍ତି। ସେ ଉତ୍ତୋଳନ କରିଥିବା ‘ହିମାଲୟାନ୍ ମୋନାଲ୍’ ପକ୍ଷୀ ଫଟୋ ୨୦୧୭ ମସିହାରେ ଆମେରିକାର ଅନ୍ୟତମ ଶ୍ରେଷ୍ଠ ପକ୍ଷୀ ଗବେଷଣା ଅନୁଷ୍ଠାନ ‘କର୍ନେଲ୍ସ ଲାବ୍ ଅଫ୍ ଅର୍ନିଥୋଲୋଜିଷ୍ଟ୍’ ରେ ସମଗ୍ର ବିଶ୍ୱସ୍ତରରେ ଦ୍ବିିତୀୟ ପୁରସ୍କାର ହାସଲ କରିଥିଲା। ମମତା ଉଠାଇଥିବା ରୁଡିଶେଲ୍ଡିକ୍ ଓ ହିମାଲୟାନ୍ ମୋନାଲ୍ ଭଳି ଅନେକ ପ୍ରଜାତିର ପକ୍ଷୀଙ୍କ ଫଟୋଗ୍ରାଫ୍ ଚିଲିକା ଉନ୍ନୟନ ପରିଷଦ, ବିଶ୍ୱର ଖ୍ୟାତିସମ୍ପନ୍ନ ବନ୍ୟଜୀବ ଅନୁଷ୍ଠାନ ଡବ୍ଲିୟୁ.ଡବ୍ଲିୟୁ.ଏଫ୍. ଓ ବମ୍ବେ ନାଚୁରାଲ୍ ହିଷ୍ଟ୍ରି ଅନୁଷ୍ଠାନର କ୍ୟାଲେଣ୍ଡର୍ ଓ ଫଟୋଗ୍ରାଫ୍ ପତ୍ରିକାରେ ସ୍ଥାନ ପାଇଛି।

ଚଳିତ ବର୍ଷ ମାର୍ଚ୍ଚ ୨୪ରେ ମରିସସ୍ ସ୍ଥିତ ଏକ ଦ୍ବୀପରେ ଗୋଟିଏ ମାର୍ଲିନ୍ ପକ୍ଷୀକୁ ଟ୍ରାନ୍ସମିଟର ଲଗାଯାଇଥିଲା ଏବଂ ସେ ଓଡ଼ିଶାର ଋଷିକୂଲ୍ୟା ନଦୀ ନିକଟକୁ ଆସିଥିଲା। ଏଥିରୁ ବୁଝାପଡୁଛି ଓଡ଼ିଶାରେ ବିଶାଳ ପକ୍ଷୀ ପ୍ରଜାତିଙ୍କ ଆଗମନର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। ଚିଲିକା ଓ ଭିତରକନିକା ଭଳି ସ୍ଥାନରେ ପକ୍ଷୀ ଅଭୟାରଣ୍ୟ ତଥା ଆବାସସ୍ଥଳୀ ରହିଛି। ତେଣୁ ଆଗାମୀ ପିଢ଼ିଙ୍କ ପାଇଁ ପକ୍ଷୀ ଫଟୋଗ୍ରାଫିରେ କ୍ୟାରିୟର୍ କରିବାକୁ ଏକ ବିରାଟ ସୁଯୋଗ ଅପେକ୍ଷା କରି ରହିଛି ଏବଂ ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ଏକ ଶ୍ରେଷ୍ଠ ରାଜ୍ୟ। ‘ଦ ରୋମିଓ ଏରର୍’ ଭଳି ଚର୍ଚ୍ଚିତ ପ୍ରସଙ୍ଗରେ ସଚେତନ କରିବାକୁ ମମତା କହନ୍ତି, “ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ଆମ ପାଣିପାଗ ତଥା ଜୀବନଶୈଳୀ ଉପରେ ପ୍ରତିକୂଳ ପ୍ରଭାବ ପକାଇ ବିପଦକୁ ଯେତିକି ପରିମାଣରେ ବଢ଼ାଉଛି, ସମଗ୍ର ପକ୍ଷୀ ପ୍ରଜାତି ଉପରେ ଏହାର ପ୍ରଭାବ ମଧ୍ୟ ଅଧିକ ହେଉଛି। ଗୋଟିଏ ପକ୍ଷୀ ପ୍ରଜାତିର ଉପସ୍ଥିତି ଓ ଅନୁପସ୍ଥିତିକୁ ନିର୍ଦ୍ଧାରଣ କରିବା ଆଜିର ଦିନରେ ଯଥେଷ୍ଟ ଆହ୍ବାନ ସୃଷ୍ଟି କରୁଛି। ବିଶ୍ୱସ୍ତରରେ ବିଲୁପ୍ତି ତାଲିକାଗୁଡ଼ିକକୁ ନେଇ ଅନେକ ସମୟରେ ବିଭିନ୍ନ ଆଲୋଚନା, ଯୁକ୍ତିତର୍କ ଓ ଜରୁରି ଅନୁସନ୍ଧାନର