ଗୟା-ପାଟନା ମେମୁ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନରେ ବୋମା ଥିବା ନେଇ ମିଳିଲା ଧମକ – Utkal Mail
ପାଟନା: ଗୟା-ପାଟନା ମେମୁ ଏକ୍ସପ୍ରେସରେ ବୋମା ଥିବା ନେଇ ମିଳିଲା ଧମକ। ଗୁରୁବାର ଫୋନ କରି ୦୩୩୩୮ ଗୟା-ପାଟନା ମେମୁ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନରେ ଏକ ବୋମା ଖଞ୍ଜାଯାଇଥିବା ଦାବି କରିଥିଲେ ଜଣେ ବ୍ୟକ୍ତି। ଏହି ଫୋନ କଲ୍ ପାଇବା ପରେ ସୁରକ୍ଷାକର୍ମୀ ଯାଞ୍ଚ ପାଇଁ ତୁରନ୍ତ ପାଟନା ଜଙ୍କସନ ରେଳ ଷ୍ଟେସନରେ ପହଞ୍ଚିଥିଲେ। ହେଲେ ଯାଞ୍ଚ ପରେ ଟ୍ରେନରେ କୌଣସି ବୋମା ନଥିବା ଜଣାପଡ଼ିଥିଲା।
ସୂଚନା ମୁତାବକ, ଗୁରୁବାର ସକାଳ ୧୧.୩୦ରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଫୋନ କଲରେ ଜଣେ ବ୍ୟକ୍ତି ଗୟା-ପାଟନା ମେମୁ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନରେ ଏକ ବୋମା ଖଞ୍ଜାଯାଇଥିବା ନେଇ ଦାବି କରିବାରୁ ପାଟନା ରେଳ ଷ୍ଟେସନରେ ସୁରକ୍ଷାକୁ ବୃଦ୍ଧି କରାଯାଇଥିଲା। ଟ୍ରେନ୍ ପାଟନା ରେଳ ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନର ସମସ୍ତ କୋଚ୍ ଭଲ ଭାବେ ଯାଞ୍ଚ କରାଯାଇଥିଲା। କିନ୍ତୁ ଟ୍ରେନରୁ କିଛି ବି ମିଳିନଥିଲା। ଜାଣିଶୁଣି କେହି ଜଣେ ମିଛରେ ଡରାଇବା ପାଇଁ ଏଭଳି କଲ୍ କରିଥିବା ସ୍ପଷ୍ଟ ହୋଇଥିଲା।
କୁହାଯାଉଛି ଯେ, କଲ୍ କରିଥିବା ବ୍ୟକ୍ତି ନିଜକୁ ପାଟନାର ଏସଏସପି ବୋଲି କହିଥିଲେ। ଏବେ ଏଭଳି କାମ କରିଥିବା ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ।
ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବିମାନ, ରେଳଷ୍ଟେସନ, ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ବାସଭବନ ବୋମାରେ ଉଡ଼ାଇ ଦିଆଯିବା ନେଇ ମିଛ ଫୋନ କଲ୍ ବିଭିନ୍ନ ରାଜ୍ୟର ପୁଲିସ ପାଖକୁ ଆସି ସାରିଛି।