ବିଷୟ ପାଲଟିଯାଉଛି। ବର୍ତ୍ତମାନ ଲକ୍ଷ୍ୟ କରାଯାଉଛି ଦଶନ୍ଧି ଦଶନ୍ଧି ଧରି କିଛି ପକ୍ଷୀ ପ୍ରଜାତି ପରିବେଶରୁ ଉଭେଇ ଯାଉଛନ୍ତି ଏବଂ ସେମାନେ ବିଲୁପ୍ତ ହୋଇଗଲେ ବୋଲି ଅନୁମାନ କରାଯାଉଛି। କିନ୍ତୁ ହଠାତ୍ ସେହି ପ୍ରଜାତି ପୁଣି ଆବିର୍ଭାବ ହେଉଛନ୍ତି। ଏଭଳି ଭ୍ରମାତ୍ମକ ପରିକଳ୍ପନା ଓ ତ୍ରୁଟିକୁ ପକ୍ଷୀ ବିଶାରଦ ଓ ଜୀବବିଜ୍ଞାନୀ “ଦ ରୋମିଓ ଏରର୍’ ବୋଲି ନାମିିତ କରିଛନ୍ତି। ଠିକ୍ ଯେପରି ସେକ୍ସପିୟର୍ଙ୍କ ନାଟକର ବର୍ଣ୍ଣନାରେ ରୋମିଓ ଭୁଲ୍ରେ ଭାବିଥିଲେ ଚେତାଶୂନ୍ୟ ଜୁଲିଏଟ୍ ମରିଯାଇଛନ୍ତି। କିନ୍ତୁ ବାସ୍ତବରେ ଜୁଲିଏଟ୍ ମରିନଥିଲେ ବୋଲି ନାଟକର ଶେଷ ଭାଗରେ ଜଣାପଡ଼ିଥିଲା। ରୋମିଓଙ୍କର ଏଭଳି ଭ୍ରମଧାରଣାକୁ ଲକ୍ଷ୍ୟକରି ପକ୍ଷୀ ବିଶାରଦମାନେ ଦୀର୍ଘ ବର୍ଷ ଦେଖା ଯାଉନଥିବା ପକ୍ଷୀ ପୁଣିଥରେ ଦେଖାଗଲେ ତାକୁ ‘ରୋମିଓ ଏରର୍’ ବୋଲି କହୁଛନ୍ତି। ସେମାନଙ୍କ ପାଇଁ ଏହା ସବୁଠାରୁ ବଡ଼ ସମସ୍ୟା ପାଲଟିବାକୁ ବସିଲାଣି”।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ବିଲୁପ୍ତିର ଭ୍ରାନ୍ତ ଧାରଣା ଉଭୟ ପ୍ରଜାତି ଓ ଏହାର ପରିସ୍ଥିତି ପାଇଁ ଭୟଙ୍କର ପରିଣାମ ଆଣିପାରେ। ଯେତେବେଳେ କୌଣସି ପ୍ରଜାତିକୁ ସଠିକ୍ ଗବେଷଣା ବିନା ଭୁଲ୍ବଶତଃ ବିଲୁପ୍ତ ଘୋଷଣା କରାଯାଏ ଏବଂ ପରେ ପୁନଃ ଆବିଷ୍କାର କରାଯାଏ, ସେତେବେଳେ ଏହାର ବାସସ୍ଥଳୀ ପ୍ରତି ଅବହେଳା ପ୍ରଦର୍ଶନ ଆରମ୍ଭ ହୋଇଯାଏ। ଏହାଦ୍ୱାରା ଉକ୍ତ ପ୍ରଜାତିର ଜୀବନଚକ୍ର ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଏ ଏବଂ ସଂଘର୍ଷ କରି ବଞ୍ଚିଥିବା ସେହି ପ୍ରଜାତିର ପକ୍ଷୀଟି ପାଇଁ ଆମର ଭ୍ରାନ୍ତଧାରଣା ତା’ର ବଂଶ ନିପାତ କରିଦିଏ। ତେଣୁ ‘ଦ ରୋମିଓ ଏରର୍’ର ମନଲୋଭା ନାମ ସତ୍ତ୍ୱେ, ଏହାର ଗୁରୁତର କୁପ୍ରଭାବ ପ୍ରାଣୀଜଗତ ମୁଖ୍ୟତଃ ପକ୍ଷୀ ପ୍ରଜାତିଙ୍କ ଉପରେ ପଡ଼ିଥାଏ ବୋଲି ସେ କହନ୍ତି।

‘ଆଇଭୋରୀ ବିଲ୍ଡ୍ ଉଡ୍ପେକର୍’ ହାତୀଦାନ୍ତ ସଦୃଶ କଳା ଓ ଧଳା ରଙ୍ଗର ଏକ ସୁନ୍ଦର କାଠଖୁମ୍ପା ପକ୍ଷୀର ମୁଣ୍ଡରେ ଗୋଟେ ଲାଲ୍ ମୁକୁଟ ରହିଛି। ସେଥିପାଇଁ ଏହାକୁ ସ୍ନେହରେ ‘ଭଗବାନଙ୍କ ପ୍ରଭୁ ପକ୍ଷୀ’ (ଲର୍ଡ ଅଫ୍ ଗଡ୍ ବାର୍ଡ) ବୋଲି କୁହାଯାଏ। ଶେଷଥର ପାଇଁ ଏହି ପକ୍ଷୀକୁ ୧୯୪୪ ମସିହାରେ ଦେଖିବାକୁ ମିଳିଥିଲା ଏବଂ ଚଳିତବର୍ଷ ଏହାକୁ ସଂରକ୍ଷିତ ପ୍ରଜାତିର ତାଲିକାରୁ ପ୍ରାୟ ହଟାଇ ଦିଆଯାଇଥିଲା। ତେବେ ମେ ମାସରେ ଇକୋଲୋଜି ଆଣ୍ଡ୍ ଇଭୋଲ୍ୟୁସନ୍ ନାମକ ଜର୍ଣ୍ଣାଲ୍ରେ ପ୍ରକାଶିତ ଏକ ଅଧ୍ୟୟନ ଏହାର ସ୍ଥିତିକୁ ନେଇ ପୁଣି ଆଗ୍ରହ ସୃଷ୍ଟି କରିଛି। ତେଣୁ ଏହାହିଁ ହେଉଛି ‘ଦ ରୋମିଓ ଏରର୍’। ବିପଦରେ ଥିବା ପକ୍ଷୀ ପ୍ରଜାତିର ସଂରକ୍ଷଣ, ଅନୁଧ୍ୟାନ ଓ ଫଟୋଗ୍ରାଫି ଏବେ ଗୋଟିଏ ବଡ଼ ଆହ୍ବାନ।

ବର୍ତ୍ତମାନ ସୁଦ୍ଧା ମମତା ନିଜ କ୍ୟାମେରାରେ ଭାରତର ପ୍ରାୟ ସମସ୍ତ ରାଜ୍ୟ ଓ ହିମାଳୟର ଉପତ୍ୟକା ସମେତ ମାଲେସିୟା ଓ ଥାଇଲାଣ୍ଡ୍ ଭଳି ଦେଶରେ ପ୍ରାୟ ୭୩୭ଟି ନୂଆ ପ୍ରଜାତିର ପକ୍ଷୀଙ୍କ ଫଟୋ ଉତ୍ତୋଳନ କରିବାର ସମ୍ମାନ ହାସଲ କରିଛନ୍ତି। ଜଳ ଓ ସ୍ଥଳଭାଗରେ ଏବଂ ଆକାଶରେ ଉଡୁଥିବା ପକ୍ଷୀଙ୍କର ଯୁଦ୍ଧ (ଫାଇଟିଂ) ଫଟୋଗ୍ରାଫ୍ ତାଙ୍କୁ ଏକ ସ୍ୱତନ୍ତ୍ର ଓ ବିରଳ ପରିଚୟ ଦେଇଛି। ମମତା କହନ୍ତି, ‘ପାଣିପାଗର ପରିବର୍ତ୍ତନ ଓ ଅନିୟନ୍ତ୍ରିତ ପର୍ଯ୍ୟଟନ ସାଙ୍ଗକୁ ସଚେତନ ନଥିବା ପର୍ଯ୍ୟଟକଙ୍କ ପାଇଁ ବର୍ତ୍ତମାନ ଚିଲିକାର ପକ୍ଷୀମାନଙ୍କ ସ୍ଥିତି ବିପନ୍ନ ହେଉଛି। ଭିତରକନିକାରେ ବର୍ତ୍ତମାନ ରୁଡ୍ଡି କିଙ୍ଗ୍ଫିସର୍ ଦେଖିବାକୁ ମିଳୁନି କିନ୍ତୁ ସୁନ୍ଦରବନରେ ଦେଖିବାକୁ ମିଳୁଛି। ଖୁସିର ବିଷୟ ଅନେକ ପ୍ରଜାତିର ଅତି ସୁନ୍ଦର ମାଛରଙ୍କା ଆମ ଭିତରକନିକାରେ ଦେଖିବାକୁ ମିଳନ୍ତି। ଏସବୁର ପ୍ରୋତ୍ସାହନ ଓ ସୁରକ୍ଷା କରିବାକୁ ହେଲେ ଆମକୁ ଅଧିକରୁ ଅଧିକ ଅନୁଧ୍ୟାନ, ଗବେଷଣା ଓ ଫଟୋଗ୍ରାଫି ପାଇଁ ଆହୁରି ଯଥେଷ୍ଟ ଅଧିକ ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ। ମୁଁ ଭାବେ ଯଦି ମହିଳାମାନେ ଏ ଦିଗରେ ବେଶୀ ଯୋଗଦାନ କରିବେ ତେବେ ଏହା ଆଗକୁ ଆହୁରି ସହଜରେ ବଢ଼ିପାରିବ’।
ଫଟୋ ସୌଜନ୍ୟ: ମମତା ପରମାର

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button